ଭୁବନେଶ୍ୱର : ରାଜଧାନୀରେ ମଶା ନିୟନ୍ତ୍ରଣ ପାଇଁ ଡ୍ରୋନ ବ୍ୟବହାର ସଂକ୍ରାନ୍ତରେ ବିଏମ୍ସି ମେୟର ଘୋଷଣା କରିବାର ଦିନକ ପରେ ଆଜି ଡ୍ରୋନ ଆସି ପହଞ୍ଚିଛି । ତେବେ ଡ୍ରୋନ ଆସିବା ସହିତ ଏହାକୁ ନିଜ ନିଜ ଅଞ୍ଚଳକୁ ପଠାଇବାପାଇଁ ଲୋକଙ୍କ ଦାବି ବି ବଢିବାରେ ଲାଗିଛି ।
ମଶା ବଂଶ ବୃଦ୍ଧିକୁ ନେଇ ସବୁଆଡୁ ଷଣ୍ଢୁଆସୀ ଆକ୍ରମଣର ଶିକାର ହେବାପରେ ବିଏମ୍ସି ପକ୍ଷରୁ ଘୋଷଣା ହୋଇଥିଲା ଯେ ଡ୍ରୋନ ମାଧ୍ୟରେ ମଶାଙ୍କ ଉତ୍ପତି ସ୍ଥଳ ଠାବ କରାଯିବା ସହିତ ସେଠାରେ ରସାୟନିକ ସିଞ୍ଚନ କରାଯାଇ ମଶାବଂଶ ନିୟନ୍ତ୍ରଣ ହେବ । ତଦନୁଯାୟୀ ଆଜି ଡ୍ରୋନ ଆସି ତାହାର କାର୍ଯ୍ୟ ଆରମ୍ଭ କରିଛି ।
ତେବେ ଡ୍ରୋନ ଆସିବା ସୂଚନା ବିଏମ୍ସି ତାହାର ସୋସିଆଲ ସାଇଟ୍ରେ ଦେବାପରେ ରାଜଧାନୀର ବିଭିନ୍ନ ୱାର୍ଡରୁ ଲୋକେ ସେମାନଙ୍କ ଅଞ୍ଚଳକୁ ତୁରନ୍ତ ଏହା ପଠାଇବାକୁ ଅନୁରୋଧ କରିବାରେ ଲାଗିଛନ୍ତି । ତେବେ କିଛି ଲୋକ ବିଏମ୍ସି ଡ୍ରୋନ ଦ୍ୱାରା ମଶା ନିୟନ୍ତ୍ରଣ ବୁଦ୍ଧି କେଉଁଠୁ ଆଣିଲା ବୋଲି ପ୍ରଶ୍ନ ବି କରିଛନ୍ତି ।
ଉଲ୍ଲେଖନୀୟ ଯେ ରାଜଧାନୀରେ ଏବେ ମଶା ଉତ୍ପାତରେ ଲୋକେ କଲବଲ ହେଉଥିବାବେଳେ ମଶା ନିୟନ୍ତ୍ରଣ ପାଇଁ ଯେଉଁ ମଶାଲାର୍ଭା ମରା ତେଲ ସିଞ୍ଚନ ହେଉଛି ଓ ମଶା ଘଉଡାଇବାପାଇଁ ଧୂଆଁ ଛଡା ଯାଉଛି ତାହା ସମୁଦ୍ରକୁ ଶଙ୍ଖେ ଭଳି । ସହରର କେତେକ ସ୍ଥାନରେ ଏବେ ମଶାଙ୍କ ସାନ୍ଧ୍ରତା ୧୦୦ ଟପି ଗଲାଣି । ଏଭଳି ସ୍ଥିତିରେ ରାଜଧାନୀବାସୀ ଏବେ ବିଏମ୍ସି ଉପରେ ରକ୍ତଚାଉଳ ଚୋବାଉଛନ୍ତି ।
ଲୋକଙ୍କ କ୍ରୋଧକୁ ଦେଖି ବିଏମ୍ସି ଏବେ ଡ୍ରୋନ ସାହାରା ନେଇଥିବାବେଳେ ତାହା ମଶା ନିୟନ୍ତ୍ରଣରେ କେତେଦୂର ସଫଳ ହେବା ତାହା ଉପରେ ରାଜଧାନୀବାସୀଙ୍କ ନଜର ।