Home Industry ଓଡିଶା ଏମଏସଏମଇକୁ ମିଳିଛି ୧୯,୪୬୦ କୋଟି

ଓଡିଶା ଏମଏସଏମଇକୁ ମିଳିଛି ୧୯,୪୬୦ କୋଟି

ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଭାରତ ସରକାର ଓଡିଶାର ଏମଏସଏମଇ କ୍ଷେତ୍ରକୁ ୧୯,୪୬୦.୫୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । କେନ୍ଦ୍ର ଏମ୍‍ଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା ସଂସଦରେ ଏହି ସୂଚନା ଦେଇ ଦର୍ଶାଇଛନ୍ତି ଯେ ଜରୁରୀ କାଳୀନ ଋଣ ଗ୍ୟାରେଣ୍ଟି ଯୋଜନା (ଇସିଇଏଲଜିଏସ୍‍)ରେ ରାଜ୍ୟର ୯.୨୪ଲକ୍ଷ ଏମଏସଏମଇକୁ ୫୩୫୩.୯୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଅନୁରୂପ ଭାବେ ୨୦୨୨ ନଭେମ୍ବର ୩୦ତାରିଖ ସୁଦ୍ଧା ଓଡିଶାର ୨.୬୦ଲକ୍ଷ ଏମ୍‍ଏସଏମଇ ଋଣ ଗ୍ୟାରେଣ୍ଟି ଯୋଜନା (ସିଜିଏସ୍‍)ରେ ୧୩,୨୪୯.୯୧ କୋଟି ଟଙ୍କା ପାଇଛନ୍ତି । ଏହାବାଦ୍‍ ପିଏମଇଜିପି ଯୋଜନାରେ ରାଜ୍ୟର ୩୩,୨୯୬ ଏମଏସଏମଇକୁ ୮୬୫.୬୭ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ପିଏମଇଜିପି ରେ ମହିଳାମାନଙ୍କୁ ମୋଟ ମାର୍ଜିନ ମନିର ୩୫ ରୁ ୪୦ ପ୍ରତିଶତ ସବସିଡ୍‍ ପ୍ରଦାନ କରାଯାଇଛି । ସିଜିଏସ୍‍ରେ ବି ମହିଳାମାନେ ଅତିରିକ୍ତ ୧୦ ପ୍ରତିଶତ ଗ୍ୟାରେଣ୍ଟି ଅର୍ଥ ପାଇଥିବାବେଳେ ଏ ବାବଦୀୟ ଫିରେ ୧୦ ପ୍ରତିଶତ ରିହାତି ପାଇଛନ୍ତି ।

ଆତ୍ମ ନିର୍ଭର ଭାରତ ଅଭିଯାନର ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ଏମଏସଏମଇ କ୍ଷେତ୍ରକୁ ଆର୍ଥିକ ସହାୟତା ଯୋଗାଇ ଦେଉଥିଲେ ଯାହା ଫଳରେ କୋଭିଡ ପରବର୍ତ୍ତୀ ସମୟରେ ଦେଖାଦେଇଥିବା ବିପତ୍ତିକୁ କିଛି ପରିମାଣରେ ମୁକାବିଲା କରାଯାଇ ପାରିଥିଲା । କେନ୍ଦ୍ର ନେଇଥିବା କେତେକ ପ୍ରମୁଖ ପଦକ୍ଷେପ ମଧ୍ୟରେ ବ୍ୟବସାୟ ପାଇଁ ୫ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ, ଏମ୍‍ଏସଏମଇ କ୍ଷେତ୍ରରୁ ୨୦୦ କୋଟି ଟଙ୍କାର ସାମଗ୍ରୀ ଖରିଦ ପାଇଁ ଆର୍ନ୍ତଜାତିକ ଟେଣ୍ଡର ନକରିବା, ଅଣଟିକସ ଲାଭ ବ୍ୟବସ୍ଥାକୁ ତିନି ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ ଆଦି ଅର୍ନ୍ତଭୁକ୍ତ ରହିଥିଲା ।

କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କୋଭିଡ ସମୟରେ ହୋଇଥିବା କ୍ଷତି ଭରଣା ପାଇଁ ଆତ୍ମ ନିର୍ଭର ଭାରତ ପ୍ୟାକେଜ ୩.୦ ଅଧିନରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ନିଯୁକ୍ତିଦାତାମାନଙ୍କ ସକାଶେ ପ୍ରଧାନ ମନ୍ତ୍ରୀ ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା (ପିଏମଏବିଆରୱାଇ) ଆରମ୍ଭ ହୋଇଥିଲା । ଏହି ଯୋଜନା ଇପିଏଫ୍‍ଓ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥିଲା ଯେଉଁଥିରେ ନିଯୁକ୍ତିଦାତାଙ୍କ ଉପର ଆର୍ଥିକ ଚାପ ହ୍ରାସ ସହିତ ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରୋତ୍ସାହିତ କରାଯାଇଥିଲା । ଚଳିତ ବର୍ଷ ନଭେମ୍ବର ୨୯ ତାରିଖ ସୁଦ୍ଧା ୧.୫୧ ଲକ୍ଷ ସଂସ୍ଥାର ୬୦.୧୨ ଲକ୍ଷ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯାଇଥିବାବେଳେ ପିଏମ୍‍ଏବିଆରୱାଇରେ ସମଗ୍ର ଦେଶରେ ୭୫୮୭.୮୨ କୋଟି ଟଙ୍କାର ଲାଭ ସୃଷ୍ଟି କରାଯାଇ ପାରିଛି । (ତଥ୍ୟ)