ଭୁବନେଶ୍ୱର : ୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢୀ କେନ୍ଦ୍ରୀୟ ଡେପୁଟେସନରୁ ଓଡିଶା ଫେରିବା ପରେ ତାଙ୍କୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଏଥି ସହିତ ଶ୍ରୀମତୀ ପାଢୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି ।
୧୯୯୫ ବ୍ୟାଚ୍ ଆଇଏଏସ୍ ହେମନ୍ତ ଶର୍ମାଙ୍କ ନିକଟରେ ପୂର୍ବରୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ରହିଥିଲା । ଉଷା ପାଢୀଙ୍କୁ ଏହି ଦାୟିତ୍ୱ ଦିଆଯିବା ପରେ ଶ୍ରୀ ଶର୍ମା ଏବେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସହିତ ଇପିକଲ ଓ ଇଡ୍କୋର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ।
ସେହିଭଳି ବାଣିଜ୍ୟ ଓ ପରିବହନ ବିଭାଗଟି ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁ ପଦ ସେଠୀଙ୍କ ନିକଟରେ ଥିଲା । ଶ୍ରୀମତୀ ପାଢୀଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ମିଳିବା ପରେ ଶ୍ରୀ ସେଠୀ ଏବେ କେବଳ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ ।