ଭୁବନେଶ୍ୱର : ଓଡିଶା ସରକାର ମାଗଣାରେ ଜମି ଯୋଗାଣ ପାଇଁ ରାଜି ହେବାପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ପକ୍ଷରୁ ନୂଆପଡା-ଗୁଣୁପୁର ରେଳ ଲାଇନ୍କୁ ଥେରୁବାଲି ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଅନୁମୋଦନ ମିଳିନାହିଁ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।
କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରେଳମନ୍ତ୍ରୀ କହିଛନ୍ତି ଯେ ୭୯.୧୫ କିଲୋମିଟର ଦୈର୍ଘ୍ୟ ଗୁଣୁପୁର-ଥେରୁବାଲି ପ୍ରକଳ୍ପକୁ ୨୦୧୭-୧୮ ବର୍ଷର ବଜେଟ୍ରେ ଆବଶ୍ୟକ ଅନୁମୋଦନ ମିଳିଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କୁ ୫୦ ପ୍ରତିଶତ ଖର୍ଚ୍ଚ ଏବଂ ମାଗଣା ଜମି ଯୋଗାଇଦେବାକୁ ଅନୁରୋଧ କରାଯାଇଥିଲା । ତେବେ ରାଜ୍ୟ ସରକାର କେବଳ ମାଗଣାରେ ଜମି ଯୋଗାଇଦେବାକୁ ରାଜି ହୋଇଥିଲେ ।
ଏହି ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ ସରିଛି । ତଦନୁଯାୟୀ ପ୍ରକଳ୍ପର ବ୍ୟୟଭାର ପ୍ରାୟ ୧୧୬୫.୮୯ କୋଟି ଟଙ୍କା ରହିଛି ଯେଉଁଥିରେ ଜମି ମୂଲ୍ୟ ସାମିଲ ନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପକୁ ମଞ୍ଜୁରୀ ମିଳିନଥିବାରୁ ଏହାର କାର୍ଯ୍ୟକ୍ଷମ ପାଇଁ ତାରିଖ ଧାର୍ଯ୍ୟ ହୋଇନାହିଁ ।
୪୧ କିଲୋମିଟର ଦୈର୍ଘ୍ୟ ଜୟପୁର-ନବରଙ୍ଗପୁର ରେଳଲାଇନ୍ ସଂକ୍ରାନ୍ତରେ ରେଳମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ଏବଂ ଏଥିପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇବା ସହିତ ନିର୍ମାଣର ୫୦ ପ୍ରତିଶତ ଅଂଶ ପ୍ରଦାନ କରିବେ । ଏହି ନୂତନ ରେଳଲାଇନ୍ ପ୍ରକଳ୍ପର ବ୍ୟୟଭାର ୭୪୮ କୋଟି ଟଙ୍କା ରହିଥିବାବେଳେ ୨୦୨୨-୨୩ ବଜେଟ୍ରେ ଏଥିପାଇଁ ୮୧ କୋଟି ଟଙ୍କାର ବରାଦ ହୋଇଛି । ଏଥିପାଇଁ ୩୧୩ ହେକ୍ଟର ଘରୋଇ ଜମି, ୩୬ ହେକ୍ଟର ସରକାରୀ ଜମି ଏବଂ ୩.୯୩ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ଆବଶ୍ୟକ ।
୧୩୦ କିଲୋମିଟର ଦୈର୍ଘ୍ୟ ଜୟପୁର-ମାଲକାନଗିରି ନୂତନ ରେଳ ପ୍ରକଳ୍ପ ସଂକ୍ରାନ୍ତରେ କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପଟି ଅନୁମୋଦନ ହୋଇଛି ଏବଂ ଏଥିରେ ରାଜ୍ୟ ସରକାର ୨୫ ପ୍ରତିଶତ ଅର୍ଥ ଯୋଗାଇବେ । ଏହି ପ୍ରକଳ୍ପର ବ୍ୟୟଭାର ୨୩୪୪ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ ବଜେଟ୍ରେ ଏଥିପାଇଁ ୧୩.୮୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।
ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୪୬୭ ହେକ୍ଟର ଘରୋଇ ଜମି, ୨୧୧ ହେକ୍ଟର ସରକାରୀ ଏବଂ ୪୬୯ ହେକ୍ଟର କିସମ ପରିବର୍ତ୍ତିତ ଜଙ୍ଗଲ ଜମି ଆବଶ୍ୟକ । ଜମି ଅଧିଗ୍ରହଣ କାର୍ଯ୍ୟ ହାତକୁ ନିଆଯାଇଛି । ଉପରୋକ୍ତ ଦୁଇଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ କରିଥିବା କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି । (ତଥ୍ୟ)