Home Agriculture ଟଙ୍କା ଶୀଘ୍ର ଖର୍ଚ୍ଚ କର

ଟଙ୍କା ଶୀଘ୍ର ଖର୍ଚ୍ଚ କର

ଭୁବନେଶ୍ୱର : କୃଷି ବିଭାଗର ବିଭିନ୍ନ ଯୋଜନାରେ ବ୍ୟୟବରାଦି ଅର୍ଥକୁ ଆର୍ଥିକ ବର୍ଷ ଶେଷ ପୂର୍ବରୁ ଠିକଣା ଭାବରେ ଖର୍ଚ୍ଚ କରି ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଯୋଜନାର ଅଗ୍ରଗତି ଏବଂ ବଜେଟ୍‌ରେ ହୋଇଥିବା ଅର୍ଥ ବ୍ୟବସ୍ଥାର ଖର୍ଚ୍ଚ ସଂପର୍କରେ ସମୀକ୍ଷା କରିବା ଅବସରରେ କହିଥିଲେ ଯେ ରାଜ୍ୟ ସରକାର କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରୁଥିବାବେଳେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟୟବରାଦି ଯେପରି ସଠିକ ଭାବେ ଓ ସମୟ ଅନୁସାରେ ଖର୍ଚ୍ଚ ହୋଇପାରିଲେ ଯୋଜନାର ଲକ୍ଷ୍ୟ ହାସଲ ହୋଇପାରିବ ।

ଏଥି ସହିତ ଚାଷୀମାନଙ୍କୁ ଆବଶ୍ୟକ ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ଆଦି ଠିକଣା ସମୟରେ ଯୋଗାଇଦେଇ କୃଷି ଉତ୍ପାଦନ ବୃଦ୍ଧି ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିବା ସହ ଅଧିକାରୀମାନେ କ୍ଷେତ୍ରସ୍ତରରେ ଅଧିକ ତତ୍ପର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ବିହନ, ସାର, କୀଟନାଶକ ଯୋଗାଣ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ସମନ୍ୱିତ କୃଷି ପଦ୍ଧତି (ବ୍ୟକ୍ତିଗତ ଓ ଗୋଷ୍ଠୀଗତ), କୃଷି ଯନ୍ତ୍ରପାତିର ବିକି୍ରବଟା, ଜଳନିଧି ଓ ସୌର ଜଳନିଧି, ଗଭୀର ନଳକୂପ ଖନନ ଇତ୍ୟାଦି ଯୋଜନାର ଆର୍ଥିକ ବ୍ୟୟବରାଦି ଓ ଅଦ୍ୟାବଧି ହୋଇଥିବା ଖର୍ଚ୍ଚର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା ।

ସମନ୍ୱିତ କୃଷି ମାଧ୍ୟମରେ କୃଷକମାନଙ୍କର ଆୟବୃଦ୍ଧି ହାସଲ ହୋଇପାରୁଥିବା ଦୃଷ୍ଟିରୁ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଏ ଦିଗରେ ଉତ୍ସାହିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜଳସେଚନ ନିମନ୍ତେ ଗଭୀର ନଳକୂପ ଖନନ, ଜଳନିଧି ଓ ସୌର ଜଳନିଧି ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଅଣଧାନ ଫସଲ, ଡାଲି, ତୈଳବୀଜ, କପା, ଝୋଟ ଏବଂ ଅନ୍ୟ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱ ଦେଇଥିଲେ ।

ବୈଠକରେ କୃଷି ଯନ୍ତ୍ରପାତିର ବ୍ୟବହାର ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀମାନଙ୍କୁ ଦିଆଯାଉଥିବା ସବ୍‌ସିଡି ଅର୍ଥର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିବା ସହିତ ବିଭିନ୍ନ ଯୋଜନାରେ ଚାଷୀମାନଙ୍କୁ ଦିଆଯାଉଥିବା ରିହାତି ଅର୍ଥ ତୁରନ୍ତ ଯେପରି ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚିପାରିବ ସେଥି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଫସଲର ବିବିଧିକରଣ, ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସମନ୍ୱିତ କୃଷି ଓ ମାଣ୍ଡିଆ ଚାଷର ପ୍ରସାର, ଭୂତଳ ଜଳ ଉତ୍ସର ସଦୁପଯୋଗ, ନିୟମିତ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା, କୃଷି ତଥ୍ୟର ଡିଜିଟାଇଜେସନ୍‌ ଆଦି ଉପରେ ବିସ୍ତୃତ ଭାବରେ ସମୀକ୍ଷା କରାଯାଇଥିଲା ।

ବୈଠକ ପ୍ରାରମ୍ଭରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ନିର୍ଦ୍ଦେଶାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଶ୍ରୀ ରାମଚନ୍ଦ୍ର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।