Home News in Odia ପଦମପୁର ଆସନ ସୁରକ୍ଷିତ ରଖିଲା ବିଜେଡି

ପଦମପୁର ଆସନ ସୁରକ୍ଷିତ ରଖିଲା ବିଜେଡି

ଭୁବନେଶ୍ୱର : ପଦମପୁର ଉପନିର୍ବାଚନରେ ବିଜେଡି ତାହାର ଆସନକୁ ସୁରକ୍ଷିତ ରଖିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୪୨ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ବର୍ଷା କେବଳ ଏଠାରୁ ପ୍ରଥମ ପଦାର୍ପଣରେ ବିଜୟୀ ହୋଇ ନାହାନ୍ତି ତାଙ୍କ ବାପାଙ୍କର ୨୦୧୯ ବିଜୟ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି । ଏପରିକି ସେ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ରୀତା ସାହୁ ଯେତିକି ଭୋଟ ପାଇଥିଲେ ତାହାଠାରୁ ମଧ୍ୟ ଅଧିକ ଭୋଟ ପାଇଛନ୍ତି ।

୨୦୧୯ରେ ପଦ୍ମପୁର ଆସନରୁ ଜିଣିଥିବା ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ବିୟୋଗ ପରେ ଏଠାରେ ଉପ ର୍ନିବାଚନ ଅନୁଷ୍ଠିତ ହୋଇଥିଲା । ବିଜେଡି ଏଠାରେ ବିଜୟ ରଞ୍ଜନଙ୍କ ବଡ ଝିଅ ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରିଥିଲା । ବର୍ଷା ହେଉଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂହଙ୍କ ବୋହୂ ।

ତେବେ ବର୍ଷା ବିଜେଡି ପ୍ରାର୍ଥୀ ହେବାପରେ ତାହାକୁ ନେଇ ରାଜନୀତି ଜୋର ଧରିଥିଲା । ପୁରୀ ଜିଲ୍ଲାର ବୋହୁ ବରଗଡ ଜିଲ୍ଲାରେ ପ୍ରାର୍ଥୀ ହେବା ନେଇ ବିଜେପି ପ୍ରଶ୍ନ କରିବା ସହିତ ଏହାକୁ ରାଜନୈତିକ ପ୍ରସଙ୍ଗ କରିଥିଲା । ସେହିଭଳି ବିଜେପି ମଧ୍ୟ ତାହାର ଚାରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ନରେନ୍ଦ୍ର ସିଂହ ତୋମାର ଓ ଅଶ୍ୱିନୀ ବୈଷ୍ଣବଙ୍କୁ ମଇଦାନକୁ ଓହ୍ଲାଇଥିଲା । ଏଥି ସହିତ ରାଜ୍ୟ ବିଜେପିର ବହୁ ସଂଖ୍ୟକ ବିଧାୟକ ଓ ସାଂସଦ ମଧ୍ୟ ପ୍ରଚାର କରିଥିଲେ ।

ବିଜେଡି ପ୍ରାର୍ଥୀନୀଙ୍କ ପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇଥିବାବେଳେ ଏକାଧିକ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଥିଲେ ।

ସେହିଭଳି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଦଳୀୟ ପ୍ରାର୍ଥୀ ହୋଇଥିବାରୁ ଭୋଟରମାନେ କାହା ସପକ୍ଷରେ ଅଧିକ ଭୋଟ ଦେବେ ତାହାକୁ ନେଇ ମୂଳରୁ ହିଁ ପ୍ରଶ୍ନବାଚୀ ଲାଗି ରହିଥିଲା ।

ତେବେ ସମସ୍ତ ପ୍ରକାର ଆଶା ଆଶଙ୍କାର ଅବସାନ ଘଟାଇ ବିଜେଡି ପ୍ରାର୍ଥୀ ବର୍ଷା ଆଜି ୧,୨୦,୮୦୭ ଖଣ୍ଡ ଭୋଟ ପାଇ ବଡ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୭୮,୧୨୮ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ସତ୍ୟଭୂଷଣ ମାତ୍ର ୩୫୯୪ ଖଣ୍ଡ ଭୋଟ ପାଇଛନ୍ତି । ତେବେ ବିଜେପି ପ୍ରାର୍ଥୀ ଶ୍ରୀ ପୁରୋହିତ ୨୦୧୯ ନିର୍ବାଚନରେ ଏଠାରୁ ୭୭,୫୬୫ ଖଣ୍ଡ ଭୋଟ ପାଇଥିବାବେଳେ ଏଥର ଉପନିର୍ବାଚନରେ ପ୍ରାୟ ସମାନ ଭୋଟ ପାଇଛନ୍ତି ।

ବର୍ଷା ବିଜୟୀ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହିତ ଟେଲିଫୋନ୍‍ କଥା ହୋଇ ବଧାଇ ଜଣାଇଛନ୍ତି ।