ଭୁବନେଶ୍ୱର : ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶକୁ ଉତ୍ସାହିତ ପାଇଁ ରାଜ୍ୟ ସରକାର ନିବେଶ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଘୋଷଣା କରିଛନ୍ତି । ମେକ ଇନ୍ ଓଡିଶା କନକ୍ଲେଭ ଅବସରରେ ଘୋଷଣା ହୋଇଥିବା ନୂତନ ପର୍ଯ୍ୟଟନ ନୀତି ୨୦୨୨ରେ ବିଭିନ୍ନ ବର୍ଗର ପର୍ଯ୍ୟଟନ ପ୍ରକଳ୍ପ ଲାଗି ଏହି ସବସିଡ୍ ଘୋଷଣା ହୋଇଛି ।
ନୂତନ ପର୍ଯ୍ୟଟନ ନୀତି ଅନୁଯାୟୀ ଦୁଃସାହସିକ ଏବଂ ଜଳ କ୍ରୀଡା କ୍ଷେତ୍ରରେ ଏକ କୋଟି ଟଙ୍କାରୁ ଅଧିକ ଅର୍ଥ ବିନିଯୋଗ ହେଲେ ସେଠାରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ମିଳିବ ଏବଂ ସବସିଡି ଅର୍ଥ ପରିମାଣ ସର୍ବାଧିକ ୫୦ଲକ୍ଷ ଟଙ୍କା ହେବ । ସେହିଭଳି ତମ୍ବୁଟଣା ରହଣୀ ବ୍ୟବସ୍ଥା ଥିବା ପର୍ଯ୍ୟଟନ ପ୍ରକଳ୍ପରେ ୨୦ଲକ୍ଷ ନିବେଶ ହେଲେ ପୁଞ୍ଜି ସବସିଡି ବାବଦରେ ୩୦ ପ୍ରତିଶତ ମିଳିବ ଏବଂ ଏହାର ସର୍ବାଧିକ ସୀମା ୧୫ଲକ୍ଷ ଟଙ୍କା ହେବ । ତେବେ ଏଭଳି ପ୍ରକଳ୍ପକୁ ସରକାରୀ ଅନୁମୋଦନପ୍ରାପ୍ତ ସଂସ୍ଥା ଲଗାତାର ଦୁଇବର୍ଷ ଧରି ତିନିମାସ ପାଇଁ ଚଳାଇଲେ ଏହି ସବସିଡି ପାଇପାରିବେ ।
ଅନୁରୂପ ଭାବେ ୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ଉପରେ ୩୦ ପ୍ରତିଶତ ସବସିଡି ଆକାରରେ ସର୍ବାଧିକ ୧୫ କୋଟି ଟଙ୍କା ମିଳିବ । ୫୦ କୋଟି ଟଙ୍କାରୁ ଅଧିକ ନିବେଶ ହେଉଥିବା ପ୍ରକଳ୍ପକୁ ୩୦ପ୍ରତିଶତ ସବସିଡି ମିଳିବ ଓ ଏହାର ସର୍ବାଧିକ ସୀମା ୨୦କୋଟି ଟଙ୍କା ରହିବ । ତେବେ ଏହି ନିବେଶ ସଂକ୍ରାନ୍ତରେ ସରକାରୀ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଆକଳନ କରିବେ ଏବଂ ଏହି ଆକଳନ ରିପୋର୍ଟ ପାଇବାପରେ ନିବେଶ ଉପରେ ସବସିଡି ଅର୍ଥ ପ୍ରଦାନ କରାଯିବ ।
ଚିଲିକା, କେବିକେ, କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ନୂତନ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଆଗ୍ରହୀ ନିବେଶକାରୀଙ୍କୁ ଅତିରିକ୍ତ ୫ ପ୍ରତିଶତ ସବସିଡି ପ୍ରଦାନ କରାଯିବ । ନୂଆ ପର୍ଯ୍ୟଟନ ପ୍ରକଳ୍ପ ଯାହାକି ମହିଳାଙ୍କ ଉଦ୍ୟୋଗୀଙ୍କ ଦ୍ୱାରା ପରିଚାଳିତ ହେଉଥିବ ଏବଂ ସେହି ମହିଳା ଅନୁସୂଚିତ ଜାତି କିମ୍ବା ଜନଜାତି ଅଥବା ଦିବ୍ୟାଙ୍ଗ ହୋଇଥିବେ ସେମାନଙ୍କୁ ଆଉ ଅଧିକ ୫ ପ୍ରତିଶତ ସବସିଡି ଅତିରିକ୍ତ ଭାବେ ମିଳିବ ।
ସେହିଭଳି ସୁଧ ସବସିଡି ବାବଦରେ ୫ ପ୍ରତିଶତ ଏବଂ ସର୍ବାଧିକ ୧ କୋଟି ଟଙ୍କା ପ୍ରଦାନ କରଯିବ । ତେବେ ଏହି ସବସିଡି ବ୍ୟବସାୟ ଭିତ୍ତିରେ କାର୍ଯ୍ୟାରମ୍ଭ କରିବାର ବର୍ଷକ ପରେ ପ୍ରକଳ୍ପଗୁଡିକ ପାଇବେ ଏବଂ ସର୍ବାଧିକ ୫ ବର୍ଷପାଇଁ ଏହା ମିଳିବ । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଇଡକୋ ଜରିଆରେ ଯୋଗାଇ ଦିଆଯିବ । ସେହିଭଳି ନୂତନ ପର୍ଯ୍ୟଟନ ପ୍ରକଳ୍ପଗୁଡିକୁ ଜମି ଖରିଦ ଉପରେ ଶତ ପ୍ରତିଶତ ଷ୍ଟାମ୍ପଡ୍ୟୁଟି ଛାଡ କରାଯିବ । ତେବେ ଏହି ଛାଡ ବ୍ୟବସାୟିକ ଭିତ୍ତିରେ ପ୍ରକଳ୍ପ ଚାଲିଲା ପରେ ଭରଣା ହେବ ।
ସେହିଭଳି ରାଜ୍ୟ ସରକାର ନୂତନ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଜମିର କିସମ ପରିବର୍ତ୍ତନ କ୍ଷେତ୍ରରେ ଶତ ପ୍ରତିଶତ ଫି ଛାଡ କରିବେ । ଏହି ଛାଡ ଅର୍ଥ ମଧ୍ୟ ବ୍ୟବସାୟିକ ଭିତ୍ତିରେ ପ୍ରକଳ୍ପ ଚାଲିଲା ପରେ ମିଳିପାରିବ । ନୂତନ ପର୍ଯ୍ୟଟନ ପ୍ରକଳ୍ପ ଯେଉଁଗୁଡିକର କି ୫ଏମଭିଏ ବିଦ୍ୟୁତ୍ ଆବଶ୍ୟକ ସେମାନଙ୍କୁ ୫ବର୍ଷ ପାଇଁ ବିଦ୍ୟୁତ୍ ଡ୍ୟୁଟି ଛାଡ କରାଯିବା । ପ୍ରକଳ୍ପ ଆରମ୍ଭ ହେବାପରେ ନିବେଶକାରୀମାନେ ଏହି ଲାଭ ପାଇବେ । ଯେଉଁ ପ୍ରକଳ୍ପରେ ଅକ୍ଷୟଶକ୍ତି ବ୍ୟବହାର ହେବ ସେଠାରେ ପ୍ରକଳ୍ପର ୫୦ ପ୍ରତିଶତ ପ୍ରଦାନ କରାଯିବ । ପରିବେଶର ସୁରକ୍ଷା ପାଇଁ ରାଜ୍ୟ ସରକାର ନିବେଶ ପୁଞ୍ଜିର ୨୦ ପ୍ରତିଶତ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପାଇଁ ପ୍ରଦାନ କରିବେ ଏବଂ ଏହାର ସର୍ବୋଚ୍ଚ ସୀମା ୨୦ଲକ୍ଷ ଟଙ୍କା ହେବ । ପ୍ରକଳ୍ପ ବ୍ୟବସାୟିକ ଭିତ୍ତିରେ ଚାଲିବା ପରେ ହିଁ ଏହି ରିହାତି ମିଳିବ । ପର୍ଯ୍ୟଟନ ପ୍ରକଳ୍ପରେ ନିଯୁକ୍ତି ପାଇବାକୁ ଥିବା ଲୋକଙ୍କ ତାଲିମ ବାବଦରେ ମୁଣ୍ଡପିଛା ୨୦୦୦ ଟଙ୍କା କରି ତିନି ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ । (ତଥ୍ୟ)