ଭୁବନେଶ୍ୱର : ରାଜ୍ୟ ସରକାର ଧାର୍ଯ୍ୟ ସମୟରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା କରିନପାରିବାରୁ ୫୮୨ କୋଟି ଟଙ୍କା ଖର୍ଚ୍ଚ ନହୋଇ ରହିଗଲା । ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) ତାଙ୍କର ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି ।
ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାର ସମୀକ୍ଷା କରି ସିଏଜି ଦର୍ଶାଇଛନ୍ତି ଯେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ୪ଟି ମହାନଗର ନିଗମ ଓ ଦୁଇଟି ପୌର ସଂସ୍ଥାରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍ଟିପି) ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ । ଏହା ୨୦୦୬ ରୁ ୨୦୨୦ ମଧ୍ୟରେ ଏହି ନିଷ୍ପତ୍ତି ହୋଇଥିଲା ।
ତଦନୁଯାୟୀ ୨୦୦୭ ରୁ ୨୦୨୧ ମଧ୍ୟରେ ଏହାର ନିର୍ମାଣ ହେବାକଥା । ହେଲେ ପରିଲକ୍ଷିତ ହୋଇଛି ଯେ ଫେବୃୟାରୀ ୨୦୧୮ ରୁ ୨୦୨୧ ଶେଷ ସୁଦ୍ଧା ମୋଟ ୫ଟି ଏସ୍ଟିପିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ଏଥି ମଧ୍ୟରେ ପୁରୀରେ ଦୁଇଟି, କଟକରେ ଗୋଟିଏ ଏବଂ ତାଳଚେରରେ ଦୁଇଟି ରହିଛି । ଅନ୍ୟ ୭ଟି ଏସ୍ଟିପିର ନିର୍ମାଣ କାର୍ଯ୍ୟ ୨୦୨୧ ମାର୍ଚ୍ଚ ସୁଦ୍ଧା ଜାରି ରହିଥିଲା ।
ସିଏଜି ଦର୍ଶାଇଛନ୍ତି ଯେ ମାର୍ଚ୍ଚ ୨୦୨୧ ସୁଦ୍ଧା ୧୩୦୮ କିଲୋମିଟର ସ୍ୱରେଜ ଲାଇନ୍ ମଧ୍ୟରୁ ମାତ୍ର ୯୦୫ କିଲୋମିଟର ସମ୍ପୂର୍ଣ୍ଣ ହୋଇଥିଲା । ଫଳରେ ୪,୫୪,୧୩୩ ପରିବାରକୁ ସ୍ୱରେଜ ସଂଯୋଗ ପାଇଁ ଯେଉଁ ଲକ୍ଷ୍ୟ ଥିଲା ତାହା ବଦଳରେ ମାତ୍ର ୬୪,୨୨୨ ପରିବାରକୁ ଏହି ସଂଯୋଗ ମିଳିଥିଲା ।
ଏସ୍ଟିପି ଓ ସ୍ୱରେଜ ଲାଇନ୍ ନିର୍ମାଣ କ୍ଷେତ୍ରରେ ୱାଟକୋ ଏବଂ ଓଡବ୍ଲ୍ୟୁଏସ ଆଣ୍ଡ ଏସ୍ବିର ମନ୍ଥରତାକୁ ସିଏଜି ଦର୍ଶାଇବା ସହିତ ଏହି ଦୁଇ ସଂସ୍ଥା ଧାର୍ଯ୍ୟ ସମୟରେ ପାଣ୍ଠି ବ୍ୟବହାର କରିନପାରିବାରୁ ୨୦୨୧ଅଗଷ୍ଟ ସୁଦ୍ଧା ୫୮୨ କୋଟି ଟଙ୍କା ବଳି ପଡିଥିଲା । ସିଏଜି ପୁଣି ଉଲ୍ଲେଖ କରିଛନ୍ତି ଯେ ଏସ୍ଟିପି ନିର୍ମାଣ ହୋଇନପାରିରୁ ଘର ଗୁଡିକରୁ ବାହାରୁଥିବା ବର୍ଜ୍ୟଜଳ ନିକଟସ୍ଥ ଜଳରାଶିରେ ମିଶି ପରିବେଶକୁ ପ୍ରଦୂଷିତ କରିଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ତାଙ୍କର ବାର୍ଷିକ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି ।
ସିଏଜି ଅଡିଟ୍ରେ ଏହା ଦର୍ଶାଇବା ପରେ ଉଭୟ ୱାଟ୍କୋର ନିର୍ଦ୍ଦେଶକ ଏବଂ ଓଡବ୍ଲ୍ୟୁଏସ୍ ଆଣ୍ଡ ଏସବିର ପ୍ରକଳ୍ପ ଯନ୍ତ୍ରୀ ଦର୍ଶାଇଥିଲେ ଯେ କୋଭିଡ ମହାମାରୀ ଜନିତ ଜାରି କର୍ଫ୍ୟୁ, ଲକଡାଉନ୍, ଫାଇଲିନ୍,ହୁଡ୍ହୁଡ୍ ଭଳି ବାତ୍ୟା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଛି । ତେବେ ଏଭଳି ଯୁକ୍ତିକୁ ସିଏଜି ଅଗ୍ରାହ୍ୟ କରିବା ସହିତ ସମସ୍ତ ପ୍ରକଳ୍ପ ୨୦୦୬ରୁ ଆରମ୍ଭ ହୋଇଥିବାରୁ ଏଭଳି ଯୁକ୍ତି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । (ତଥ୍ୟ)