Home Energy ୧୩ହଜାର ପଡା ଗାଁରେ ବିଜୁଳି ଅପହଞ୍ଚ

୧୩ହଜାର ପଡା ଗାଁରେ ବିଜୁଳି ଅପହଞ୍ଚ

ଭୁବନେଶ୍ୱର : ରାଜ୍ୟର ୧୩ହଜାରରୁ ଅଧିକ ପଡା ଗ୍ରାମକୁ ଏବେ ବି ବିଜୁଳି ଅପହଞ୍ଚ । ଆସନ୍ତା ବର୍ଷ ଜୁନ୍‍ ସୁଦ୍ଧା ଏହିସବୁ ପଡାଗ୍ରାମର ଲୋକଙ୍କୁ ବିଜୁଳି ଯୋଗାଇବାର ଲକ୍ଷ୍ୟ ରହିଥିବା ଶକ୍ତି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବିଧାନସଭାରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ ରାଜ୍ୟର ସମସ୍ତ ରାଜସ୍ୱ ଗ୍ରାମକୁ ବିଜୁଳି ସଂଯୋଗ ହୋଇ ସାରିଛି । ବଳକା ଥିବା ୧୩,୪୦୦ ଗ୍ରାମକୁ ୨୦୨୩ ଜୁନ୍‍ ସୁଦ୍ଧା ବିଦ୍ୟୁତ୍‍କରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ।

ବିଦ୍ୟୁତ୍‍କରଣ ହୋଇନଥିବା ପଡାଗ୍ରାମଗୁଡିକ ମଧ୍ୟରେ ଟିପିସିଓଡିଏଲ୍‍ର ୬୪୮୬ ପଡାଗ୍ରାମ ରହିଛି । ଏଥି ମଧ୍ୟରେ କଟକ ଜିଲ୍ଲାରେ ସର୍ବାଧିକ ୧୫୨୫ ପଡାଗ୍ରାମ ଥିବାବେଳେ ଅନୁଗୁଳରେ ୯୫୧, ଢେଙ୍କାନାଳରେ ୮୩୧, ଜଗତ୍‍ସିଂହପୁରରେ ୨୮୦, କେନ୍ଦ୍ରାପଡାରେ ୭୭୮, ଖୋରଧାରେ ୪୭୪, ନୟାଗଡରେ ୮୪୪, ପୁରୀରେ ୬୬୪ ଏବଂ ଯାଜପୁରରେ ୧୩୯ଟି ଗ୍ରାମ ରହିଛି ।

ସେହିଭଳି ଟିପିଏନ୍‍ଓଡିଏଲ୍‍ ଇଲାକାରେ ଥିବା ୪୭୪୦ଟି ପଡାଗ୍ରାମକୁ ବିଜୁଳି ପହଞ୍ଚି ପାରିନାହିଁ । ଏଥି ମଧ୍ୟରେ ବାଲେଶ୍ୱରରେ ୧୦୬୧, ଭଦ୍ରକରେ ୫୨୦, ଯାଜପୁରରେ ୯୫, କେନ୍ଦୁଝରରେ ୫୦୩ ଓ ମୟୁରଭଞ୍ଜରେ ୨୫୬୧ଟି ପଡାଗ୍ରାମ ରହିଛି । ଅନୁରୂପ ଭାବେ ଟିପିଡବ୍ଲ୍ୟୁଓଡିଏଲ୍‍ ଇଲାକାରେ ୩୮୮ଟି ପଡାଗ୍ରାମ ବିଜୁଳି ଠାରୁ ଦୂରରେ । ଏଠାରେ ଥିବା ୯ଟି ଜିଲ୍ଲା ମଧ୍ୟରୁ ସୁନ୍ଦରଗଡରେ ସର୍ବାଧିକ ୮୦ଟି ଗ୍ରାମ ରହିଛି । ତେବେ ସମସ୍ତ ୯ଟି ଜିଲ୍ଲାରେ ବିଦ୍ୟୁତ ଅପହଞ୍ଚ ପଡାଗ୍ରାମ ସଂଖ୍ୟା ଦୁଇ ଅଙ୍କରେ ସୀମିତ ଅଛି ।

ସେହିଭଳି ଟିପିଏସ୍‍ଓଡିଏଲ୍‍ ଅଧିନରେ ଥିବା ୯ଟି ଜିଳ୍ଲାରେ ୧୭୮୬ ପଡାଗ୍ରାମରେ ବିଜୁଳି ପହଞ୍ଚି ପାରିନାହିଁ । ଏହିସବୁ ଜିଲ୍ଲା ମଧ୍ୟରୁ ବୌଦ୍ଦରେ ସର୍ବାଧିକ ୩୪୮ଟି ପଡାଗ୍ରାମ ଥିବାବେଳେ ନବରଙ୍ଗପୁରରେ ୩୨୮, ରାୟଗଡାରେ ୨୭୭ ଓ ପୁରୀ କୃଷ୍ଣ ପ୍ରସାଦ ବ୍ଲକରେ ୧୦ଟି ପଡାଗ୍ରାମ ରହିଛି ।

ସେହିଭଳି ଶ୍ରୀମତୀ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ନ୍ତ୍ରୀ କହିଛନ୍ତି ଯେ ସୁନ୍ଦରଗଡ ଜିଲ୍ଲାର ୧୭ଟି ବ୍ଲକରେ ୮୦ଟି ପଡାଗ୍ରାମରେ ବିଜୁଳି ପହଞ୍ଚି ପାରିନାହିଁ । ଏଥି ମଧ୍ୟରୁ ଲହୁଣିପଡା ବ୍ଲକରେ ସର୍ବାଧିକ ୮ଟି, ହେମଗିରି ଓ ନୂଆଗାଁ ବ୍ଲକରେ ୭ଟି କରି ପଡାଗ୍ରାମ ଥିବାବେଳେ ବାଲିଶଙ୍କରା ଓ ଲେଫ୍ରିପଡାରେ ୬ଟି କରି ଏବଂ ବାରଗାଁ, ସୁନ୍ଦରଗଡ ବ୍ଲକରେ ୫ଟି କରି ଗ୍ରାମ ରହିଛି । ଏହିସବୁ ପଡାଗ୍ରାମକୁ ୨୦୨୩ ଜୁନ୍‍ ସୁଦ୍ଧା ବିଜୁଳି ପହଞ୍ଚି ପାରିବ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)