ଭୁବନେଶ୍ୱର : କୌଣସି ମହିଳା ଯଦି ଏକରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠିରେ ଥିବାର ସୂଚନା ମିଳିବ ତେବେ ତାଙ୍କ ବିରୁଦ୍ଧରେ ଆଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏବେ ୬,୦୨,୦୧୩ଟି ସ୍ୱୟଂ ସହାୟିକା ଗୋଷ୍ଠି ରହିଛି । ଏଥିରେ ୭୦ଲକ୍ଷ ୧୦ ଜଣ ମହିଳା ସଦସ୍ୟ ସଦସ୍ୟା ରହିଛନ୍ତି । ତେବେ କୌଣସି ମହିଳା ଏକାଧିକ ଗୋଷ୍ଠିରେ ଥିବା ସୂଚନା ମିଳିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଧିକ ୪୧,୨୦୧ ଟି ସ୍ୱୟଂ ସହାୟିକା ଗୋଷ୍ଠି ଗଞ୍ଜାମ ଜିଲ୍ଲାରେ ରହିଛି । ଏଠାରେ ବି ସର୍ବାଧିକ ୪,୨୮,୮୫୯ ଜଣ ମହିଳା ସଦସ୍ୟା ରହିଛନ୍ତି । ଏହା ପଛକୁ ମୟୁରଭଞ୍ଜ ଜିଲ୍ଲାରେ ୩୯,୧୮୪ ଟି ଗୋଷ୍ଠି ଥିବାବେଳେ କଟକ ଜିଲ୍ଲାରେ ତୃତୀୟ ସର୍ବାଧିକ ୩୨,୬୪୧ ଗୋଷ୍ଠି ରହିଛି । ସେହିଭଳି ପୁରୀ ଜିଲ୍ଲାରେ ୩୧,୦୮୮, ସୁନ୍ଦରଗଡରେ ୨୭,୬୮୭, କେନ୍ଦୁଝରରେ ୨୬,୨୪୦ଟି ଗୋଷ୍ଠି ରହିଛି । ସବୁଠାରୁ କମ୍ ମାତ୍ର ୫୫୧୮ ସ୍ୱୟଂ ସହାୟିକା ଗୋଷ୍ଠି ବୌଦରେ ଥିବାବେଳେ ଏଠାରେ ମହିଳା ସଦସ୍ୟାଙ୍କ ସଂଖ୍ୟା ୫୭,୯୩୨ ରହିଛି । (ତଥ୍ୟ)