Home General ଶିଶୁଙ୍କ ସୁରକ୍ଷା ହେଉଛି ବଡମାନଙ୍କର ଦାୟିତ୍ୱ

ଶିଶୁଙ୍କ ସୁରକ୍ଷା ହେଉଛି ବଡମାନଙ୍କର ଦାୟିତ୍ୱ

ଭୁବନେଶ୍ୱର : ଶିଶୁମାନଙ୍କ ସୁରକ୍ଷା ହେଉଛି ବଡମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଶିଶୁମାନଙ୍କ ଉପରେ ହେଉଥିବା ଯୌନ ଶୋଷଣ ଓ ନିର୍ଯ୍ୟାତନାରୁ ସୁରକ୍ଷା ଦେବା ଏବଂ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ବଡମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହିଛନ୍ତି ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ଶ୍ରୀମତୀ ସଞ୍ଜୁ ପଣ୍ଡା ।

ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ୍‍ ଫର ଏନଣ୍ଡିଂ ଭାଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନଏସିଜି ଇଭାକ୍‍ ଇଣ୍ଡିଆ) ଆନୁକୂଲ୍ୟରେ ପିକକ ପକ୍ଷରୁ ଓ ୱାର୍ଲଡ ଭିଜନ ଇଣ୍ଡିଆ, ୱାର୍ଲଭ ଭିଜନ ଜର୍ମାନୀ, ବିଏମଜେଡ୍‍ ଜର୍ମାନୀ ସହଯୋଗରେ ତଥା ଆଭାସ, ଏଡିଏଫ୍‍, ଆଦର୍ଶ, ଏଭି ବାଲିଗା ଟ୍ରଷ୍ଟ, ଏକତା, ହେଲ୍ପ, ଏମଆଇଏଚୱାଇ, ଓପନ ଲର୍ଣ୍ଣିଂ ସିଷ୍ଟମ, ଆରଏଆରଇ, ସାହାରା, ସେଲ୍ଟର, ଏସଆଇପିଡି ଏବଂ ଭାଇ ସହ ମିଳିତ ଭାବରେ ଆୟୋଜିତ ‘ଶିଶୁ ଯୌନ ଶୋଷଣ ଓ ନିର୍ଯ୍ୟାତନା ବିଲୋପ’ ଶୀର୍ଷକ ଏହି ଜାତୀୟ କର୍ମଶାଳାକୁ ଉଦଘାଟନ କରିବା ଅବସରରେ ଶ୍ରୀମତୀ ପଣ୍ଡା କହିଛନ୍ତି ଯେ ଶିଶୁମାନଙ୍କୁ ସୁରକ୍ଷା ଦେବା ହେଉଛି ବଡମାନଙ୍କର ଦାୟିତ୍ୱ ।

ସେମାନେ ସୁରକ୍ଷିତ ରହିଲେ ଏକ ସୁନାଗରିକ ହୋଇ ଠିଆହୋଇ ପାରିବେ । ସେ କହିଛନ୍ତି ଯେ କଠିନ ପରିଶ୍ରମର ଆଦୌ ବିକଳ୍ପ ନାହିଁ । ଏହାଦ୍ୱାରା ସଫଳତା ମିଳିଥାଏ । ପିଲାମାନେ ହେଉଛନ୍ତି ଶକ୍ତିର ଉତ୍ସ । ସେମାନେ ବିଭିନ୍ନ ଆହ୍ୱାନକୁ ଭୟଭୀତ ନହୋଇ ସାମ୍ନା କରିବା ଉଚିତ୍‍ ଏବଂ ପିତାମାତାମାନେ ସେମାନଙ୍କୁ ଏ କ୍ଷେତ୍ରରେ ସହଯୋଗ ଯୋଗାଇଦେବା ଆବଶ୍ୟକ ।

ଏନଏସିଜି ଇଭାକ ଇଣ୍ଡିଆର ଜାତୀୟ ଅଧ୍ୟକ୍ଷ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇ ଦିନିଆ କର୍ମଶାଳାର ଉଦ୍‍ଘାଟନୀ ପର୍ବରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର କହିଥିଲେ ଯେ ଧିରେ ଧିରେ ପିଲାମାନଙ୍କ ଉପରେ ନିର୍ଯ୍ୟତନା ବଢିବାରେ ଲାଗିଛି । ଘରଠୁ ସହର ସବୁଠି ସେମାନେ ନିର୍ଯ୍ୟାତିତ ହେଉଛନ୍ତି । ଏହାକୁ ବିଲୋପ କରିବାର ସମୟ ଆସିଛି । ନିଜେ ପୀଡିତ ଏହା ବିରୁଦ୍ଧରେ ସ୍ୱର ଉଠାଇବା ସହ ସମାଜର ସବୁ ବର୍ଗରୁ ପ୍ରତିବାର ସ୍ୱର ଉଠିବା ଦରକାର । ଏହି ପରିପ୍ରେକ୍ଷୀରେ ସେ ରାଜ୍ୟ ସରକାର ପିଲାମାନଙ୍କ ସୁରକ୍ଷା ଓ ସୁରକ୍ଷିତ ଭବିଷ୍ୟତ ପାଇଁ ନେଇଥିବା ପଦକ୍ଷେପ ସଂକ୍ରାନ୍ତରେ ଅବତାରଣା କରିଥିଲେ ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଲଡ ଭିଜନର ଆଡଭୋକାସୀ ମୁଖ୍ୟ ମିଖାଇଲ ପ୍ରଧାନ, ଏନଏସଜି ଇଭାକ ଇଣ୍ଡିଆର ଉତ୍ତରାଖଣ୍ଡ ମୁଖ୍ୟ ଆଦିତ କାଉର, ଓଡିଶା ଆବାହକ ପ୍ରକାଶ ରଥ ପ୍ରମୁଖ ପିଲାଙ୍କ ଉପରେ ହେଉଥିବା ନିର୍ଯ୍ୟତନାର ବିଲୋପ ସକାଶେ ସବୁ ସ୍ତରରୁ ଉଦ୍ୟମ ଆବଶ୍ୟକ ବୋଲି କହିଥିଲେ ।

ଏହି ଅବସରରେ ଶିଶୁ ପ୍ରତିନିଧି ଜୀଭା, ଦିବ୍ୟା, ଅସଲାମ, ଆର୍ଯ୍ୟନ ଏବଂ ସୌମ୍ୟା, ପ୍ରିୟରଞ୍ଜନ, ଇପ୍ସିତା ପ୍ରମୁଖ ଶିଶୁ ଯୌନ ଶୋଷଣର ବିଲୋପ ପାଇଁ ସମ୍ମିଳିତ ଆଲୋଚନାରୁ ବାହାରିଥିବା ସୁପାରିଶ୍‍ଗୁଡିକୁ ଉପସ୍ଥାପନ କରିଥିଲେ । ଏନଏସଜି ଇଭାକ ଇଣ୍ଡିଆର କୋଷାଧ୍ୟକ୍ଷ ସଞ୍ଜୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡିଶାର ମିଲୋନି ମିଶ୍ରଙ୍କ ସଂଯୋଜନାରେ ପିଲାମାନଙ୍କର ଏକ ଗୋଷ୍ଠିଗତ ଆଲୋଚନା ଅନୁଷ୍ଠିତ ହୋଇଥିଲା ।

ଆୟୋଜିତ କର୍ମଶାଳାରେ ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେବା ସହ ଶିଶୁ ଯୌନ ଶୋଷଣ ରୋକିବା ସକାଶେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଶାସକ ଦିଲ୍ଲୀପ ରାଉତରାୟ, ରାଜ୍ୟ ଗୃହ ବିଭାଗର ମହିଳା ଶିଶୁ ହିଂସା ବିରୋଧି ଶାଖାର ଶ୍ରୀମତୀ ଇମାନ କଲ୍ୟାଣ ନାୟକ, ଦିଲ୍ଲୀ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ଉପନିର୍ଦ୍ଦେଶିକା ଯୋଗୀତା ଗୁପ୍ତା, ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୀତିକାନ୍ତ ପଣ୍ଡା ପ୍ରମୁଖ କର୍ମଶାଳାରେ ସେମାନଙ୍କର ମତ ରଖିଥିଲେ ।