Home General ଗଡିବ ଜଗନ୍ନାଥ ସର୍କିଟ୍‌ ଟ୍ରେନ

ଗଡିବ ଜଗନ୍ନାଥ ସର୍କିଟ୍‌ ଟ୍ରେନ

ଭୁବନେଶ୍ୱର : ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ ବୋଲି ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୂଚନା ଦେଇଛନ୍ତି |  ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି |

ଯେହେତୁ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତି ପାଇଁ ପ୍ରାଥମିକତା ଦିଆଯାଉଛି ସେଥିପାଇଁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଥିପ୍ରତି ପ୍ରାଥମିକତା ଦେଇ ଚାଲୁରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ବିଶେଷ ଧ୍ୟାନ ଦିଆଯିବ ଦରକାର ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ | ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ସହିତ ନିରନ୍ତର ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାକୁ ସେ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି |

ପରେ ଶ୍ରୀ ବୈଷ୍ଣବ ଓଡ଼ିଶା ନିର୍ମାଣ କନକ୍ଲେଭ -2022 ରେ ଅଂଶଗ୍ରହଣ କରିଥିଲେ ଏବଂ ରେଳବାଇରେ ଏକାଧିକ ରୂପାନ୍ତରଣ, ନୂତନ ଉଦ୍ଭାବନ, ପ୍ରକଳ୍ପର ଶୀଘ୍ର ସମାପ୍ତି, ବନ୍ଦର ସଂଯୋଗ ଇତ୍ୟାଦି ସହିତ ଭାରତୀୟ ରେଳବାଇରେ ପରିବର୍ତ୍ତନ ବିଷୟରେ ସୂଚନା ଦେଇଥିଲେ |

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ 2014 ପୂର୍ବରୁ ଓଡିଶାକୁ କେବଳ ୮୩୦ କୋଟି ବଜେଟ୍ ଆବଣ୍ଟନ ମିଳୁଥିଲା | ଚଳିତ ବର୍ଷ ଓଡିଶା ପ୍ରାୟ 10 ହଜାର କୋଟି ବଜେଟ୍ ଆବଣ୍ଟନ ପାଇଛି, ଯାହା ଆଶା ଠାରୁ ବହୁତ ଅଧିକ | ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ 2014 ପୂର୍ବରୁ ରାଜ୍ୟରେ ମାତ୍ର 20 ରୁ 25 କିଲୋମିଟର ରେଳ ଲାଇନର ବିକାଶ କରାଯାଉଥିଲା | ଗତ ବର୍ଷ ରାଜ୍ୟରେ ପ୍ରାୟ 180 କିଲୋମିଟର ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ଏବଂ ଚଳିତ ବର୍ଷ ପ୍ରାୟ 550 କିଲୋମିଟର ରେଳ ଲାଇନ ବିକଶିତ କରାଯିବ | ଏହା ରେଳ ବିକାଶ କ୍ଷେତ୍ରରେ ଓଡିଶାର ବୃହତ ପରିବର୍ତ୍ତନକୁ ସୂଚିତ କରେ |

ଶ୍ରୀ ବୈଷ୍ଣବ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ 28 ଟି ଷ୍ଟେସନ୍କୁ ବିଶ୍ୱସ୍ତରୀୟ ଢାଞ୍ଚାରେ ନିର୍ମାଣ କରିବାକୁ ଯୋଜନା କରାଯାଇଛି, ଯେଉଁଠାରେ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ କାର୍ଯ୍ୟ ଚାଲିଛି | ଖୁବ ଶୀଘ୍ର ଓଡିଶାକୁ ବନ୍ଦେ ଭାରତ ଏକ୍ସପ୍ରେସ ମିଳିବ ବୋଲି ସେ ସୂଚନା ଦେଇଛନ୍ତି | ଏହା ବ୍ୟତୀତ ଖୁବ୍ ଶୀଘ୍ର ରାଜ୍ୟରେ 5G କନେକ୍ଟିଭିଟି ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି |