ଭୁବନେଶ୍ୱର : ଓଡିଶା ରାଜ୍ୟ ସଂଗ୍ରହାଳୟରେ ସ୍ୱାଧୀନତା ସଂଗ୍ରାମରେ ଓଡିଶା ଏବଂ ଓଡିଶାରେ ଗାନ୍ଧୀଜୀ ନାମରେ ଦୁଇଟି ଗ୍ୟାଲେରୀ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ପରିମାଣର ଅର୍ଥ ମଞ୍ଜୁର କରିଥିବା ସତ୍ୱେ ଏହି ଗ୍ୟାଲେରୀ ଦୁଇଟିର କାମ ସରୁନାହିଁ କିମ୍ବା ତାହା ଲୋକାର୍ପିତ ହୋଇପାରୁ ନାହିଁ । ଏଥିଘେନି ବିିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏହି ଦୁଇଟି ଗ୍ୟାଲେରିର ପରିକଳ୍ପନା କରାଯାଇଥିଲା । ଏଥିଲାଗି ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ମଧ୍ୟ ବଜେଟ୍ରେ ଅର୍ଥ ପ୍ରଦାନ କରାଯାଇଥିଲା । ଏହି ଗ୍ୟାଲେରୀ ଦୁଇଟି ଲାଗି ରାଜ୍ୟ ସଂଗ୍ରହାଳୟ ପରିସରରେ ଦୁଇଟି ବିସ୍ତୃତ କକ୍ଷ ଯୋଗାଇ ଦିଆଯାଇଛି । ବର୍ଷ ବର୍ଷ ଧରି ଏହାର କାମ ଚାଲିଥିଲେ ମଧ୍ୟ ତାହା ତ୍ରୁଟିଶୂନ୍ୟ ହେଉନଥିବାରୁ କାହା ମନକୁ ଯାଉନାହିଁ ।
ଗ୍ୟାଲେରୀ ମଧ୍ୟରେ ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ଡକ୍ଟର ହରେକୃଷ୍ଣ ମହତାବ ଆଦିଙ୍କର ଯେଉଁ ମୂର୍ତ୍ତି ସ୍ଥାପନ ପାଇଁ ବିଶେଷଜ୍ଞ କମିଟିଙ୍କ ପରାମର୍ଶ କ୍ରମେ ବ୍ୟବସ୍ଥା ହୋଇଛି ସେହି ପ୍ରତିମୂର୍ତ୍ତିଗୁଡିକ କାହା ମନକୁ ପାଉନାହିଁ । ଏମିତିକି ବିଭାଗ ଦାୟିତ୍ୱରେ ଥିବା ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗ୍ୟାଲେରୀ ଦୁଇଟି ବୁଲି ଦେଖିବାପରେ ଏଥିଘେନି ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଓଡିଶାରେ ଗାନ୍ଧୀଜୀ ଗ୍ୟାଲେରୀରେ ମଧ୍ୟ ଅନେକ ପ୍ରତିଛବିରେ ବ୍ୟାପକ ତ୍ରୁଟିବିଚ୍ୟୁତି ଥିବା ସତ୍ୱେ ସେଗୁଡିକର ଯେଭଳି ସଂଶୋଧନ କରାଯିବା କଥା ତାହା ଏଯାବତ୍ ହୋଇପାରୁ ନାହିଁ । ବାଜି ରାଉତଙ୍କ ବଳିଦାନ ଠାରୁ ଆରମ୍ଭ କରି ଆମ୍କୋ ସିମ୍କୋ, ଇରମ୍, ପାପଡାହାଣ୍ଡି, ମାଥିଲି, ଲୁଣିଆ, ତୂରୀଗଡିଆ, କାଇପଡା-କଳାମାଟିଆ, ନିମାପଡା ଆଦି ଓଡିଶାର ରକ୍ତତୀର୍ଥ ସମେତ ରଣପୁରର ବେଜଲଗେଟ୍ ହତ୍ୟା ପ୍ରସଙ୍ଗ ଏହି ଗ୍ୟାଲେରୀରେ ଯେଭଳି ସ୍ଥାନିତ ହେବାକଥା ତାହା ହୋଇପାରି ନାହିଁ ବୋଲି ବିଭିନ୍ନ ମହଲରୁ ବାରମ୍ବାର ଅଭିଯୋଗ ହେଉଛି ।
ଏହାଛଡା ଓଡିଶାରେ ସ୍ୱାଧୀନତା ଆନ୍ଦୋଳନବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସତ୍ୟବାଦୀ ବନବିଦ୍ୟାଳୟ, ଅଳକାଶ୍ରମ, ତରିକୁନ୍ଦ ଆଶ୍ରମ, ବରିର ସେବାଘର, ଅନୁଗୁଳର ବାଜିରାଉତ ଛାତ୍ରାବାସ, ଚମ୍ପାପୁର ହାଟର ଗାନ୍ଧୀଆଶ୍ରମ, ସତ୍ୟଭାମାପୁରରେ ଥିବା ଉତ୍କଳ ଗୌରବଙ୍କ ପୈତୃକ ଗୃହ ଆଦିର ପ୍ରତିଛବି ଏଠାରେ ହଜି ଯାଇଥିବା ଭଳି ମନେ ହେଉଛି । ଏହାଛଡା ଦକ୍ଷିଣ ଓ ପଶ୍ଚିମଓଡିଶା ସମେତ ରାଜ୍ୟର ଅନ୍ୟ ଯେଉଁସବୁ ଅଞ୍ଚଳରେ ସ୍ୱାଧୀନତା ଆନ୍ଦୋଳନ ତୀବ୍ର ରୂପ ନେଇଥିଲା ଏବଂ ଗାନ୍ଧୀଜୀ ଯେଉଁସବୁ ସ୍ଥାନକୁ ଯାଇଥିଲେ ବିଶେଷକରି ଅସହଯୋଗ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ ଆନ୍ଦୋଳନର ସ୍ମାରକୀ ଏହି ଗ୍ୟାଲେରୀରେ ଠିକଣା ଭାବେ ପ୍ରତିଫଳିତ ହୋଇନାହିଁ ବୋଲି କେତେକ ମତ ଦେଉଛନ୍ତି ।
ଏହି ଗ୍ୟାଲେରୀ ଦୁଇଟି ବର୍ତ୍ତମାନ ଓ ଭବିଷ୍ୟତ ପୀଢି ପାଇଁ ଅନେକ ବାର୍ତ୍ତା ଦେବ । ତେଣୁ ଏଡାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନିର୍ଭୁଲ ଭାବେ କରି ଏହାକୁ ଭବିଷ୍ୟତପୀଢି ପାଇଁ ପ୍ରେରଣାଦାୟୀ ସମ୍ପତ୍ତି ଭାବେ ଗଢି ତୋଳିବା ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)