Home General ଅଧିକାଂଶ ସୂତାକଳ ଅଚଳ

ଅଧିକାଂଶ ସୂତାକଳ ଅଚଳ

ଭୁବନେଶ୍ୱର : ରାଜ୍ୟରେ ୨୦୧୦ ରୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସୂତାକଳ, କଳତନ୍ତ ଓ ବୟନଶିଳ୍ପ ୟୁନିଟ୍‍ ପ୍ରତିଷ୍ଠା ହୋଇନାହିଁ । ସମବାୟ ଭିତ୍ତିରେ ଥିବା ଅଧିକାଂଶ ସୂତାକଳ ଅଚଳ । ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ।

ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୦ ରୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସୂତାକଳ, କଳତନ୍ତ ଓ ବୟନଶିଳ୍ପ ୟୁନିଟ୍‍ ପ୍ରତିଷ୍ଠା ହୋଇନଥିବାବେଳେ ସରକାରୀ ଉଦ୍ୟୋଗରେ ପରିଚାଳିତ ଏକମାତ୍ର ସୂତାକଳ ଭାଷ୍କର ଟେକ୍ସଟାଇଲ୍ସ ୧୯୯୮ ମସିହାରୁ ଅଚଳ ରହିଛି । ଝାରସୁଗୁଡାରେ ଥିବା ଏହି କାରଖାନାର ସମାପନ ପ୍ରକ୍ରିୟା ଏବେ ଅଦାଲତରେ ବିଚାରାଧିନ ରହିଛି ।

ସେହିଭଳି ସମବାୟ ଭିତ୍ତିକ ଅଧିକାଂଶ ସୂତାକଳ ବି ବନ୍ଦ ରହିଛି । ଏଥିରେ ମଧ୍ୟରେ ବରଗଡରେ ଥିବା ଓଡିଶା ବୁଣାକାର ସମବାୟ ସୂତାକଳ, ଢେଙ୍କାନାଳରେ ଥିବା କଳିଙ୍ଗ ବୁଣାକାର ସମବାୟ ସୂତାକଳ, ବାଲେଶ୍ୱରରେ ଥିବା ଶ୍ରୀ ଗୋପୀନାଥ ବୁଣାକାର ସମବାୟ ସୂତାକଳ, ଜଗତ୍‍ସିଂହପୁରର ସାରଳା ବୁଣାକାର ସମବାୟ ସୂତାକଳ, କଟକର ଆଠଗଡରେ ଥିବା ଶ୍ରୀଜଗନ୍ନାଥ ବୁଣାକାର ସମବାୟ ସୂତାକଳ ଖୋର୍ଦ୍ଦାର ଉତ୍କଳ ବୁଣାକାର ସୂତାକଳ ଆଦି ଦୀର୍ଘ ଦିନରୁ ବନ୍ଦ ରହିଛି ।

କେବଳ କଳାହାଣ୍ଡିର କେସିଙ୍ଗାରେ ଥିବା କୋଣାର୍କ ସମବାୟ ସୂତାକଳରେ ସୂତା ଭିଣା କାର୍ଯ୍ୟ ଚାଲୁଥିବାବେଳେ ମୟୁରଭଞ୍ଜର ତକତପୁରରେ ଥିବା ବାରିପଦା କଳତନ୍ତ ସମବାୟ ସମିତି ଲିମିଟେଡ ଦୀର୍ଘ ମିଆଦୀ ଲିଜ୍‍ ସୂତ୍ରରେ ଚାଲୁଛି । ତେବେ ସରକାରୀ ଉଦ୍ୟୋଗରେ ପରିଚାଳନା ରାଜ୍ୟର ଏକମାତ୍ର ବୟନଶିଳ୍ପ ସଂସ୍ଥା ଚୌଦ୍ୱାର ସ୍ଥିତ ଓଟିଏମ୍‍ ୨୦୦୦ ମସିହାରୁ ବନ୍ଦ ରହିଛି ।

ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୧-୨୨ ବର୍ଷରେ ଓଡିଶାରୁ ୯କୋଟି ୪୧ଲକ୍ଷ ଟଙ୍କା ମୂଲ୍ୟର ହସ୍ତଶିଳ୍ପ ସାମଗ୍ରୀ ବିଦେଶୀକୁ ରପ୍ତାନି ହୋଇଥିବାବେଳେ ଏହି ସମୟରେ ରପ୍ତାନି ହସ୍ତତନ୍ତ ସାମଗ୍ରୀର ମୂଲ୍ୟ ୩କୋଟି ୮୬ଲକ୍ଷ ଟଙ୍କା ରହିଛି । ତେବେ ସମଗ୍ର ଦେଶରୁ ଏହି ସମୟରେ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ଯଥାକ୍ରମେ ୧୯,୮୦୩.୨୫ କୋଟି ଏବଂ ୨୨୧୩.୪୧ କୋଟି ଟଙ୍କାର ବିଦେଶକୁ ରପ୍ତାନି ହୋଇଛି । (ତଥ୍ୟ)