Home News in Odia ଚାଷୀ ପ୍ରସଙ୍ଗରେ ଗୃହ ଅଚଳ

ଚାଷୀ ପ୍ରସଙ୍ଗରେ ଗୃହ ଅଚଳ

ଭୁବନେଶ୍ୱର : ଚାଷୀ ପ୍ରସଙ୍ଗରେ ଉଭୟ ବିରୋଧି ଓ ଶାସକ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗରେ ଆସି ହୋ ହଲ୍ଲା କରିବାରୁ ଆଜି ବିଧାନସଭାର କାର୍ଯ୍ୟ ଚାଲିପାରି ନାହିଁ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ବାରମ୍ବାର ମୁଲତବି ରଖିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ଏଥିରୁ କିଛି ସୁଫଳ ମିଳିନାହିଁ ।

ଆଜି ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧି କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଚାଷୀ ଅବହେଳା ପ୍ରସଙ୍ଗ ଉଠାଇ ଧ୍ୱନିମାନ ଦେଇଥିଲେ । ଏହା ପରେ ପରେ ବିଜେଡି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଚାଷୀଙ୍କୁ କେନ୍ଦ୍ର ଅବହେଳା କରୁଥିବା ଦର୍ଶାଇ ସ୍ଲୋଗାନ ଦେଇଥିଲେ ।

ତିନି ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗରେ ଧ୍ୱନିମାନ ଦେଉଥିବେବେଳ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ବିଧାନସଭା ସଚିବଙ୍କ ଚେୟାର ଉପରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ବିରୋଧିଦଳର ଏକମାତ୍ର ମହିଳା ସଦସ୍ୟ କୁସୁମ ଟେଟେ ଗୃହ ମଧ୍ୟଭାଗକୁ ଆସିଥିବାବେଳେ ବିଜେଡିର ଏକାଧିକ ମହିଳା ସଦସ୍ୟ ଗୃହ ମଧ୍ୟଭାଗକୁ ଆସିଥିବା ଦେଖିବାକୁ ମିଳିଥିଲା ।

ସଦସ୍ୟମାନଙ୍କ ହଟଗୋଳ ଯୋଗୁଁ ପ୍ରଶ୍ନକାଳ ଆରମ୍ଭ ହୋଇପାରି ନଥିଲା । ବାଚସ୍ପତି ଗୃହକୁ ପ୍ରଥମେ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ହେଲେ ୧୧ଟା ୩୦ରେ ଗୃହକାର୍ଯ୍ୟ ଆରମ୍ଭ ମାତ୍ରେ ତିନି ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଚାଷୀ ପ୍ରସଙ୍ଗରେ ହୋ ହଲ୍ଲା କରିଥିଲେ । ଏହି ସମୟରେ ବିଜେପି ସଦସ୍ୟମାନେ ହାତରେ ପ୍ଲାକାର୍ଡ ଧରିଥିବା ଦେଖିବାକୁ ମିଳିଥିଲା ।

ହଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ । ହେଲେ ଅପରାହ୍ନ ଅଧିବେଶନରେ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନଥିଲା । ଫଳରେ ବାଚସ୍ପତି ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ । ହେଲେ ସେଥିରୁ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏଥିଯୋଗୁଁ ଗୃହକାର୍ଯ୍ୟକୁ ଆସନ୍ତା କାଲିପାଇଁ ମୁଲତବି ଘୋଷଣା କରାଯାଇଥିଲା ।