Home General ଏସଇସିଙ୍କ ସହ ଅଷ୍ଟ୍ରେଲିଆ ଆଇନ ଛାତ୍ରଙ୍କ ଆଲୋଚନା

ଏସଇସିଙ୍କ ସହ ଅଷ୍ଟ୍ରେଲିଆ ଆଇନ ଛାତ୍ରଙ୍କ ଆଲୋଚନା

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନ ପ୍ରକ୍ରିୟା ଓ ତତ୍‌ସଂପର୍କିତ ଆଇନକାନୁନ ବିଷୟରେ ଜ୍ଞାନ ଆହରଣ ଉଦ୍ଦେଶ୍ୟରେ ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟ ଜରିଆରେ ଅଷ୍ଟ୍ରେଲିଆର ଭିକେଫାରିଆ ବିଶ୍ୱବିଦ୍ୟାଳୟର ଆଇନ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ଏକ ୮ ଜଣିଆ ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ସମ୍ମିଳନୀ କକ୍ଷରେ ସାକ୍ଷାତ୍‌ କରିଛନ୍ତି । ଭାରତ ଭଳି ଏକ ବିରାଟ ଦେଶରେ ‘ରାଜ୍ୟ ଏବଂ ସଂଘୀୟ ନିର୍ବାଚନ ଆଇନ ଓ ପ୍ରକ୍ରିୟା’ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଆଲୋଚନାଚକ୍ରରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ନିର୍ବାଚନ ପରିଚାଳନା ନିମନ୍ତେ ଭାରତୀୟ ସମ୍ବିଧାନର ଧାରା, କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଗଠନ ସହ କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର ନିଯୁକ୍ତି, ରାଜ୍ୟ ନିର୍ବାଚନ ଆୟୋଗ ଗଠନ ଓ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତି ଇତ୍ୟାଦି ସାମ୍ବିଧାନିକ ବ୍ୟବସ୍ଥା ସଂପର୍କରେ ଅଷ୍ଟ୍ରେଲିଆ ଆଇନ ଛାତ୍ରମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ ।

ଦେଶର ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ପଞ୍ଚାୟତି ସମିତି ଓ ଗ୍ରାମ ପଞ୍ଚାୟତ ସ୍ତରରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ପ୍ରକ୍ରିୟା ଓ ଆଇନ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ପାଢ଼ୀ ଛାତ୍ରମାନଙ୍କୁ ଅବଗତ କରାଇଥିଲେ । ଏତଦ୍‌ବ୍ୟତୀତ ଆମ ଦେଶ ତଥା ରାଜ୍ୟରେ ଅନୁଷ୍ଠିତ ହେଉଥିବା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ନିର୍ବାଚନର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ ।

ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା, ଆଦର୍ଶ ଆଚରଣ ବିଧି ଲାଗୁ, ଭୋଟର ତାଲିକା ପ୍ରସ୍ତୁତି, ନାମାଙ୍କନ ପତ୍ର ଦାଖଲ ଓ ପ୍ରତ୍ୟାହାର, ବାଲାଟ ପେପର ଛାପିବା, ରାଜନୈତିକ ଦଳମାନଙ୍କ ଦ୍ୱାରା ନିର୍ବଚାନ ପ୍ରଚାର, ନିର୍ବାଚନୀ ଖର୍ଚ୍ଚ, ପ୍ରାର୍ଥୀ ଓ ରାଜନୈତିକ ଦଳମାନଙ୍କ ଦ୍ୱାରା ଆଦର୍ଶ ଆଚରଣ ବିଧିର ଅନୁପାଳନ ଇତ୍ୟାଦି ସଂପର୍କରେ ବିସ୍ତୃତ ଭାବେ ଛାତ୍ରମାନଙ୍କୁ ଅବଗତ କରାଇଥିଲେ ।

ଭାରତୀୟ ନିର୍ବାଚନ ପ୍ରକ୍ରିୟା ଓ ଆଇନ ସଂପର୍କରେ ଜାଣିବାକୁ ଆଗ୍ରହୀ ଥିବା ଛାତ୍ରମାନଙ୍କୁ ମତଦାନ ଗ୍ରହଣ ନିମନ୍ତେ ନିଯୁକ୍ତ ହେଉଥିବା ପୁଲିଙ୍ଗ ଅଧିକାରୀ, ଜିଲ୍ଲାସ୍ତରରେ ନିର୍ବାଚନ ପରିଚାଳନା କରୁଥିବା ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀ, ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ନିଯୁକ୍ତି ଓ ଦାୟିତ୍ୱ, ଭୋଟଗ୍ରହଣ ନିମନ୍ତେ ବ୍ୟବହୃତ ହେଉଥିବା ଇଭିଏମ୍‌ ଓ ଭିଭିପ୍ୟାଟ୍‌ର ବ୍ୟବହାର, ଷ୍ଟ୍ରଙ୍ଗରୁମ୍‌ ପରିଚାଳନା, ମତଗଣନା କେନ୍ଦ୍ରର ଗଠନ ଓ ନିର୍ବାଚନ ଫଳାଫଳ ଘୋଷଣା ସଂପର୍କରେ ବିସ୍ତୃତ ଭାବେ ଶ୍ରୀ ପାଢ଼ୀ ଅଷ୍ଟ୍ରେଲିଆ ଆଇନ ଛାତ୍ର ଓ ଅଧ୍ୟାପକଙ୍କୁ ଅବଗତ କରାଇଥିଲେ ।

ପ୍ରାରମ୍ଭରେ ରାଜ୍ୟ ନିର୍ବାଚନଙ୍କ ଭାରପ୍ରାପ୍ତ ସଚିବ ଆଜାଦ୍‌ ହିନ୍ଦ୍‌ ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଭିକେଫାରିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ୍ୟାରିଲ୍‌ ଓ ପ୍ରଫେସର ବ୍ରେଣ୍ଡି, ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର ଡିନ୍‌ ଅଧ୍ୟାପକ କେ. ଭି. ଡି. ପ୍ରକାଶ ଓ ବରିଷ୍ଠ ଉପଦେଷ୍ଟା ପ୍ରଫେସର ଅରୁନ୍ଧତୀ ବିଶ୍ୱାଳଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ର ଉପସ୍ଥିତ ଥିଲେ ।