Home General ଅଭିଭାବକମାନେ ପିଲାଙ୍କ କଥା ଶୁଣିବା ଦରକାର

ଅଭିଭାବକମାନେ ପିଲାଙ୍କ କଥା ଶୁଣିବା ଦରକାର

ଭୁବନେଶ୍ୱର : ପିଲାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ସବୁ ସ୍ତରରେ ବିଲୋପ କରିବାକୁ ହେବ । ନଚେତ ଏହା ଏକ ବ୍ୟାଧି ଭାବରେ ବ୍ୟାପିବା ସହ ଆଗାମୀ ପୀଢିକୁ ଏହା ଆକ୍ରାନ୍ତ କରିବ । ଯୌନ ଶୋଷଣକୁ ବିଲୋପ ପାଇଁ ପିଲାଙ୍କ ଠାରୁ ଆରମ୍ଭ କରି ଅଭିଭାବକ, ସରକାରୀ ଓ ବେସରକାରୀ ସ୍ତରରେ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ‘ପିଲାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଶୋଷଣର ବିଲୋପ’ ସମ୍ପର୍କିତ ଶିଶୁମାନଙ୍କର ଏକ ଜାତୀୟ ସ୍ତରୀୟ କର୍ମଶାଳାରେ ବହୁ ବିଶିଷ୍ଟବ୍ୟକ୍ତି ଏହି ମତ ବ୍ୟକ୍ତ କରିଛନ୍ତି ।

ଏନଏସିଜି ଇଭାକ୍‌ ଇଣ୍ଡିଆ ଆନୁକୂଲ୍ୟରେ ପିକକ ପକ୍ଷରୁ ଓ ୱାର୍ଲଡ ଭିଜନ ଇଣ୍ଡିଆ, ୱାର୍ଲଭ ଭିଜନ ଜର୍ମାନୀ, ବିଏମଜେଡ୍‌ ଜର୍ମାନୀ ସହଯୋଗରେ ତଥା ଆଭାସ, ଏଡିଏଫ୍‌, ଆଦର୍ଶ, ଏଭି ବାଲିଗା ଟ୍ରଷ୍ଟ, ଏକତା, ହେଲ୍ପ, ଏମଆଇଏଚୱାଇ, ଓପନ ଲର୍ଣ୍ଣିଂ ସିଷ୍ଟମ, ଆରଏଆରଇ, ସାହାରା, ସେଲ୍ଟର, ଏସଆଇପିଡି ଏବଂ ଭାଇ ସହ ମିଳିତ ଭାବରେ ଆୟୋଜିତ ଏହି ଜାତୀୟ ସ୍ତରୀୟ କର୍ମଶାଳାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ।

ସେ କହିଥିଲେ ଯେ ପିଲାଙ୍କ କ୍ଷେତ୍ରରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ବିଲୋପ କରିବାପାଇଁ ଆମକୁ ସମ୍ମିଳିତ ଉଦ୍ୟମ କରିବା ଉଚିତ୍‌ । ବିଶେଷଭାବରେ ସେ କହିଥିଲେ ଯେ ପିଲାମାନଙ୍କୁ ଅଭିଭାବକମାନେ ପ୍ରତିଦିନ କିଛି ସମୟ ଦେବା ସହିତ ସେମାନଙ୍କୁ ଶୁଣିବା ଏବଂ ବିଶ୍ୱାସ କରିବା ଉଚିତ୍‌ । ଫଳରେ ବିନା ସଙ୍କୋଚରେ ତା ପ୍ରତି ହେଉଥିବା ଯୌନ ଶୋଷଣ ସଂକ୍ରାନ୍ତରେ ସେ ସହଜରେ କହିପାରିବ । ଫଳରେ ଏହାକୁ ବହୁ ମାତ୍ରାରେ ରୋକାଯାଇ ପାରିବ ।

ଏନଏସିଜି ଇଭାକ ଇଣ୍ଡିଆର ଜାତୀୟ ଅଧ୍ୟକ୍ଷ ରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦୁଇ ଦିନିଆ କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ୱାର୍ଲଡ ଭିଜନ ଇଣ୍ଡିଆର ଆଡଭୋକେସି ମୁଖ୍ୟ ମିଖାଇଲ୍‌ ପ୍ରଧାନ, ଏନଏସିଜି ଇଣ୍ଡିଆ ଉତ୍ତରାଖଣ୍ଡର ଆଦିତି କାଉର ପ୍ରମୁଖ ଉଦବୋଧନ ଦେଇ କର୍ମଶାଳାର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶେଷକରି ଏହି କର୍ମଶାଳାରେ ପିଲାମାନଙ୍କ ମୁହଁରୁ ସେମାନେ ଶୁଣିବେ ଓ ପିଲାଙ୍କ ସୁପାରିଶକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ । ଏହି ରିପୋର୍ଟ ଆାଧାରରେ ଆଗାମୀ ଦିନରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ।

ଏନଏସିଜିି ଇଭାକର ରାଜ୍ୟ ଆବାହକ ପ୍ରକାଶ ରଥ କର୍ମଶାଳାରେ ସ୍ୱାଗତ ଭାଷଣ ଦେଇଥିଲେ । ପିକକର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ । ଏଥି କର୍ମଶାଳାରେ ୧୨ଟିରାଜ୍ୟ ଯଥା ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଆସାମ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ଗୁଜୁରାଟ, ମହାରାଷ୍ଟ୍ର, ଓଡିଶା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିଆନାର ୬୫ଜଣ ଶିଶୁ ପ୍ରତିନିଧି ଯୋଗ ଦେଇଛନ୍ତି ।