Home News in Odia ବିଜେପି ଉଠାଇବ ମୌଳିକ ସମସ୍ୟା

ବିଜେପି ଉଠାଇବ ମୌଳିକ ସମସ୍ୟା

ଭୁବନେଶ୍ୱର : ଶୀତକାଳୀନ ଅଧିବେଶନରେ ରାଜ୍ୟର ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଏବଂ ସାଂପ୍ରତିକ ପରିସ୍ଥିତିକୁ ନେଇ ବିଜେପି ବିଧାନସଭାରେ ଆଲୋଚନା କରିବ ।

ବିଶେଷ ଭାବେ ରାଜ୍ୟରେ କୃଷି ଏବଂ କୃଷକ ଯନ୍ତ୍ରଣା; ଅର୍ଚ୍ଚନା ନାଗ ଓ ଆର୍ଥୀକ ଅପରାଧ; ଦାଦନ ଶ୍ରମିକ ସମସ୍ୟା; ଠିକା ନିଯୁକ୍ତି କର୍ମଚାରୀଙ୍କ ଦୁଃଖ; ମନରେଗା ଦୁର୍ନୀତି; ଅସୁରକ୍ଷିତ ମହିଳା ଓ ଶିଶୁ; ବ୍ୟାପକ ପିସି କାରବାର କାରଣରୁ ବିକାଶ ବାଧାପ୍ରାପ୍ତ; ବିଫଳ ଯୁବନୀତି; ଲଘୁ ଖଣିଜରେ ମହାଦୁର୍ନୀତି; ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା; ପୋଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଅନାସ୍ଥା; କ୍ରମବର୍ଦ୍ଦିଷ୍ଣୁ ଶିଶୁ ଚୋରୀ; କେବଳ ଘୋଷଣା ସୀମିତ ଜଳସେଚନ ବ୍ୟବସ୍ଥା; ମଦ ଓ ନିଶାର ବହୁଳ ପ୍ରସାର ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବାର ନିଷ୍ପତି ନିଆଯାଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

ଆଜି ଅନୁଷ୍ଠିତ ହୋଇଥିବା ବିଧାୟକ ଦଳ ବୈଠକରେ ସର୍ବପ୍ରଥମେ ନୂତନ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ପିଏସି କମିଟି ଅଧ୍ୟକ୍ଷ ଶ୍ରୀ ମୋହନ ମାଝୀ ଏବଂ ନବନିର୍ବାଚିତ ଧାମନଗର ବିଧାୟକ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ପରେ ଆଗାମୀ ବିଧାନସଭା ଅଧିବେସନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସରକାରଙ୍କୁ ଘେରିବା ଉପରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ସମସ୍ତ ବିଧାୟକମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ ବୋଲି ଶ୍ରୀ ମାଝୀ କହିଛନ୍ତି ।

ବିଜୁ ଜନତା ଦଳ ସରକାର ଘୋଷଣା ସର୍ବସ୍ୱ ରାଜନୀତି କରୁଛି । ସାରା ଓଡ଼ିଶାରେ ଚାଷୀ ଜଳସେଚନରୁ ବଂଚିତ ହେଉଛନ୍ତି କିନ୍ତୁ ଶାସକ ଦଳ ଏନେଇ କୌଣସି ପଦକ୍ଷେପ ନନେଇ ଚୁପ୍ ବସିଛି । ଏବେ ପଦ୍ମପୁର ଉପନିର୍ବାଚନ ଥିବାରୁ ପଶ୍ଚିମ ଓଡ଼ିଶାରେ ରାଜନୀତି ସରଗରମ ହେବା ସହ ଚାଷୀ ଆନ୍ଦୋଳନ ଜୋର ଧରିଛି । ପଶ୍ଚିମ ଓଡ଼ିଶାରେ ଗତବର୍ଷ ବର୍ଷା ଅଭାବରୁ ଚାଷୀମାନେ ମରୁଡି ସମସ୍ୟା ଭୋଗିଛନ୍ତି । ଚାଷୀଙ୍କୁ ନ୍ୟାୟ ଦେବା ଲାଗି ମଧ୍ୟ ଭାରତୀୟ ଜନତା ପାର୍ଟିର ମନ୍ତ୍ରୀ, ବିଧାୟକ ଓ ନେତାମାନେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ।

ସେହିପରି ରାଜ୍ୟ ସରକାର ଓ ପୋଲିସ ବିଭାଗ ନିସ୍କ୍ରିୟତା କାରଣରୁ ରାଜ୍ୟରେ ଅରାଜକତା ବଢ଼ିବାରେ ଲାଗିଛି । ଅର୍ଚ୍ଚନା ନାଗ ମାମଲାରେ ବଡବଡିଆ ନେତା, ଆଇଏଏସ୍‌, ଆଇପିଏସ୍ ଓ ପୋଲିସ ଇତ୍ୟାଦି ପ୍ରସଙ୍ଗ ଉପରେ ପ୍ରଶ୍ନ କରିବ ବିଜେପି । ସବୁଠୁ ବଡ ପ୍ରସଙ୍ଗ ହେଲା ରାଜ୍ୟରେ ଠିକା ନିଯୁକ୍ତି ପ୍ରସଙ୍ଗ । ରାଜ୍ୟ ସରକାର ଠିକା ନିଯୁକ୍ତି ଉଠାଇଦେଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି । ବାସ୍ତବରେ ଆଜିବି ବିଭିନ୍ନ ବିଭାଗରେ ଠିକା ନିଯୁକ୍ତି ପ୍ରଚଳିତ ହେଉଛି । ରାଜ୍ୟ ସରକାର ଚଳିତ ବର୍ଷ ୨ଲକ୍ଷ କୋଟି ଟଙ୍କାର ବଜେଟ୍ କରିଥିଲେ ବି ଏଯର୍ଯ୍ୟନ୍ତ ୪୫% ଟଙ୍କା ଖର୍ଚ୍ଚ ହୋଇନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି ।

କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଓଡ଼ିଶାକୁ ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ କରିବାରେ ଅସମର୍ଥ । ଓଡିଶାବାସୀଙ୍କ ମୈାଳିକ ସମସ୍ୟାର ସମାଧାନକୁ ଆଧାର କରି ଚଳିତ ବିଧାନସଭା ଅଧିବେସନରେ ବିଜେପି ତରଫରୁ ରାଜ୍ୟ ସରକାରଙ୍କଠାରୁ ଜବାବ୍ ମଗାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି । ଏହି ବୈଠକରେ ବିଧାୟକ ଭାସ୍କର ମଢେଇ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, କେ.ନାରାୟଣ ରାଓ, କୁସୁମ ଟେଟେ, ସନାତନ ବିଜୁଳି, ଜୟନ୍ତ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।