ଭୁବନେଶ୍ୱର : ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧିନରେ କାର୍ଯ୍ୟରତ ଧନ୍ଦାମୂଳକ ପ୍ରଶିକ୍ଷକ ଏବଂ ସଂଯୋଜକମାନଙ୍କ ପାରିତୋଷିକ ବୃଦ୍ଧି କରିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୦୬ଟି ମାଧ୍ୟମିକ ବିଦ୍ୟାଳୟ ଏବଂ ୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୧ଟି ବିଭାଗ ଯଥା କୃଷି, ଖାଦ୍ୟ ପ୍ରକିୟାକରଣ, ମୋଟରଯାନ, ପୋଷାକ, ପର୍ଯ୍ୟଟନ ଓ ଆତିଥ୍ୟ ଶିଳ୍ପ, ସୌନ୍ଦର୍ଯ୍ୟ ଓ ସୁସ୍ଥତା, ନିର୍ମାଣ, ପାଇପ୍ ମିସ୍ତ୍ରୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖୁଚୁରା ବ୍ୟବସାୟ ପରିଚାଳନା, ଇଲେକ୍ଟ୍ରୋନିକ୍ସ ଓ ହାର୍ଡେୱୟାରଗୁଡ଼ିକରେ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
ଏହି ବିଦ୍ୟାଳୟଗୁଡ଼ିକରେ ୧୯୨୨ ଜଣ ପ୍ରଶିକ୍ଷକ/ପ୍ରଶିକ୍ଷିକା ଏବଂ ୬୪ ଜଣ ସଂଯୋଜକ/ସଂଯୋଜିକା କାର୍ଯ୍ୟରତ ଅଛନ୍ତି । ଚଳିତ ବର୍ଷ ଉଭୟ ପ୍ରଶିକ୍ଷକ/ପ୍ରଶିକ୍ଷିକା ଓ ସଂଯୋଜକ/ସଂଯୋଜିକାମାନଙ୍କର ପାରିତୋଷିକ ବୃଦ୍ଧି ନିମନ୍ତେ ଦିଆଯାଇଥିବା ପ୍ରସ୍ତାବଟି ସମଗ୍ର ଶିକ୍ଷାର ପିଏବି ୨୦୨୨-୨୩ରେ ଅନୁମୋଦନ କରାଯାଇଛି ।
ତଦନୁଯାୟୀ ରାଜ୍ୟ ସରକାର ଧନ୍ଦାମୂଳକ ପ୍ରଶିକ୍ଷକ/ପ୍ରଶିକ୍ଷିକାମାନଙ୍କର ମାସିକ ପାରିତୋଷିକ ଟ. ୧୫,୦୫୦/-ରୁ ଟ. ୨୦,୦୦୦/-କୁ ବୃଦ୍ଧି କରିଛନ୍ତି । ସେହିପରି ସଂଯୋଜକ/ସଂଯୋଜିକାମାନଙ୍କର ପାରିତୋଷିକ ମାସିକ ଟ. ୨୫,୦୦୦/-ରୁ ଟ. ୩୦,୦୦୦/-କୁ ବୃଦ୍ଧି କରାଯାଇଛି ।
ଏହି ପ୍ରଶିକ୍ଷକ ଏବଂ ସଂଯୋଜକମାନଙ୍କ କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କର ପାରିତୋଷିକ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ୨୦୨୨ ଅପ୍ରେଲ ପହିଲାରୁ କାର୍ଯ୍ୟକାରୀ ହେବ ବୋଲି ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି ।