Home News in Odia ପୁଣି ଭୁବନେଶ୍ୱରରୁ ଆର୍ନ୍ତଜାତୀୟ ଉଡାଣ

ପୁଣି ଭୁବନେଶ୍ୱରରୁ ଆର୍ନ୍ତଜାତୀୟ ଉଡାଣ

ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟଟନର ବିକାଶକୁ ଦୃଷ୍ଟିରେ ରଖି ଓଡିଶା ସରକାର ଭୁବନେଶ୍ୱରରୁ ତିନି ପ୍ରମୁଖ ଆର୍ନ୍ତଜାତୀୟ ସ୍ଥଳୀକୁ ସିଧାସଳଖ ବିମାନ ଚଳାଇବାକୁ ପଦକ୍ଷେପ ନେଉଛନ୍ତି । ଏହି ସ୍ଥାନଗୁଡିକ ହେଲା ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କ୍‍କ ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ତିନିଟି ପ୍ରମୁଖ ସ୍ଥାନକୁ ବିମାନ ଚଳାଚଳ ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି । ଏଥିରେ ଆର୍ନ୍ତଜାତୀୟ ବିମାନ ଚଳାଚଳ କରୁଥିବା ସଂସ୍ଥାମାନେ ଅଂଶଗ୍ରହଣ କରିବେ । ବିଦେଶକୁ ସିଧାସଳଖ ବିମାନ ଚଳାଇବାକୁ ଆଗ୍ରହୀ ବିମାନ ସଂସ୍ଥାଗୁଡିକୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବାକୁ ମଧ୍ୟ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ।

ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦରରୁ ଉପରୋକ୍ତ ତିନିଟି ସ୍ଥାନକୁ ଦିନେ ଛାଡି ଦିନେ ସପ୍ତାହକୁ ୩ଦିନ ବିମାନ ଚଳାଇବାକୁ ରାଜ୍ୟ ସରକାର ଯୋଜନା କରିଥିବା ସୂଚନା ମିଳିଛି । ତେବେ ଅନ୍ୟ ଦିନଗୁଡିକରେ ବିମାନ କମ୍ପାନୀଗୁଡିକ ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତା ବିନା ମଧ୍ୟ ବିମାନ ଚଳାଚଳ କରିପାରିବେ ।

କେନ୍ଦ୍ର ସରକାର କୋଭିଡ କଟକଣା ପରେ ଆର୍ନ୍ତଜାତୀୟ ବିମାନ ଚଳାଚଳକୁ ସବୁଜ ସଙ୍କେତ ଦେବାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଭୁବନେଶ୍ୱର ବିମାନବନ୍ଦରରୁ ଆର୍ନ୍ତଜାତୀୟ ବିମାନ ଉଡାଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଉଲ୍ଲେଖନୀୟ ଯେ କୋଭିଡ ମମହାରୀ ଯୋଗୁଁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ କୁଆଲାମପୁରକୁ ଆର୍ନ୍ତଜାତୀୟ ଉଡାଣ କରୁଥିବା ଏକମାତ୍ର କମ୍ପାନୀ ଏୟାର ଏସିଆ ୨୦୨୦ ମାର୍ଚ୍ଚ ମାସରୁ ତାହାର ଉଡାଣ ବନ୍ଦକରି ଦେଇଛି । କାରଣ କୋଭିଡ ମହାମାରୀ ଚୀନ୍‍ର ବିଭିନ୍ନ ରାଜ୍ୟ ଓ ଦକ୍ଷିଣଏସୀୟ ରାଷ୍ଟ୍ରମାନଙ୍କରେ ବ୍ୟାପିବା ଯୋଗୁଁ ଏୟାର ଏସିଆ ଏଭଳି ପଦକ୍ଷେପ ନେଇଥିଲା ।

କେବଳ ପର୍ଯ୍ୟଟନ କ୍ଷେତ୍ର ନୁହେଁ, ଶିଳ୍ପ ଏବଂ ଆଇଟି ପାଇଁ ଭୁବନେଶ୍ୱର ଆର୍ନ୍ତଜାତୀୟ ବିମାନବନ୍ଦରରୁ ପଶ୍ଚିମରେ ଦୁବାଇ ଏବଂ ପୂର୍ବରେ ସିଙ୍ଗାପୁର ଓ ବ୍ୟାଙ୍କକ୍‍କୁ ବିମାନ ଉଡାଣ ବେଶ୍‍ ଫଳପ୍ରଦ ହେବ । ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କ୍‍କ ବିଶ୍ୱର ବିଭିନ୍ନ ସ୍ଥାନକୁ ଯିବାପାଇଁ କେନ୍ଦ୍ରସ୍ଥଳୀ ହୋଇଥିବାରୁ ବିଦେଶରେ ରହୁଥିବା ଓଡିଶାର ଲୋକେ ବେଶ୍‍ ସୁବିଧାରେ ଅନ୍ୟାନ୍ୟ ରାଷ୍ଟ୍ରକୁ ଯାଇପାରିବେ ।

ପ୍ରସ୍ତାବିତ ଆର୍ନ୍ତଜାତୀୟ ରୁଟ୍‍ରେ ବିମାନ ଉଡାଣ କରିବାକୁ ଥିବା କମ୍ପାନୀମାନଙ୍କୁ ମନୋନିତ ହେବାର ୬୦ଦିନ ମଧ୍ୟରେ ବିମାନ ଚଳାଚଳ କରିବାକୁ ପଡିବ । ନଚେତ କୌଣସି ସମୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡିବ । ସୂଚନା ଅନୁଯାୟୀ ଆର୍ନ୍ତଜାତୀୟ ଉଡାଣ କରୁଥିବା ବିମାନର ଇନ୍ଧନ ଉପରୁ ରାଜ୍ୟ ସରକାର ଭାଟ୍‍ ଛାଡ କରିଛନ୍ତି । ଆର୍ନ୍ତଜାତୀୟ ବିମାନ ଉଡାଣ କରିବାକୁ ଥିବା କମ୍ପାନୀଗୁଡିକୁ ଉଡାଣ ଦିନ ଠାରୁ ବର୍ଷକ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ଓ ଏହାକୁ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ତେବେ ବିମାନ କମ୍ପାନୀ ସେମାନଙ୍କ ବିମାନ ଚଳାଚଳରେ କୌଣସି ପରବର୍ତ୍ତନ କଲେ ମିଳୁଥିବା ଆର୍ଥିକ ସହାୟତା ସଂଶୋଧନ ନହେବା ପର୍ଯ୍ୟନ୍ତ ତାହାକୁ ବନ୍ଦ କରାଯିବ । ଟେଣ୍ଡର ନିୟମ ଅନୁଯାୟୀ ଆର୍ଥିକ ସହାୟତା ପାଇବାକୁ ହେଲେ ବିମାନ କମ୍ପାନୀ ଅତି କମରେ ୭୦ ପ୍ରତିଶତ ଉଡାଣ କରିବ । ତେବେ କୌଣସି ଅପ୍ରତ୍ୟାଶିତ କାରଣ ବିନା ଉଡାଣ ପ୍ରଭାବିତ ହେଲେ ଅନ୍ୟ ମନୋନିତ ବିମାନ କମ୍ପାନୀକୁ ଏହି ସୁବିଧା ଦିଆଯାଇ ପାରେ । (ତଥ୍ୟ)