Home General ଅକାମୀ ବସ୍‍ ବେ ପାଇଁ ଟ୍ରାଫିକ ସମସ୍ୟା

ଅକାମୀ ବସ୍‍ ବେ ପାଇଁ ଟ୍ରାଫିକ ସମସ୍ୟା

ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ସହ ରାସ୍ତାରୁ ଭିଡ କମାଇବା ପାଇଁ କୋଟି କୋଟି ଟଙ୍କା ଅର୍ଥ ଖର୍ଚ୍ଚକରି ସ୍ମାର୍ଟସିଟି ଭୁବନେଶ୍ୱରରେ ନିର୍ମାଣ କରାଯାଇଥିବା ବସ୍‍ ରହଣିସ୍ଥଳ ବା ବସ୍‍ ବେ ଗୁଡିକର ଉପଯୋଗ କରାଯାଉ ନଥିବାରୁ ଯେଉଁ ଉଦ୍ଦେଶ୍ୟ ରଖି ଏହାସବୁ ନିର୍ମାଣ କରାଯାଇଥିଲା ତାହା ବ୍ୟର୍ଥ ହେଉଛି ।

ରାଜଧାନୀରେ ଯେତେ ବସ୍‍ ରହଣିସ୍ଥଳ ନିର୍ମାଣ କରାଯାଇଛି ସେଥିରୁ ପ୍ରାୟ କୌଣସି ରହଣିସ୍ଥଳ ମଧ୍ୟକୁ ଯାତ୍ରୀବାହୀ ବସ୍‍ ପଶୁନାହିଁ । ମୁଖ୍ୟ ରାସ୍ତା ଉପରେ ବସ୍‍ ଛିଡା କରାଇ ଯାତ୍ରୀ ଉଠାଯାଉଛି । ଫଳରେ ଗୁରୁତର ଟ୍ରାଫିକ୍‍ ସମସ୍ୟା ଅନେକ ସ୍ଥାନରେ ସୃଷ୍ଟି ହେଉଛି ।

ସଂଖ୍ୟାଧିକ ବସ୍‍ ରହଣିସ୍ଥଳ କେଉଁଠି ଅଟୋ ଚାଳକମାନଙ୍କ ଦଖଲରେ ରହିଛି ତ ଆଉ କେଉଁଠି ପନିପରିବା ଠାରୁ ମାଛ ବେପାରୀମାନେ ଏଠାରେ ଅସ୍ଥାୟୀ ଦୋକାନ ଚଳାଉଛନ୍ତି । ଏମିତିକି କେତେକ ବସ୍‍ ୱେରେ ଫାଷ୍ଟଫୁଡଠାରୁ ଆରମ୍ଭକରି ବରାପିଆଜି ଦୋକାନ ମଧ୍ୟ ଚାଲୁଛି ।

ଯେକୌଣସି ସ୍ଥାନରେ ଯାତ୍ରୀବାହୀ ବସ୍‍ଗୁଡିକ ଯାତ୍ରୀ ନେବା ଆଣିବା ନ କରି ନିର୍ଦ୍ଦିଷ୍ଟ ବସ୍‍ ରହଣିସ୍ଥଳରେ ଯାତ୍ରୀ ଉଠାଇବା ଓ ଓହ୍ଲାଇବା କାମ କରିବା ଲାଗି କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିଲେ । ଏଥିପାଇଁ ଅନ୍ୟ ମେଟ୍ରୋ ସହର ଢ଼ାଞ୍ଚାରେ ମୁଖ୍ୟ ରାସ୍ତାକଡରେ ବସ୍‍ ରହଣିସ୍ଥଳ ନିର୍ମାଣ କରାଯାଇ ତାହା କଡକୁ ଯାତ୍ରୀ ବିଶ୍ରାମସ୍ଥଳୀ ଗୃହ ମଧ୍ୟ କରାଯାଇଛି । ଖରାବର୍ଷାରେ ଏହି ବିଶ୍ରାମସ୍ଥଳୀଗୁଡିକ ବସ୍‍ ଯାତ୍ରୀମାନଙ୍କ ପାଇଁ ବେଶ୍‍ ଭଲ କାମ ଦେଉଛି । କିନ୍ତୁ ବିଶ୍ରାମସ୍ଥଳୀ ନିକଟକୁ ଲାଗି ରହିଥିବା ବସ୍‍ ରହଣିସ୍ଥଳ ରାସ୍ତାରେ ସଂଖ୍ୟାଧିକ ସ୍ଥାନରେ ଯାତ୍ରୀବାହୀ ବସ୍‍ ନ ଆସି ପୂର୍ବବତ୍‍ ମୁଖ୍ୟ ରାସ୍ତାରେ ବସ୍‍ ରହଣି କରାଉଛନ୍ତି ।

ବିଶେଷକରି ନନ୍ଦନକାନନରୁ ଜୟଦେବ ବିହାର ଦେଇ ମାଷ୍ଟର କ୍ୟାଣ୍ଟିନ୍‍ ଓ ରାଜଭବନ ଛକ, ଶିଶୁଭବନରୁ ବାଣୀବିହାର ଛକ, ବିମାନବନ୍ଦରରୁ ଆଚାର୍ଯ୍ୟ ବିହାର ଦେଇ କଳିଙ୍ଗ ହସପିଟାଲ ଛକ, କ୍ୟାପିଟାଲ ହସପିଟାଲରୁ ଶିରିପୁର ଦେଇ ବରମୁଣ୍ଡା ଛକ, ରସୁଲଗଡରୁ ସାମନ୍ତରାପୁର ଆଦି ବିଭିନ୍ନ ପ୍ରମୁଖ ରାସ୍ତାରେ ଗଣ୍ଡା ଗଣ୍ଡା ବସ୍‍ ବେ ନିର୍ମିତ ହୋଇଥିଲା । ଏଗୁଡିକ ଉଦ୍‍ଘାଟନ ହେବା ପରେ ଅଳ୍ପ କିଛିଦିନ ପାଇଁ ତାହା ମଧ୍ୟକୁ ବସ୍‍ ପ୍ରବେଶ କରୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ବସ୍‍ଗୁଡିକ ବସ୍‍ ବେ ମଧ୍ୟରେ ପଶୁ ନାହାନ୍ତି । ଗାଡି ଚାଳକମାନଙ୍କର ଏଭଳି ନକାରାତ୍ମକ ମନୋଭାବକୁ ଦେଖି କର୍ତ୍ତୃପକ୍ଷ ହାତ ଟେକିଦେବା ସହ ଆଉ ନୂଆ ବସ୍‍ ବେ ନିର୍ମାଣ କରୁନାହାନ୍ତି ।

ଅନ୍ୟପକ୍ଷରେ ରାଜଧାନୀ ପାଇଁ ସିଟି ବସ୍‍ ସଂଖ୍ୟା ବଢ଼ା ଯାଉଥିବା ବେଳେ ଭୁବନେଶ୍ୱରରେ ଆନ୍ତର୍ଜାତିକ ମାନର ଆନ୍ତଃରାଜ୍ୟ ବସ୍‍ ଟର୍ମିନାଲ ନିର୍ମାଣ ପରିପ୍ରେକ୍ଷୀରେ ରାଜଧାନୀରେ ଆଗାମୀ ଦିନରେ ଯାତ୍ରୀବାହୀ ବସ୍‍ ସଂଖ୍ୟା ଢ଼େର ଅଧିକ ବଢ଼ିପାରେ । ଏହାଛଡା ସ୍ମାର୍ଟସିଟିରେ ମଧ୍ୟ ଜନସଂଖ୍ୟା ବୃଦ୍ଧି ସହ ବିଭିନ୍ନ କିସମର ଯାନବାହନ ବଢ଼ୁଛି । ଏଥିଯୋଗୁଁ ସୃଷ୍ଟି ହେଉଥିବା ପାର୍କିଂ ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷ ଏବେ କଠୋର ପଦକ୍ଷେପ ଗ୍ରହଣ କରି ‘ପାର୍କିଂ ନାହିଁ ତ ଗାଡି ନାହିଁ କି ଘର ନାହିଁ’ ନୀତି ଅବଲମ୍ବନ କରୁଛନ୍ତି ।

ସେହିଭଳି ଯେଉଁ ପ୍ରମୁଖ ରାସ୍ତାଗୁଡିକରେ ଟ୍ରାଫିକ ସମସ୍ୟା ବଢ଼ୁଛି ତାହାର ସମାଧାନ ଲାଗି ରାସ୍ତା ପ୍ରଶସ୍ତିକରଣ ସହିତ ପୁଣି ସମାନ୍ତର ନୂଆ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଅଥଚ ରାସ୍ତାରୁ ଭିଡ କମାଇବା ଓ ଯାତ୍ରୀଙ୍କ ସ୍ୱାର୍ଥ ପାଇଁ ପ୍ରଚୁର ଅର୍ଥ ବ୍ୟୟରେ ନିର୍ମାଣ କରାଯାଉଥିବା ବସ୍‍ ବେ ଗୁଡିକ ମଧ୍ୟକୁ ବସ୍‍ ପ୍ରବେଶ ନ କରିବା ଫଳରେ ଯେଉଁସବୁ ଜନଗହଳି ରାସ୍ତାରେ ଯାତ୍ରୀ ନେବାଆଣିବା ଲାଗି ବସ୍‍ ଛିଡା ହେଉଛି ସେହି ରାସ୍ତାରେ ଭିଡ ସମସ୍ୟା ଉତ୍କଟତର ହେଉଛି । (ତଥ୍ୟ)