ପାଇକମାଳ : ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ପ୍ରାର୍ଥୀ ଓ ନେତାମାନଙ୍କୁ ସଂପୃକ୍ତ ଅଞ୍ଚଳର ସରକାରୀ ବଙ୍ଗଳା ବ୍ୟବହାର କରିବାକୁ ବାରଣ ଥିବା ପରିପ୍ରେକ୍ଷୀରେ ଏବେ ଛୋଟବଡ ହୋଟେଲ ଓ ବେସରକାରୀ ଅତିଥି ଭବନଗୁଡିକ ଉପରେ ଚାପ ବଢ଼ିଛି ।
ପଦ୍ମପୁର, ପାଇକମାଳଠାରୁ ଆରମ୍ଭ କରି ନୂଆପଡା, ହରିଶଙ୍କର ରୋଡ୍, ବରଗଡ, ସୋହେଲା ଆଦି ଅଞ୍ଚଳରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଓ ନେତାମାନଙ୍କ ଲାଗି ଭିନ୍ନ ଭିନ୍ନ ନାମରେ ପ୍ରକୋଷ୍ଠ ସଂରକ୍ଷିତ ରଖାଯାଇଛି । ଅବସ୍ଥା ଏଭଳି ହୋଇଛି ଯେ ନୃସିଂହନାଥ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ପ୍ରଚଣ୍ଡ ଶୀତରେ ମଧ୍ୟ ନୃସିଂହନାଥ କି ପାଇକମାଳରେ ରହିବାକୁ ଜାଗା ପାଉନାହାନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଚଳିତମାସ ୨୭ ତାରିଖରୁ ବରଗଡରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ହୋଟେଲରେ ସ୍ଥାନାଭାବ ଦୂରଦୂରାନ୍ତରୁ ଆସିବାକୁ ଚାହୁଁଥିବା ଦର୍ଶକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି ।
ବିଜେଡି, ବିଜେପି ଓ କଂଗ୍ରେସ ଭଳି ତିନି ପ୍ରମୁଖ ରାଜନୈତିକ ଦଳ ଇତିମଧ୍ୟରେ ସେମାନଙ୍କ ତାରକା ପ୍ରଚାରକ ମାନଙ୍କ ତାଲିକା ଘୋଷଣା କରିଛନ୍ତି । ସଂଖ୍ୟାଧିକ ତାରକା ପ୍ରଚାରକ ସେମାନଙ୍କ ଚେଲାଚାମୁଣ୍ଡାଙ୍କ ସହ ଏବେ ପଦ୍ମପୁରରେ ସକ୍ରିୟ ଅଛନ୍ତି । ଏମିତିକି ଏମାନଙ୍କ ମଧ୍ୟରୁ କେତେକ ପଡୋଶୀ ରାଜ୍ୟ ଛତିଶଗଡରେ ରହିବା ପାଇଁ ପ୍ରକୋଷ୍ଠ ବ୍ୟବସ୍ଥା କରି ଯିବା ଆସିବା କରୁଛନ୍ତି । ମୋଟାମୋଟି ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଓ ତାହାର ଆଖପାଖ ଅଞ୍ଚଳରେ ଥିବା ବେସରକାରୀ ଅତିଥି ଭବନ ଓ ହୋଟେଲଗୁଡିକ ଉପରେ ଚାପ ସାଂଘାତିକ ଭାବେ ବଢ଼ି ଯାଇଛି । ଏ ପରିପ୍ରେକ୍ଷୀରେ ଆଉ କେତେକ ମନ୍ତ୍ରୀ ଓ ବିଧାୟକ ନିର୍ବାଚନ ମଣ୍ଡଳୀ ବାହାରେ ଥିବା ପଡୋଶୀ ଜିଲ୍ଲାର ସରକାରୀ ବଙ୍ଗଳାରେ ଅବସ୍ଥାନ କରି ସେଠାରୁ ପଦ୍ମପୁର ଯିବା ଆସିବା କରୁଛନ୍ତି । ଅବଶ୍ୟ ଏମାନେ ଉକ୍ତ ଜିଲ୍ଲାଗୁଡିକରେ କିଛି ସରକାରୀ କାର୍ଯ୍ୟକ୍ରମ ଥିବା ଦର୍ଶାଉଛନ୍ତି ।
ବିଭିନ୍ନ ଦଳର ତାରକା ପ୍ରଚାରକ ତାଲିକାରେ ସ୍ଥାନୀୟ ଅଞ୍ଚଳର ନେତାଙ୍କ ସଂଖ୍ୟା ଢ଼େର୍ କମ୍ ରହିଛି । ତେବେ ବରଗଡ ଜିଲ୍ଲାର ଯେଉଁ ନେତାମାନେ ଏଠାକାର ନିର୍ବାଚନ ପ୍ରଚାର ଦାୟିତ୍ୱରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ଘରୁ ଯିବା ଆସିବା କରୁଥିବା ବେଳେ ଆଉ କେତେକ ଦଳର ରାଜନୈତିକ କର୍ମୀ ଓ ନେତାମାନେ ବିଭିନ୍ନ ଗାଁରେ ବି ଘରଭଡା ନେଇ ରହୁଛନ୍ତି ।
ଡିସେମ୍ବର ୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୩ ତାରିଖରୁ ପ୍ରଚାର ବନ୍ଦ ହେବ ଏବଂ ପ୍ରଚାର ବନ୍ଦ ହେବା ମାତ୍ରେ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ନାମ ନଥିବା ନେତା ଓ କର୍ମୀମାନେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଛାଡିବା ପାଇଁ ନିର୍ବାଚନ କମିଶନଙ୍କ ସ୍ପଷ୍ଟ ମାର୍ଗ ନିର୍ଦ୍ଦେଶିକା ରହିଛି । ତେବେ ପ୍ରଚାର ଶେଷ ହେଲେ ମଧ୍ୟ ନିର୍ବାଚନ ପର୍ଯ୍ୟନ୍ତ ଅନେକ ନେତା ପଡୋଶୀ ନିର୍ବାଚନ ମଣ୍ଡଳୀ କିମ୍ବା ଆଖପାଖର ଅନ୍ୟ କୌଣସି ସ୍ଥାନରେ ରହି ମୋବାଇଲ ଫୋନ୍ ଯୋଗେ ଭୋଟ ସଂଗ୍ରହ ପାଇଁ ସେମାନଙ୍କ କାର୍ଯ୍ୟକ୍ରମ ଜାରି ରଖିବା ଅତୀତର ଅନେକ ଉପନିର୍ବାଚନ ବେଳେ ଦେଖାଯାଇଛି ।
୨୦୧୯ର ସାଧାରଣ ନିର୍ବାଚନ ପରେ ଅଷ୍ଟମଥର ପାଇଁ ଏବେ ଉପନିର୍ବାଚନ ହେଉଛି । ଏହା ପୂର୍ବରୁ ଆଉ ୭ଟି ଉପନିର୍ବାଚନ ହୋଇସାରିଛି । ଏଥର ପଦ୍ମପୁରର ୨,୫୯,୩୨୬ ଭୋଟର ୩୧୯ଟି ବୁଥ୍ ମାଧ୍ୟମରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ମହିଳା ଭୋଟର ସଂଖ୍ୟା ୧,୨୮,୯୮୬ ।
ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସଂପନ୍ନ କରାଇବା ଲାଗି କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ରାଜ୍ୟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ହୋଇଛି ଏବଂ ନିର୍ବାଚନ କମିଶନ ବି ଏଥିଲାଗି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ଏହି ଉପନିର୍ବାଚନ ଲାଗି ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ୪୦ଲକ୍ଷ ଟଙ୍କା ରହିଥିବା ବେଳେ ଯେତେ ସଂଖ୍ୟକ ଗାଡି ଓ ନେତା ଏଠାରେ ହାଉଜାଉ ହେଉଛନ୍ତି ଏବଂ ନିର୍ବାଚନ ପ୍ରଚାର ଅଭିଯାନ ଯେପରି ଢ଼ଙ୍ଗରେ ଚାଲୁଛି ସେଥିରୁ ପ୍ରମୁଖ ପ୍ରାର୍ଥୀମାନଙ୍କ ପାଇଁ ଯେ ଏହି ସୀମାଠାରୁ ଅଧିକ ଅର୍ଥ ବ୍ୟୟ ହେଉଛି ସେ ସଂକ୍ରାନ୍ତରେ ପ୍ରାୟ ସମସ୍ତେ ଏକମତ । (ତଥ୍ୟ)