Home News in Odia ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଉଛି କେନ୍ଦ୍ର

ପଦ୍ମପୁରବାସୀଙ୍କୁ ଭୁଆଁ ବୁଲାଉଛି କେନ୍ଦ୍ର

ଭୁବନେଶ୍ୱର : ୨୦୧୮ ମସିହା ଡିସେମ୍ବର ୧୫ ତାରିଖରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଧାରଣ ସଭାରେ ଘୋଷଣା କରିଥିଲେ ଯେ ବରଗଡ ଷ୍ଟେସନରୁ ନୂଆପଡାରୋଡ ଷ୍ଟେସନ ପର୍ଯ୍ୟନ୍ତ ପଦ୍ମପୁର ଦେଇ ଏକ ନୂତନ ରେଳ ଲାଇନ୍‍କୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ସେହିଦିନ ସେ ନିଜ ଟୁଇଟରେ ମଧ୍ୟ ଏହା ଉଲ୍ଲେଖ କରିଥିଲେ । ତେବେ ଏହି ରେଳ ଲାଇନ୍‍କୁ ନେଇ ଚାରିବର୍ଷ ଧରି କେନ୍ଦ୍ର ଭୁଆଁ ବୁଲାଉଥିବା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୧୮ରେ ରେଳଲାଇନ୍‍ ସଂକ୍ରାନ୍ତରେ ଘୋଷଣା କରିବାପରେ ଏହା ପରଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ପଦ୍ମପୁର ଦେଇ ବରଗଡରୁ ନୂଆପଡାକୁ ରେଳଲାଇନ୍‍ ସଂଯୋଗ ପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରି ଆସୁଛନ୍ତି । ପୂର୍ବ ତଟ ରେଳବାଇର ଅଧ୍ୟୟନ ଏବଂ ଏ ସଂକ୍ରାନ୍ତରେ ୨୦୧୯ ଜାନୁୟାରୀ ୧୧ ତାରିଖରେ ରେଳବାଇକୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ରେଳପଥରେ ଲାଭ ପରିମାଣ ୧୭.୩୧% ପ୍ରତିଶତ ଦର୍ଶାଯାଇଥିଲା ଯାହାକି ଅତ୍ୟନ୍ତ ଭଲ । କିନ୍ତୁ ଏହା ସତ୍ୱେ ବି ବର୍ତ୍ତମାନ ପର୍ଯ୍ୟନ୍ତ ରେଳଲାଇନ୍‍ ହୋଇପାରିଲା ନାହିଁ ।

ଏହି ରେଳଲାଇନ୍‍ଟି ପଦ୍ମପୁରବାସୀଙ୍କ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହେବ ଯେଉଁମାନେ ଖୋର୍ଦ୍ଧା-ବଲାଙ୍ଗିର ରେଳଲାଇନ୍‍ ସହିତ ଯୋଡିହୋଇ ବହୁତ ଉପକୃତ ହେବେ । ତେବେ ୨୦୧୯ରେ ରେଳମନ୍ତ୍ରୀ ସୂଚାଇଥିଲେ ଯେ ଏହି ରେଳ ପ୍ରକଳ୍ପଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେଉନଥିବାରୁ ତାହାକୁ ଅଟକାଇ ରଖାଯାଇଛି । ନୂତନ ରେଳଲାଇନ୍‍ ଅନୁମୋଦନ ପାଇଁ ୧୭.୩୧ ପ୍ରତିଶତ ଠାରୁ ଅଧିକ ଲାଭ ମିଳିବା ଆବଶ୍ୟକ । ତେବେ ସେହିବର୍ଷ ଅକ୍ଟୋବର ୧୦ତାରିଖରେ ରେଳବାଇ ବୋର୍ଡ ଏହି ପ୍ରକଳ୍ପକୁ ବିଚାରକୁ ନେବାପାଇଁ ପାଇଁ ମାଗଣାରେ ଜମି ଏବଂ ଜମିଅଧିଣ ଲାଗି ଥଇଥାନ ପୁର୍ନବାସରେ ଆବଶ୍ୟକ ଖର୍ଚ୍ଚ ଦେବା ଲାଗି ଓଡିଶା ସରକାରଙ୍କୁ କହିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ କେବଳ ଆବଶ୍ୟକ ସରକାରୀ ଓ ଘରୋଇ ଜମିକୁ ମାଗଣାରେ ଦେବାପାଇଁ ମଞ୍ଜୁର କରିନାହାନ୍ତି ବରଂ ପ୍ରକଳ୍ପର ନିର୍ମାଣ ପାଇଁ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏ ସଂକ୍ରାନ୍ତରେ ମଧ୍ୟ କେନ୍ଦ୍ର ରେଳ ମନ୍ତ୍ରଣାଳୟକୁ ଜଣାଇ ଦିଆଯାଇଛି । ଓଡିଶା ସରକାରଙ୍କ ମାଗଣା ଜମି ଯୋଗାଣ ସହିତ ୩୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ବି ଏହି ପ୍ରକଳ୍ପ ପାଇଁ ବର୍ତ୍ତମାନ ସୁଦ୍ଧା ଇଟା ଖଣ୍ଡେ ପଡିଲା ନାହିଁ ।

ପଶ୍ଚିମଓଡିଶା ବିଶେଷକରି ପଦ୍ମପୁର, ବରଗଡ ଓ ନୂଆପଡାବାସୀଙ୍କ ସ୍ୱାର୍ଥ ପାଇଁ ଏହି ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯିବା ଏବଂ ଜମି ଅଧିଗ୍ରହଣ ଓ ନିର୍ମାଣ ପାଇଁ ପୂର୍ବ ତଟ ରେଳବାଇକୁ ଦାୟିତ୍ୱ ଦିଆଯିବା ଆବଶ୍ୟକ । ଗତ ୫ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଅନୁଦାନରେ କେନ୍ଦ୍ର ସରକାର ଓଡିଶାକୁ ଗୋଟିଏ ହେଲେ ରେଳଲାଇନ୍‍ ମଞ୍ଜୁର କରି ନାହାନ୍ତି । ରାଜ୍ୟ ଅର୍ଥ ସହାୟତାରେ ନିର୍ମାଣ ହେଉଥିବା ରେଳ ଲାଇନ୍‍ର ସଂଖ୍ୟା ଅତି ନଗଣ୍ୟ । ରେଳ ସାନ୍ଧ୍ରତା କ୍ଷେତ୍ରରେ ବହୁ ପଛରେ ଥିବା ଓଡିଶା ପାଇଁ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଡକ୍ଟର ପାତ୍ର କହିଛନ୍ତି । ତେଣୁ ବିଜୁ ଜନତାଦଳ ପକ୍ଷରୁ ତୁରନ୍ତ ବରଗଡ-ନୂଆପଡା ରେଳଲାଇନ୍‍କୁ ମଞ୍ଜୁରୀ ଦେବାକୁ କୁହାଯାଇଛି ଯାହାକୁ ୨୦୧୮ରେ ଯେଉଁ ମିଛରେ ମଞ୍ଜୁରୀ ମିଳିଛି ବୋଲି କୁହାଯାଇଥିଲା ।