Home Infrastructure ବନ୍ଦର ପାଇଁ ବୁଷ୍ଟ ମଡେଲ

ବନ୍ଦର ପାଇଁ ବୁଷ୍ଟ ମଡେଲ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ବନ୍ଦରର ବିକାଶ ପାଇଁ ରାଜ୍ୟ ସରକାର ‘ବୁଷ୍ଟ’ ମଡେଲ ଆପଣେଇବାକୁ ସ୍ଥିର କରିଛନ୍ତି । କ୍ୟାବିନେଟରେ ପାରିତ ହୋଇଥିବା ଓଡିଶା ବନ୍ଦର ନୀତି – ୨୦୨୨ରେ ବର୍ତ୍ତମାନ ଥିବା ଓ ଆଗକୁ ନିର୍ମାଣ ହେବାକୁ ଥିବା ଏଭଳି ବନ୍ଦରଗୁଡିକୁ ଘରୋଇ ସଂସ୍ଥା ଜରିଆରେ ବ୍ୟବସାୟିକ ବିକାଶ ଲାଗି ପ୍ରସ୍ତାବ ଦିଆଯିବ ।

ବନ୍ଦର ବିକାଶ ଲାଗି ଉତ୍ସାହିତ ସଂସ୍ଥାମାନଙ୍କ ସକାଶେ ଟେଣ୍ଡର ଜାରି ହେବ ଏବଂ ଏବଂ ବୈଷୟିକ ଆର୍ଥିକ ସ୍ଥିତିକୁ ଦେଖି ସେମାନଙ୍କୁ ବଛାଯିବ । ନୂତନ ବନ୍ଦରଗୁଡିକର ପରିଚାଳନା ଏବଂ କାର୍ଯ୍ୟକାରିତା ପାଇଁ ସ୍ପେଶିଆଲ ପର୍ପସ କମ୍ପାନୀ ( ପୋର୍ଟ କମ୍ପାନୀ) ଗଠନ କରାଯିବ । ଏହି କମ୍ପାନୀ ଶିଳ୍ପସଂସ୍ଥା ଓ ପ୍ରକଳ୍ପଗୁଡିକୁ ହିତାଧିକାରୀଭାବେ ସାମିଲ କରିବ । ନୂତନ ନୀତି ଅନୁଯାୟୀ ଏହି ହିତାଧିକାରୀମାନେ ଆଗାମୀ ୫ବର୍ଷ ଲାଗି ଅତି କମ୍‍ରେ ୨୦୦୦ କୋଟି ଟଙ୍କା ବିନିଯୋଗ କରିବେ ।

ବନ୍ଦର ଆଖପାଖରେ ଥିବା ଅଞ୍ଚଳକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପୋର୍ଟ କମ୍ପାନୀ କିମ୍ବା ଏହାଦ୍ୱାରା ମନୋନୀତ ସଂସ୍ଥା କିଣିବେ । ଏହାପରେ ସମ୍ପୃକ୍ତ ଜମିକୁ ବିଭାଗ ପକ୍ଷରୁ କମ୍ପାନୀକୁ ଲିଜ୍‍ ଆକାରରେ ପ୍ରଦାନ କରାଯିବ । ସମଗ୍ର ପ୍ରକଳ୍ପ ‘ବୁଷ୍ଟ୍‍’ ନୀତି ଆଧାରରେ ପ୍ରାରମ୍ଭିକ ଭାବେ ୩୦ବର୍ଷ ପାଇଁ କାର୍ଯ୍ୟ କରିବ । ଚାରିବର୍ଷର ନିର୍ମାଣ ଅବଧି ପରେ ଏହାକୁ ବିଚାରକୁ ନିଆଯିବ ଏବଂ ଆବେଦନର ଯଥାର୍ଥତାକୁ ଦେଖି ଆଉ ଦୁଇଟି ୧୦ବର୍ଷିଆ ଅବଧି ପ୍ରଦାନ କରାଯିବ । ତେବେ ମୋଟ୍‍ ସମୟ ସର୍ବାଧିକ ୫୦ ବର୍ଷ ରହିବ ।

ପ୍ରକଳ୍ପରେ ସମୁଦ୍ରର ସ୍ଥିତି ଏବଂ ଭିତ୍ତିଭୂମି ଯଥା ସଡକ ଏବଂ ରେଳ ସଂଯୋଗ, ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‍, ପିସିପିଆଇାର ବିକାଶ ସହିତ ଭାରତ ଓ ଓଡିଶା ସରକାରଙ୍କ ଆଇନ୍‍କୁ ଦୃଷ୍ଟିରେ ରଖି ୩୦ ବର୍ଷର ‘ବୁଷ୍ଟ’ ସମୟ ପରେ ପ୍ରକଳ୍ପ ଅବଧି ବୃଦ୍ଧିକୁ ବିଚାରକୁ ନିଆଯିବ । ସ୍ୱତନ୍ତ୍ର ପ୍ରାଧିକୃତ କମିଟି ଗଠନ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ କମ୍ପାନୀ ପୋର୍ଟ ପରିଚାଳନା କ୍ଷେତ୍ରରେ ସମସ୍ତ ସେବାର ଦର ନିର୍ଦ୍ଧାରଣ କରିପାରିବ । ମାଲ ପରିବହନ ବ୍ୟତିତ ଏହି ବନ୍ଦରରେ ଯାତ୍ରୀ ପରିବହନ, ଜଳକ୍ରୀଡା କାର୍ଯ୍ୟକଳାପ ହୋଇପାରିବ । ଏଭଳି କ୍ଷେତ୍ରରେ ଓଡିଶା ମାରିଟାଇମ୍‍ ବୋର୍ଡ ଦର ଧାର୍ଯ୍ୟ ସହିତ କ୍ଷତିପୂରଣ ରାଶି ଧାର୍ଯ୍ୟ କରିବେ । ରାଜ୍ୟରେ ଲଜିଷ୍ଟିକ ଭିତ୍ତିଭୂମିର ବିକାଶ ପାଇଁଁ ବୋର୍ଡ ଅଧିନରେ ଗୋଟିଏ ଲଜିଷ୍ଟିକ ସେଲ୍‍ ପ୍ରତିଷ୍ଠା କରାଯିବ ।

ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ବନ୍ଦରଗୁଡିକୁ ରେଳ ସଂଯୋଗ ପାଇଁ ମିଳିତ ଭାବେ କିମ୍ବା ବେସରକାରୀ ରେଳପ୍ରକଳ୍ପ ମଡେଲ ଅର୍ଥବା ବର୍ତ୍ତମାନ ରେଳବାଇର ନୀତିରେ ପରିବର୍ତ୍ତନ କରାଯାଇ ପାରିବ । ରାଜ୍ୟରେ ଥିବା ଏକାଧିକ ନଦୀ ମାଲପରିବହନ ପାଇଁ ଜଳପଥରେ ଥିବା କ୍ଷମତାକୁ ଦର୍ଶାଉଛି । ନୂତନ ବନ୍ଦରଗୁଡିକୁ ଏହି ଆନ୍ତଃରାଜ୍ୟ ଜଳପଥ ସହିତ ସଂଯୋଗ ଲାଗି ଭିତ୍ତିଭୂମିର ବିକାଶ କରାଯିବ ।

ଏହାବାଦ୍‍ ମାରିଟାଇମ୍‍ ବୋର୍ଡ ଏବଂ ରାଜ୍ୟ ସରକାର ବନ୍ଦର ସହିତ ସମନ୍ୱୟ ରକ୍ଷାକରି ଆନ୍ତଃରାଜ୍ୟ ଜଳପଥର ବିକାଶକୁ ପ୍ରୋତ୍ସାହିତ କରିବେ । ସାମାଜିକ ଏବଂ ପରିବେଶ ପ୍ରଭାବକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଆନ୍ତଃରାଜ୍ୟ ଜଳପଥ ଚିହ୍ନଟ ସହିତ ଏହାକୁ ଅଗ୍ରାଧିକାର ପ୍ରଦାନ କରାଯିବ । ସମସ୍ତ ବନ୍ଦର ଏବଂ ଲଜିଷ୍ଟିକ କ୍ଷେତ୍ରର ହିତାଧିକାରୀଙ୍କ ସହିତ ଆଲୋଚନା ବେଳେ ନୂତନ ବନ୍ଦର ନୀତି କାର୍ଯ୍ୟକାରୀ ଉପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଗୁରୁତ୍ୱାରୋପ କରିଥିବା ଜଣାଯାଇଛି । (ତଥ୍ୟ)