Home Election ପଦମପୁରରେ ୯ ବିଧାୟକଙ୍କ ବରିହା ସାଙ୍ଗିଆ

ପଦମପୁରରେ ୯ ବିଧାୟକଙ୍କ ବରିହା ସାଙ୍ଗିଆ

ଭୁବନେଶ୍ୱର : ସ୍ୱାଧୀନତାପ୍ରାପ୍ତି ପରେ ଏଯାବତ୍‍ ପଦମପୁରରେ ୧୫ଥର ନିର୍ବାଚନ ହୋଇଥିବାବେଳେ ସେଥିରୁ ଅନ୍ୟୁନ ୯ଥର ବରିହା ସାଙ୍ଗିଆ ଥିବା ବିଭିନ୍ନ ଦଳର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି । ଏବେ ହେଉଥିବା ଉପନିର୍ବାଚନରେ ପୁଣି ଜଣେ ବରିହା ସାଙ୍ଗିଆ ଥିବା ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ପଦମପୁର ବିଧାନସଭା କ୍ଷେତ୍ରରୁ ଏଯାବତ୍‍ କେବେ ମହିଳା ପ୍ରାର୍ଥୀ ଜିଣିନଥିବାବେଳେ ଏହି ଉପନିର୍ବାଚନରେ କ’ଣ ଫଳାଫଳ ହେବ ତାହା ଉପରେ ସମସ୍ତଙ୍କ ନଜର ।

ପଦମପୁର ବିଧାନସଭା କ୍ଷେତ୍ର ପାଇଁ ହୋଇଥିବା ବିଭିନ୍ନ ନିର୍ବାଚନ ମଧ୍ୟରୁ ଛଅ ଥର ବରିହା ସାଙ୍ଗିଆ ନଥିବା ପ୍ରାର୍ଥୀ ଜିଣିଛନ୍ତି । ୧୯୫୨, ୧୯୫୭ ଓ ୧୯୬୧ର ନିର୍ବାଚନରେ ଏହି ବିଧାନସଭା କ୍ଷେତ୍ରରୁ ବରିହା ସାଙ୍ଗିଆ ଥିବା ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ୧୯୬୭ ଓ ୧୯୭୪ରେ ଏହି ଆସନରୁ ପୂର୍ବ ରେକର୍ଡ ଭାଙ୍ଗି କୃପାସିନ୍ଧୁ ଭୋଇ ବିଜୟୀ ହୋଇଥିଲେ । ପୁଣି ୧୯୭୭ ମସିହାରେ ପଦ୍ମପୁର ବିଧାନସଭା କ୍ଷେତ୍ର ଆଉ ଜଣେ ବରିହା ସାଙ୍ଗିଆ ଥିବା ପ୍ରାର୍ଥୀଙ୍କୁ ଜିଣାଇଥିଲା ।

୧୯୮୦ ଓ ୧୯୮୫ର ବିଧାନସଭା ନିର୍ବାଚନରେ ପଦମପୁରରୁ ବରିହା ସାଙ୍ଗିଆ ଥିବା ପ୍ରାର୍ଥୀଙ୍କୁ ହରାଇ ଜିଣିଥିଲେ ସତ୍ୟଭୂଷଣ ସାହୁ । ତେବେ ୧୯୯୦ ରେ ଶ୍ରୀ ସାହୁଙ୍କୁ ହରାଇ ଏହି ଆସନ କବଜାକୁ ନେଇଥିଲେ ବିଜୟ ରଞ୍ଜନ ସିଂହବରିହା । ୧୯୯୫, ୨୦୦୦, ୨୦୦୯ ଓ ୨୦୧୯ରେ ମଧ୍ୟ ସେ ଏହି ଆସନରୁ ବିଜୟୀ ହୋଇଥିଲେ । ତେବେ ବିଜୟ ରଞ୍ଜନ ସିଂହବରିହାଙ୍କୁ ହରାଇ ୨୦୦୪ରେ ପୁଣି ଥରେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଏଠାରୁ ଜିଣିଥିବାବେଳେ ୨୦୧୪ରେ ବିଜୟ ରଞ୍ଜନ ସିଂହବରିହାଙ୍କୁ ପରାସ୍ତ କରି ପଦ୍ମପୁର କବଜା କରିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।

୨୦୧୯ରେ ବିଜୟ ରଞ୍ଜନ ସିଂହବରିହା ଶେଷ ଥର ପାଇଁ ପଦମପୁର ଆସନରୁ ବିଜୟୀ ହୋଇଥିବାବେଳେ ନିକଟରେ ତାଙ୍କର ଦେହାନ୍ତ ହେବାରୁ ପଦମପୁର ଲାଗି ଉପର୍ନିବାଚନ ହେଉଛି । ଏଥର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ ଥିବାବେଳେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଛନ୍ତି ବିଜେପି ପ୍ରାର୍ଥୀ । ଏମାନଙ୍କ ସହ ଲଢେଇ ମଇଦାନକୁ ଆସିଛନ୍ତି ସ୍ୱର୍ଗତ ବିଜୟ ରଞ୍ଜନ ସିଂହବରିହାଙ୍କ ଝିଅ ବର୍ଷାରାଣୀ ସିଂହବରିହା ବିଜେଡି ପ୍ରାର୍ଥୀ ଭାବେ ।

ଏହି ବିଧାନସଭା ଉପନିର୍ବାଚନରେ ପ୍ରାର୍ଥୀ ଓ ଦଳ ଅପେକ୍ଷା ଚାପ ପକାଉଥିବା ଶକ୍ତିଙ୍କ ଦବଦବା ଅଧିକ ଥିବାଭଳି ମନେ ହେଉଛି । ଫଳରେ ଏହି ନିର୍ବାଚନ ପ୍ରସଙ୍ଗ ଭିତ୍ତିକ ହେବ ବୋଲି ଆଶା କରାଯାଉଛି । ଫସଲବୀମା ଓ ଅନ୍ୟାନ୍ୟ ଦାବିରେ ପଦମପୁରର ଆନ୍ଦୋଳନକାରୀ କୃଷକମାନେ ଉଠାଇଥିବା ପ୍ରସଙ୍ଗ ଯୋଗୁଁ ଦଳୀୟ ପ୍ରାର୍ଥୀମାନଙ୍କୁ ନାମାଙ୍କନ ଦାଖଲ ଲାଗି ଶେଷଦିନକୁ ଅପେକ୍ଷା କରିବାପାଇଁ ପଡିଲା । ଏମିତିକି ଜଣେ ପ୍ରାର୍ଥୀ ବିରାଟ ପଟୁଆରରେ ଆସି ପୂର୍ବରୁ ନାମାଙ୍କନ ଦାଖଲ ନକରି ଚାଷୀମାନଙ୍କ ସହ ବସି ଫେରି ଯାଇଥିଲେ । ଏହି ଆନ୍ଦୋଳନ ଫଳରେ ଏବେ ଫସଲବୀମା ରାଜନୀତି ଜୋର ଧରିଛି । ରାଜ୍ୟ ସରକାର ଇନ୍‍ପୁଟ ସବସିଡି ଦେବାକୁ ଘୋଷଣା କରିଥିବାବେଳେ କେନ୍ଦ୍ର ସରକାର ମଧ୍ୟ ଗତବର୍ଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ବୀମା ଅର୍ଥ ପ୍ରଦାନ ଲାଗି କହିଛନ୍ତି ।

ଏହାଛଡା ପଦମପୁରର ଉପଖଣ୍ଡକୁ ଜିଲ୍ଲା ଘୋଷଣା ପାଇଁ ଦୀର୍ଘଦିନ ଧରି ଚାଲିଥିବା ଆନ୍ଦୋଳନ ଏବେ ରୋଚକ ମୋଡରେ ପହଞ୍ଚିଛି । ଏହି ଆନ୍ଦୋଳନକୁ ସମସ୍ତ ପ୍ରମୁଖ ରାଜନୈତିକଦଳ ସମର୍ଥନ ଜଣାଇଥିବାବେଳେ ୨୦୨୩ ଡିସେମ୍ବର ସୁଦ୍ଧା ପଦମପୁରକୁ ଜିଲ୍ଲା ଘୋଷଣା ପାଇଁ ବିଜେଡି ସଭାପତି ସୂଚନା ଦେବା ସଂଗେ ସଂଗେ ଏହା ତାଙ୍କ ଦଳର ନିର୍ବାଚନ ଇସ୍ତାହାରରେ ରହିବ ବୋଲି କହିଛନ୍ତି । ଏହାଛଡା ପଦମପୁର ଭଳି ପଛୁଆ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ମାଳ ମାଳ ସମସ୍ୟା ରହିଛି । (ତଥ୍ୟ)