Home News in Odia ଉପନିର୍ବାଚନରେ ତିନି ପିଢ଼ିର ତିନି ପ୍ରାର୍ଥୀ

ଉପନିର୍ବାଚନରେ ତିନି ପିଢ଼ିର ତିନି ପ୍ରାର୍ଥୀ

ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଘୋଷଣା କରିଥିବା ପ୍ରାର୍ଥୀ ହେଉଛି ତିନି ପିଢ଼ିର । ଏମାନଙ୍କ ସଂପର୍କରେ ଜାଣିବା ଲାଗି ଏବେ ସମଗ୍ର ରାଜ୍ୟରେ ଉତ୍ସୁକତା ପ୍ରକାଶ ପାଇଛି ।

କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରିଛି ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ । ଶ୍ରୀ ସାହୁ ୧୯୮୦, ୧୯୮୫ ଓ ୨୦୦୪ ମସିହାରେ ରାଜ୍ୟ ବିଧାନସଭାକୁ ପଦ୍ମପୁର ଆସନରୁ ନିର୍ବାଚିତ ହୋଇଥିଲେ ଏବଂ କଂଗ୍ରେସ ସରକାର ଅମଳରେ ଦୀର୍ଘବର୍ଷ ଧରି ବିଧାନସଭାରେ ମୁଖ୍ୟ ସଚେତକ ପଦବୀ ଅଳଙ୍କୃତ କରିଥିଲେ । ୨୦୦୪ ପରଠାରୁ ଏହି ଆସନ ଆଉ କଂଗ୍ରେସ ହାତକୁ ଯାଇନାହିଁ ।

ବିଗତ ନିର୍ବାଚନରେ ଦାଖଲ କରାଯାଇଥିବା ସତ୍ୟପାଠ ଓ ବିଧାନସଭା ନଥିପତ୍ରରୁ ଜଣାପଡେ ଯେ ଶ୍ରୀ ସାହୁ ବରଗଡର ପଞ୍ଚାୟତ କଲେଜରୁ ସମ୍ମାନର ସହ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଗଙ୍ଗାଧର ମେହେର କଲେଜରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ପାଇଥିଲେ । ବିଗତ ନିର୍ବାଚନର ସତ୍ୟପାଠରେ ଥିବା ବିବରଣୀ ଅନୁଯାୟୀ ଶ୍ରୀ ସାହୁଙ୍କ ବିରୋଧରେ ବିଭିନ୍ନ ଦଫାରେ କେତେକ ଫୌଜଦାରୀ ମାମଲା ରହିଥିଲା । ଶ୍ରୀ ସାହୁଙ୍କ ଜନ୍ମ ୧୯୫୨ ମସିହାରୁ ହୋଇଥିବାରୁ ଏବେ ତାଙ୍କ ବୟସ ପ୍ରାୟ ୭୦ ବର୍ଷ ବୋଲି କୁହାଯାଉଛି ।

ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ପ୍ରଦୀପ କୁମାର ପୁରୋହିତଙ୍କ ବୟସ ୫୬ ବର୍ଷ । ତାଙ୍କର ଜନ୍ମ ବରଗଡ ଜିଲ୍ଲାର ପାଇକମାଳ ଅଞ୍ଚଳରେ । ସେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି । ୨୦୧୪ ନିର୍ବାଚନରେ ଶ୍ରୀ ପୁରୋହିତ ପଦ୍ମପୁର ଆସନରୁ ବିଜେପି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତେବେ ୨୦୧୯ ମସିହାରେ ସେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହାଙ୍କଠାରୁ ହାରି ଯାଇଥିଲେ । ବିଗତ ନିର୍ବାଚନରେ ସେ ଦାଖଲ କରିଥିବା ସତ୍ୟପାଠ ମୁତାବକ ଶ୍ରୀ ପୁରୋହିତଙ୍କ ବିରୋଧରେ ବିଭିନ୍ନ ଦଫାରେ ଏକ ଡଜନରୁ ଅଧିକ ଅପରାଧିକ ମାମଲା ବିଚାରାଧୀନ ରହିଥିଲା । ଚଳିତ ନିର୍ବାଚନରେ ସେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏହି ମାମଲା ସଂଖ୍ୟା ବଢ଼ିଛି ନା କମିଛି ତାହା ସ୍ପଷ୍ଟ ହେବ । ଶ୍ରୀ ପୁରୋହିତ ବିଜେପିର କୃଷକ ସଂଗଠନ ସହ ଜଡିତ ।

ବିଜୁ ଜନତା ଦଳ ଏହି ନିର୍ବାଚନରେ ସଂପୂର୍ଣ୍ଣ ନବାଗତା ବର୍ଷାରାଣୀ ସିଂ ବରିହାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବର୍ଷା ହେଉଛନ୍ତି ଦିବଂଗତ ବିଧାୟକ ତଥା ବିଜେଡି ନେତା ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ଓ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ରମାରଞ୍ଜନ ବଳିଆରସିଂଙ୍କ ବୋହୂ । ବର୍ଷାଙ୍କ ବାପା ପୂର୍ବରୁ ବିଧାନସଭାକୁ ପାଞ୍ଚଥର ନିର୍ବାଚିତ ହୋଇଥିବା ବେଳେ ନବୀନ ପଟ୍ଟନାୟକଙ୍କ ସରକାରରେ ଥରେ ମନ୍ତ୍ରୀ ଥିଲେ । ବର୍ଷାଙ୍କ ପାଠପଢ଼ା ମୁଖ୍ୟତଃ ଭୁବନେଶ୍ୱରରେ ହୋଇଛି । ସେ ବିଜେବି କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ଓ ପରେ ବାଙ୍ଗାଲୋରରେ ଆଇନ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କର ବୟସ ୨୫ରୁ ୩୦ ବର୍ଗରେ । ବର୍ଷାଙ୍କ ବିରୋଧରେ କିନ୍ତୁ କୌଣସି ଅପରାଧିକ ମାମଲା ନାହିଁ ।

ଏହି ତିନି ଦଳର ଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ କଂଗ୍ରେସର ଶ୍ରୀ ସାହୁ ବୟସ ଦୃଷ୍ଟିରୁ ଅନ୍ୟମାନଙ୍କ ଅପେକ୍ଷା ଢ଼େର୍‍ ବଡ ହୋଇଥିବା ବେଳେ ବିଜେପିର ଘୋଷିତ ପ୍ରାର୍ଥୀ ଶ୍ରୀ ପୁରୋହିତ ମଧ୍ୟମ ବର୍ଗର ଓ ବର୍ଷା ସର୍ବକନିଷ୍ଠା । ସେହିଭଳି ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ଏମଏଏଲଏଲବି ଡିଗ୍ରୀ ହାସଲ କରି ବର୍ଷା ଏମାନଙ୍କ ମଧ୍ୟରେ ଆଗରେ ଥିବାବେଳେ ଏମଏସି ଡିଗ୍ରୀ ହାସଲ କରି ଶ୍ରୀ ସାହୁ ମଧ୍ୟମ ସ୍ଥାନରେ ଓ ୧୦ମ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଶ୍ରୀ ପୁରୋହିତ ତାଙ୍କ ପଛକୁ ରହିଛନ୍ତି । ତେବେ ବୟସ, ଶିକ୍ଷାଗତ ଯୋଗ୍ୟତା ଓ ରାଜନୈତିକ ଅଭିଜ୍ଞତା ଛଡା ସମ୍ବେଦନଶୀଳ ପଦ୍ମପୁର ବିଧାନସଭା କ୍ଷେତ୍ରରେ ଭୋଟ ସମୀକରଣ ପାଇଁ ଅନ୍ୟ ବହୁ ପ୍ରସଙ୍ଗ ଥିବାରୁ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି । (ତଥ୍ୟ)