Home General ଓଡିଶାରୁ ରପ୍ତାନି ଦେଶର ୪ ପ୍ରତିଶତ

ଓଡିଶାରୁ ରପ୍ତାନି ଦେଶର ୪ ପ୍ରତିଶତ

ଭୁବନେଶ୍ୱର : ସମଗ୍ର ଦେଶରୁ ଯେତିକି ମୂଲ୍ୟର ସାମଗ୍ରୀ ବିଦେଶକୁ ରପ୍ତାନି ହେଉଛି ତାହାର ୪ ପ୍ରତିଶତରୁ ସାମାନ୍ୟ ଅଧିକ ଓଡିଶାରୁ ଯାଉଛି । ୨୦୨୧-୨୨ ବର୍ଷର ରପ୍ତାନି ହିସାବରୁ ଏହା ଜଣାପଡିଛି ।

୨୦୨୧-୨୨ ବର୍ଷରେ ଭାରତରୁ ବିଦେଶକୁ ୩୧,୪୬,୧୮୬.୨୮ କୋଟି ଟଙ୍କାର ସାମଗ୍ରୀ ରପ୍ତାନି ହୋଇଥିବାବେଳେ ଓଡିଶାରୁ ଯାଇଛି ୧,୨୭,୧୯୭.୬୬ କୋଟି ଟଙ୍କା । ଅର୍ଥାତ ଜାତୀୟ ରପ୍ତାନିର ୪.୦୪ ପ୍ରତିଶତ । ତେବେ ଗତ କିଛି ବର୍ଷର ରପ୍ତାନିକୁ ହିସାବକୁ ନେଲେ ରାଜ୍ୟର ରପ୍ତାନି ପରିମାଣ ବୃଦ୍ଧି ଘଟିଥିବା ଲକ୍ଷ୍ୟ କରାଯାଇଛି ।

ଓଡିଶାରୁ ବିଦେଶକୁ ରପ୍ତାନି ହେଉଥିବା ପ୍ରମୁଖ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ଖଣିଜ ସାମଗ୍ରୀ । ୨୦୨୧-୨୨ ବର୍ଷରେ ରପ୍ତାନି ଖଣିଜ ସାମଗ୍ରୀର ପରିମାଣ ଥିଲା ୮୬,୭୨୬.୬୪ କୋଟି ଟଙ୍କା । ଏହା ପଛକୁ ଯାନ୍ତ୍ରିକ ଓ ରସାୟନିକ ସାମଗ୍ରୀର ରପ୍ତାନି ଥିଲା । ଏଥି ସହିତ ଓଡିଶାରୁ କୃଷି ଓ ଜଙ୍ଗଜାତ ସାମଗ୍ରୀ ସହିତ ହସ୍ତତନ୍ତ, ହସ୍ତଶିଳ୍ପ, ବୟନଶିଳ୍ପ, ଔଷଧ ଓ ସଫ୍ଟଓୟାର ଆଦି ରହିଛି ।

ତେବେ ରାଜ୍ୟର ଗର୍ବ କୁହାଯାଉଥିବା ହସ୍ତତନ୍ତ ସାମଗ୍ରୀର ରପ୍ତାନି ଅତ୍ୟନ୍ତ ନଗଣ୍ୟ ରହିଛି । ୨୦୨୧-୨୨ ବର୍ଷରେ ଓଡିଶାରୁ ମାତ୍ର ୨କୋଟି ଟଙ୍କାର ସାମଗ୍ରୀ ରପ୍ତାନି ହୋଇଥିଲା । ଅବଶ୍ୟ ଏହା ଗତବର୍ଷ ତୁଳନାରେ ଅଧିକ ରହିଥିଲା । ୨୦୧୭-୧୮ ବର୍ଷରେ ଓଡିଶାରୁ ମାତ୍ର ୫୩ ଲକ୍ଷ ଟଙ୍କାର ହସ୍ତତନ୍ତ ସାମଗ୍ରୀ ରପ୍ତାନି ହୋଇଥିବାବେଳେ ୨୦୧୮-୧୯ବର୍ଷରେ ଏହି ପରିମାଣ ୭ଲକ୍ଷ ଟଙ୍କା ଏବଂ ୨୦୨୦-୨୧ ବର୍ଷରେ ୯ଲକ୍ଷ ଟଙ୍କା ରହିଥିଲା ।

ତେବେ ରପ୍ତାନି ହୋଇଥିବା ହସ୍ତଶିଳ୍ପ ସାମଗ୍ରୀର ମୂଲ୍ୟ ପାଖପାଖି ସାଢେ ୯କୋଟି ଟଙ୍କା ରହିଥିଲା । ଏହା ପୂର୍ବ ଚାରିବର୍ଷ ତୁଳନାରେ ଢେର ଅଧିକ ଥିଲା । ୨୦୧୮-୧୯ବର୍ଷରେ ଓଡିଶାରୁ ମାତ୍ର ୧.୩୯ କୋଟି ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ରପ୍ତାନି ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହା ୩.୦୮ କୋଟି ଟଙ୍କା ରହିଥିଲା । କୃଷି ଓ ଜଙ୍ଗଲଜାତ ସାମଗ୍ରୀର ରପ୍ତାନି ପରିମାଣ ପାଖାପାଖି ସାଢେ ୪ହଜାର କୋଟି ଟଙ୍କା ରହିଥିଲା ।

ତେବେ ରାଜ୍ୟ ସରକାର ଆଇଟି ଉପରେ ଗୁରୁତ୍ୱ ଦେବା ଫଳରେ ଓଡିଶାରୁ ବର୍ଷକୁ ବର୍ଷ ଆଇଟି ଓ ଇଲେକଟ୍ରୋନିକ୍ସ ସାମଗ୍ରୀ ରପ୍ତାନି ପରିମାଣ ବଢିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ଏହା ୪୫୦୦ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୪୭୦୦ କୋଟି ଟଙ୍କାକୁ ଟପିଯାଇଥିଲା ।

ତେବେ ଗୋଟିଏ କଥା ଲକ୍ଷ୍ୟ କରାଯାଇଛି ଯେ କରୋନା ମହାମାରୀ ସମୟରେ ଓଡିଶାରୁ ଅଧିକ ପରିମାଣରେ ଖଣିଜ ସାମଗ୍ରୀ ରପ୍ତାନି ହେବା ଫଳରେ ପୂର୍ବବର୍ଷ ତୁଳନାରେ ରପ୍ତାନି ପରିମାଣ ଅଧିକ ରହିଥିଲା । ଅନ୍ୟ ସାମଗ୍ରୀ ତୁଳନାରେ ଅଧିକ ପରିମାଣରେ ଖଣିଜ ସାମଗ୍ରୀ ରପ୍ତାନି ହୋଇଥିବାବେଳେ ଔଷଧ ରପ୍ତାନି କିନ୍ତୁ ଧିମେଇ ଯାଇଥିଲା । (ତଥ୍ୟ)