Home Agriculture କୃଷି ଭବନରେ ମିଲେଟ୍‌ ମିଶନ ସେଲ୍‌

କୃଷି ଭବନରେ ମିଲେଟ୍‌ ମିଶନ ସେଲ୍‌

ଭୁବନେଶ୍ୱର : ଆଜି ରାଜ୍ୟରେ ମାଣ୍ଡିଆ ଦିବସ ପାଳନ ହେଉଥିବା ଅବସରରେ ପୂର୍ବାହ୍ନରେ କୃଷି ଭବନଠାରେ ନବନିର୍ମିତ ଓଡ଼ିଶା ମିଲେଟ୍‌ସ ମିଶନ ସେଲ୍‌ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି ।

ପ୍ରଦୀପ ଜାଳି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହି ସେଲକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ପରେ ସେଲକୁ ବୁଲି ଦେଖିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଦେଶବିଦେଶରେ ଓଡ଼ିଶା ମିଲେଟ୍‌ସ ମିଶନ ରାଜ୍ୟ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଏହାର କାର୍ଯ୍ୟକାରିତା ସୁନିୟନ୍ତ୍ରିତ କରିବା ପାଇଁ ଏହି ସେଲ୍‌ ଗଠନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ଓଡ଼ିଶା ମିଲେଟ୍‌ସ ମିଶନର କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ସମସ୍ତ ୩୦ଟି ଜିଲ୍ଲାକୁ ସଂପ୍ରସାରିତ କରାଯାଉଥିବା ପରିପ୍ରେକ୍ଷୀରେ ଯୋଜନାର ସଫଳ ରୂପାୟନ ଓ ପୁଷ୍ଟିଶସ୍ୟର ବହୁଳ ପ୍ରଚାର ଓ ପ୍ରସାର କରିବା ଦିଗରେ ଏହି ସେଲ୍‌ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି ।

ଉଦ୍‌ଘାଟନ ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ପ୍ରକାଶଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ମାର୍ଗଶୀର ମାସ ପ୍ରଥମ ଗୁରୁବାର ଦିନ ଦେଶରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଥିବା ଉପଲକ୍ଷେ କୃଷି ଭବନ ପରିସରରେ ମିଲେଟ୍‌ସ ଦ୍ୱାରା ଆକର୍ଷଣୀୟ ଝୋଟି ଅଙ୍କନ କରାଯାଇଥିଲା । ଏଥି ସହିତ ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଥିଲା ।