Home Administration ଅଫିସରଙ୍କଠୁ ଆଦାୟ କର ଶ୍ରୀମନ୍ଦିର ଜୋରିମାନା

ଅଫିସରଙ୍କଠୁ ଆଦାୟ କର ଶ୍ରୀମନ୍ଦିର ଜୋରିମାନା

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିରର ଖୋରଧା ଜିଲ୍ଲାରେ ଥିବା ଭୂ ସମ୍ପତ୍ତିରୁ ବେଆଇନ୍‍ ପଥର ଖନନ କରାଇ ପରିବେଶ ଜନିତ କ୍ଷତି ଘଟାଇଥିବା ଅଭିଯୋଗରେ ଜାତୀୟ ଗ୍ରିନ୍‍ ଟ୍ରିବ୍ୟୁନାଲ ଶ୍ରୀମନ୍ଦିର ପ୍ରଶାସନ ଉପରେ ୧୨କୋଟି ଟଙ୍କାର ଜୋରିମାନା ଲାଗୁ କରିଥିବାବେଳେ ଏହି ଅର୍ଥ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ଠାରୁ ରାଜ୍ୟ ସରକାର ଅସୁଲ କରିବା ସଂଗେ ସଂଗେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ବିଭିନ୍ନ ମହଲରୁ ସ୍ୱର ଉଠୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଖୋରଧା ଜିଲ୍ଲାରେ ଶ୍ରୀମନ୍ଦିର ପ୍ରଶାସନର ପାଖାପାଖି ୩୦ହଜାର ଏକର ଭୂସମ୍ପତ୍ତି ରହିଛି । ଏଥିରୁ ପ୍ରାୟ ୧୬ହଜାର ଏକର ଭୂସମ୍ପତ୍ତିର ସତ୍ୱଲିପି ମନ୍ଦିର ପ୍ରଶାସନ ପାଖରେ ରହିଥିବାବେଳେ ଆଉ ୧୩ହଜାର ଏକରରୁ ଅଧିକ ସତ୍ୱଲିପି ମିଳିନାହିଁ । ଶ୍ରୀମନ୍ଦିର ପ୍ରଶାସନର ଖୋରଧା ଜିଲ୍ଲାରେ ଥିବା ଜମି ମଧ୍ୟରୁ ଅନେକ ପଥୁରିଆ । ଏଗୁଡିକରେ ଉଚ୍ଚମାନର ପଥର ରହିଥିବା ପରିପ୍ରେକ୍ଷୀରେ ମାଫିଆମାନେ ବିନାନୁମତିରେ ବର୍ଷ ବର୍ଷ ଧରି ମେସିନ୍‍ ଲଗାଇ ଏଠାରୁ ପଥର କାଟି କୋଟି କୋଟି ଟଙ୍କାର ମୁନାଫା ଉଠାଉଛନ୍ତି । କେତେକ ସ୍ଥଳରେ ପଥର ବୋଝେଇ ଟ୍ରକ, ଟ୍ରାକ୍ଟର ଓ ପଥରକଟା ଯନ୍ତ୍ରପାତି ଆଦି ଜବତ କରିବାକୁ ଯାଇଥିବା ତଳିଆ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ବି ହେଉଛି ।

ଶ୍ରୀମନ୍ଦିର ଜମିରୁ କେଉଁମାନେ ବେଆଇନ୍‍ ଭାବେ ପଥର କାଟି କେବେଠାରୁ ବିକି ଚାଲିଛନ୍ତି ତାହା ଜିଲ୍ଲା, ତହସିଲ ଓ ସ୍ଥାନୀୟ ପ୍ରଶାସନ ତଥା ଲୋକପ୍ରତିନିଧିମାନେ ଜାଣନ୍ତି । ଏହା ସତ୍ୱେ ବି ଏଭଳି ବେଆଇନ୍‍ ପଥର ଚାଲାଣ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ ବଡ ଗାତ ସୃଷ୍ଟି ହେବା ସହ ଗଛପତ୍ର ମଧ୍ୟ ନଷ୍ଟ ହୋଇଛି ।

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଜାତୀୟ ଗ୍ରିନ୍‍ ଟ୍ରିବ୍ୟୁନାଲଙ୍କ ଦୃଷ୍ଟିକୁ ଅଣାଯାଇଥିଲା । ସମସ୍ତ କାଗଜପତ୍ର ଓ ତଥ୍ୟ ପ୍ରମାଣରୁ ଜଣାପଡିଛି ଯେ ୨୬ଟି ପଥର ଖଣି ନିଲାମ ପାଇଁ ସ୍ଥିର ହୋଇଥିବାବେଳେ ସେଥିରୁ ମାତ୍ର ୪ଟି ନିଲାମ ହୋଇଛି ଓ ନିଲାମ ହୋଇଥିବା ଖଣି ମଧ୍ୟରୁ କେତେକର ପରିବେଶ ମଞ୍ଜୁରୀ ନାହିଁ । ଏହାଛଡା ବେଆଇନ୍‍ ଭାବେ ଆଉ କେତେକ ଚିପ୍‍ସ, ବଜୁରୀ ଆଦି ପାଇଁ ଆଉ ୬୦ରୁ ଅଧିକ ପଥର ଖଣି ମଧ୍ୟ ନିଲାମ ହୋଇଥିଲା । ଏଥିରେ ବି ଅନେକ ବେଆଇନ୍‍ କାର୍ଯ୍ୟ ହୋଇଛି ।

ଏହି ପଥରଖଣିଗୁଡିକ ଯୋଗୁଁ ସବୁଜିମା ନଷ୍ଟ ହେବା ସହିତ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିଥିବା ପରିପ୍ରେକ୍ଷୀରେ ଇତି ମଧ୍ୟରେ ଜାତୀୟ ଗ୍ରିନ୍‍ ଟ୍ରବ୍ୟୁନାଲ ଶ୍ରୀମନ୍ଦିର ପ୍ରଶାସନକୁ ୧୨କୋଟି ଟଙ୍କା ପଇଠ କରିବାଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କାରେ ସମ୍ପୃକ୍ତ ଅଞ୍ଚଳର ପରିବେଶ ବିକାଶ ଲାଗି ଜିଲ୍ଲା ପ୍ରଶାସନ କାମ କରିବ । ତେବେ ଯେଉଁ ଅଧିକାରୀମାନଙ୍କ ତ୍ରୁଟି ବିଚ୍ୟୁତି ଯୋଗୁଁ ଯେଉଁ ରାଜନେତାମାନଙ୍କ ପୃଷ୍ଟପୋଷକତାରେ ଏଭଳି ବେଆଇନ୍‍ ପଥରକଟା ହୋଇଛି ସେହିମାନଙ୍କ ଠାରୁ ଉକ୍ତ ୧୨ କୋଟି ଟଙ୍କା ଆଦାୟ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ବହୁ ପରିବେଶପ୍ରେମୀ ମତ ଦେଇଛନ୍ତି ।

ଏନ୍‍ଜିଟିଙ୍କ ଏହି ଆଦେଶକୁ ଶ୍ରୀମନ୍ଦିର ପ୍ରଶାସନ ସୀମିତ ସମୟ ମଧ୍ୟରେ କେତେଦୂର କାର୍ଯ୍ୟକାରୀ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ଏନ୍‍ଜିଟିଙ୍କ ରାୟର ତର୍ଜମା ପରେ ହୁଏତ ଏହା ବିରୁଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ଉପର ଅଦାଲତରେ ଅପିଲ କରିପାରେ । ତେବେ ମୁଖ୍ୟ ପ୍ରସଙ୍ଗ ହେଉଛି ସର୍ବ ସମକ୍ଷରେ ଶ୍ରୀମନ୍ଦିର ଜମିରୁ ପଥର ଲୁଟ୍‍ ଓ ଏହା ଉପରେ ବେଆଇନ୍‍ କାର୍ଯ୍ୟକଳାପ ଯୋଗୁଁ ପରିବେଶର ଯେଉଁ ବ୍ୟାପକ କ୍ଷତି ହୋଇଛି ତାହାର ଭରଣା କରିବ କିଏ ? ଶ୍ରୀମନ୍ଦିରର ଭୂସମ୍ପତ୍ତି ଘେନି ବିଭିନ୍ନ ମହଲରୁ ବାରମ୍ବାର ପ୍ରଶ୍ନ ଉଠୁଛି । ରାଜ୍ୟ ଭିତରେ ଶ୍ରୀମନ୍ଦିର ପ୍ରଶାସନ ନାମରେ ୬୦ହଜାର ଏକରରୁ ଅଧିକ ଓ ଆଉ ୬ଟି ରାଜ୍ୟରେ ପ୍ରଚୁର ଭୂସମ୍ପତ୍ତି ଥିବାବେଳେ ଏଥିରୁ ବାର୍ଷିକ ଲକ୍ଷେ ଟଙ୍କା ବି ଆୟ ହୋଇପାରୁ ନାହିଁ । (ତଥ୍ୟ)