ଭୁବନେଶ୍ୱର : ସରକାରୀ ଡିଗ୍ରୀ କଲେଜଗୁଡିକରେ କାମ କରୁଥିବା ଡେମୋନଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ଦରମା ଦେବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ରହିଛି । ଫଳରେ ବର୍ଷ ବର୍ଷ ଧରି ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ôଚତ ଥିବା ଏହି କର୍ମଚାରୀମାନଙ୍କ ଦରମା ହାର ବଢ଼ିବା ସହିତ ସେମାନେ ପିଛିଲା ତାରିଖରୁ ବକେୟା ମଧ୍ୟ ପାଇବେ ।
ମାମଲାର ବିବରଣୀରୁ ପ୍ରକାଶ ଯେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଆଦି ବିଭିନ୍ନ ବିଷୟରେ ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ କଲେଜରେ ଡେମୋନଷ୍ଟ୍ରେଟର ଭାବେ କାର୍ଯ୍ୟ କରୁଥିବା କେତେକ କର୍ମଚାରୀ ସେମାନଙ୍କୁ ୟୁଜିସି ମାର୍ଗ ନିର୍ଦ୍ଦେଶିକା ଆଧାରରେ ଅଧିକ ବେତନ ପ୍ରଦାନ ପାଇଁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଡେମୋନଷ୍ଟ୍ରେଟର ମାନଙ୍କୁ କଲେଜ ଶିକ୍ଷକ ପର୍ଯ୍ୟାୟଭୁକ୍ତ କରିବା ସହ ଦ୍ୱିତୀୟ ଶ୍ରେଣୀ ପାହ୍ୟା ଦେବା ଲାଗି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗ ମଧ୍ୟ ଦରମା ସଂଶୋଧନ ଲାଗି ମତ ପ୍ରକାଶ କରିଥିଲେ । ସକାରୀ ବ୍ୟବସ୍ଥା ସତ୍ତ୍ୱେ ଓଡ଼ିଶାର କଲେଜଗୁଡିକରେ କାର୍ଯ୍ୟରତ ଡେମୋନଷ୍ଟ୍ରେଟରମାନଙ୍କୁ ୟୁଜିସି ହାରରେ ବେତନ ମିଳୁନଥିଲା ।
ଏ ପ୍ରସଙ୍ଗରେ ଗୀତାଞ୍ଜଳି ମିଶ୍ର, ବିଜୟ କୁମାର ସ୍ୱାଇଁ ଆଦି ବିଭିନ୍ନ ସମୟରେ ଆଇନ ଅଦାଲତର ଦ୍ୱାରସ୍ଥ ହୋଇ ନ୍ୟାୟ ଲୋଡିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଡେମୋନଷ୍ଟ୍ରେଟର ସଂଘ ପକ୍ଷରୁ ବି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ଏହି ମାମଲାଗୁଡିକରେ ପୂର୍ବରୁ ଅନୁକୂଳ ରାୟ ଦେଇ ଡେମୋନଷ୍ଟ୍ରେଟରମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ଅଣଶିକ୍ଷକ ଭାବେ ନ ଗଣି ୟୁଜିସି ହାରରେ ବେତନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ଚକ୍ରପାଣି ପଟ୍ଟନାୟକ, ରବି ନାରାୟଣ ସାମଲ ପ୍ରମୁଖ ଆଉ କେତେକ ଡେମୋନଷ୍ଟ୍ରେଟର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ତେବେ ସମରେନ୍ଦ୍ର ନାଏକ ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାର ଦୀର୍ଘ ଶୁଣାଣିକରି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍.ମୂରଲୀଧର ଓ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀମାନଙ୍କୁ ୟୁଜିସି ହାରରେ ୧୯୮୬ ଜାନୁଆରୀ ପହିଲାରୁ ବେତନ ମଞ୍ଜୁର ସହ ସେମାନଙ୍କ ସମସ୍ତ ପ୍ରାପ୍ୟ ୧୨ ସପ୍ତାହ ମଧ୍ୟରେ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ କ୍ଷେତ୍ରରେ ଆବେଦନକାରୀ ମାନେ ଅବସର ଗ୍ରହଣ କରିଛନ୍ତି ସେମାନଙ୍କ ପେନସନ୍ରେ ସଂଶୋଧନ ଆଣିବା ଏବଂ ଅନ୍ୟ କ୍ଷେତ୍ରରେ ସଂପୃକ୍ତ କର୍ମଚାରୀଙ୍କ ଉତ୍ତରାଧିକାରୀମାନଙ୍କୁ ବକେୟା ଆର୍ଥିକ ସୁବିଧା ପ୍ରଦାନ କରିବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ (ଏସଏଲପି) ଦାଖଲ କରି ଏହି ରାୟକୁ ନାକଚ କରିବା ପାଇଁ ନିବେଦନ କରିଥିଲେ । ତେବେ ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଅଜୟ ରାସ୍ତୋଗୀ ଓ ସି.ଟି. ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବ ରାୟଗୁଡିକର ଅନୁଶୀଳନ କରି ଏ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ରାୟ ଯଥାର୍ଥ ଥିବା ଉଲ୍ଲେଖ କରିବା ସହ ରାଜ୍ୟ ସରକାରଙ୍କ ଏସଏଲପିକୁ ଖାରଜ କରିଦେଇଛନ୍ତି ।
ଏହାଫଳରେ ଏବେ ବିଭିନ୍ନ କଲେଜରେ କାର୍ଯ୍ୟରତ ଏବଂ ଅବସର ଗ୍ରହଣ କରିସାରିଥିବା ଡେମୋନଷ୍ଟ୍ରେଟରମାନଙ୍କ ବେତନ ଓ ପେନସନ ୟୁଜିସି ହାରରେ ନିର୍ଦ୍ଧାରଣ କରାଯାଇ ଅଧିକ ଆର୍ଥିକ ଫାଇଦା ଦିଆଯିବା ସମ୍ଭାବନା ଉଜ୍ଜ୍ୱଳତର ହୋଇଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏହି ରାୟର ତର୍ଜମା କରିବା ସହ ଏ ପ୍ରସଙ୍ଗରେ ଆଇନ ଓ ଅର୍ଥ ବିଭାଗ ସହ ଆଲୋଚନା କରି ସରକାରଙ୍କ ନିଷ୍ପତ୍ତି କ୍ରମେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରନ୍ତି । (ତଥ୍ୟ)