ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ନୂତନ ଭାବେ ଆରମ୍ଭ ହୋଇଥିବା ପିଜି ଇନ୍ଷ୍ଟିଟ୍ୟୁଟରେ ପାଠପଢା ଆରମ୍ଭ ହୋଇଥିବାବେଳେ ଇତି ମଧ୍ୟରେ ଏହି ବହୁ ପ୍ରତୀକ୍ଷିତ ଶିକ୍ଷାନୁଷ୍ଠାନକୁ ତାହାର ନଜସ୍ୱ ଲୋଗୋ ମିଳିଯାଇଛି ।
ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲର ନିଜସ୍ୱ ଲୋଗୋକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଉଭୟ ଇଂରାଜୀ ଓ ଓଡିଆ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ଲୋଗୋରେ କୋଣାର୍କର ଅଶ୍ୱ ସହିତ ଡାକ୍ତରୀ ଚିହ୍ନ ରହିଛି । ଏଣିକି ପିଜି ଶିକ୍ଷାନୁଷ୍ଠାନ ଏହାକୁ ବ୍ୟବହାର କରିପାରିବ । ଏହି ଲୋଗୋ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଓ ବିଭାଗଗୁଡିକୁ ଅବଗତ କରାଯାଇଛି ।
ପିଜି ଇନ୍ଷ୍ଟିଟ୍ୟୁଟରେ ଶିକ୍ଷାଦାନ ସଂକ୍ରାନ୍ତରେ ଏହାର ନିର୍ଦ୍ଦେଶିକା ପ୍ରଫେସର ଡାକ୍ତର ନିବେଦିତା ପାଣି ଦେଇଥିବା କହିଛନ୍ତି ଯେ ଏଠାରେ ମଞ୍ଜୁରୀପ୍ରାପ୍ତ ୨୪ ଆସନ ମଧ୍ୟରେ ଉଭୟ ରାଜ୍ୟ ଓ ସର୍ବଭାରତୀୟ କୋଟାରେ ୧୨ଟି କରି ଆସନ ରହିଛି । ଏଠାରେ ଥିବା ବିଭିନ୍ନ ବିଭାଗ ମଧ୍ୟରେ ମେଡିସନ୍, ସର୍ଜରୀ, ସ୍ତ୍ରୀ ଓ ପ୍ରସୂତୀରେ ୫ଟି କରି ଆସନ ଥିବାବେଳେ, ପଲ୍ୟୁମନାରୀ ମେଡିସିନ୍ରେ ୩, ଶିଶୁ ବିଭାଗରେ ୪, ଅସ୍ଥିଶଲ୍ୟରେ ୨ଟି ଆସନ ରହିଛି । ରାଜ୍ୟ କୋଟାରେ ଥିବା ୧୨ଟି ଆସନରେ ନାମଲେଖା ସରିଥିବାବେଳେ ସର୍ବଭାରତୀୟ କୋଟାରେ ୧୦ଜଣ ନାମ ଲେଖାଇଛନ୍ତି । ଖୁବ୍ଶୀଘ୍ର ଅବଶିଷ୍ଟ ଆସନ ପୂରଣ ହୋଇଯିବ । ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଏଠାରେ ପାଠପଢା ଆରମ୍ଭ କରିବା ସହିତ ରୋଗୀ ଚିକିତ୍ସାରେ ମଧ୍ୟ ଯୋଗ ଦେଇଛନ୍ତି ।
ଏଠାରେ ପାଠପଢା ଆରମ୍ଭ କରିଥିବା ଛାତ୍ରଛାତ୍ରୀଙ୍କ ହଷ୍ଟେଲ ପାଇଁ ରାଜ୍ୟ ସରକାର କ୍ୟାପିଟାଲ ହସ୍ପିଟାଲର ଅତି ନିକଟରେ ଥିବା ଆପାର୍ଟମେଣ୍ଟରେ ବାସଗୃହ ଯୋଗାଇ ଦେଇଛନ୍ତି । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ସହିତ ରାଜିନାମା ହୋଇଛି । ହଷ୍ଟେଲ ସୁବିଧା ସହିତ ଛାତ୍ରଛାତ୍ରୀଙ୍କ ଖାଦ୍ୟ ପେୟ ଲାଗି ମେସ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି ।
ପିଜି ଛାତ୍ରଛାତ୍ରୀଙ୍କ ପାଠପଢା ସହିତ ରୋଗୀ ସେବା ଆରମ୍ଭ ହେବାପରେ ଏବେ କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ବିଭାଗରେ ଚିକିତ୍ସାସେବାରେ ଉନ୍ନତି ପରିଲକ୍ଷିତ ହୋଇଛି । ବିଶେଷକରି ଏଥିଯୋଗୁଁ କ୍ୟାପିଟାଲ ହସ୍ପିଟାଲରେ ଏବେ ଦୈନିକ ଅପରେସନ ସଂଖ୍ୟାରେ ବୃଦ୍ଧି ଘଟିଛି । ଆଗାମୀ ଦିନରେ କ୍ୟାପିଟାଲ ହସ୍ପିଟାଲରେ ଏମ୍ସ ଠାରୁ ଅଧିକ ମାନର ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ପିଜି ଛାତ୍ରଛାତ୍ରୀଙ୍କ ଯୋଗଦାନ ଏହା ପୂରଣରେ ସହାୟକ ହୋଇପାରିବ ।(ତଥ୍ୟ)