ଭୁବନେଶ୍ୱର : ଗାଁ ଗହଳରେ ରାସ୍ତା ନିର୍ମାଣରେ ବିଳମ୍ବ କିମ୍ବା ଖଇଚା କରୁଥିବା ଠିକାଦାର କିମ୍ବା ସଂସ୍ଥାଙ୍କୁ ଆଉ ନିସ୍ତାର ନାହିଁ । ସଡକ ନିର୍ମାଣ କାର୍ଯ୍ୟର ସଠିକ ଅନୁଧ୍ୟାନ ଲାଗି ରାଜ୍ୟ ସରକାର ନିର୍ମାଣକାର୍ଯ୍ୟରେ ବ୍ୟବହୃତ ଜେସିବି ଓ ରୋଡ ରୋଲର ଆଦିରେ ଜିପିଏସ୍ ଯୁକ୍ତ ଟ୍ରାକିଂ ବ୍ୟବସ୍ଥା ଖଞ୍ଜିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା-୩ ରେ ନିର୍ମାଣଧିନ ପ୍ରକଳ୍ପରେ ବ୍ୟବହୃତ ଯାନବାହାନରେ ଏହା ଲଗାଇବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣ ଶାଖାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ରାସ୍ତା କାର୍ଯ୍ୟର ଟ୍ରାକିଂ ପାଇଁ ବିଭିନ୍ନ ଯାନରେ ଜିପିଏସ୍ ଖଞ୍ଜିବା ସକାଶେ ବିଭାଗ ପକ୍ଷରୁ ଓଡିଶା ସ୍ପେଶ ଆପ୍ଲିକେଶନ ସେଣ୍ଟର (ଓରସାକ୍) କୁ ଅନୁରୋଧ କରାଯାଇଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାର ବ୍ଲକ ଗୁଡିକରେ ରାସ୍ତା ନିର୍ମାଣରେ ନିୟୋଜିତ ପାଖପାଖି ୧୦୦୦ ଯାନରେ ଜିପିଏସ୍ ସୁବିଧା ଥିବା ଭିଟିଏସ୍ ଖଞ୍ଜାଯିବ । କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ମାର୍ଗଦର୍ଶିକା ଆଧାରରେ ଏହା ଲଗାଯିବ ।
ପାଇଲଟ ପ୍ରକଳ୍ପ ଭାବେ ଏହା ଭୁବନେଶ୍ୱର, କଟକ, କେନ୍ଦ୍ରାପଡା-ଯାଜପୁର, ବାଲେଶ୍ୱର, ଭବାନୀପାଟଣା, ବାରିପଦା, ସୁନାବେଡା ଏବଂ ସମ୍ବଲପୁର ଗ୍ରାମ୍ୟ ନିର୍ମାଣ ସର୍କଲରେ କାର୍ଯ୍ୟକାରୀ ଲାଗି ଯୋଜନା ଥିବା ସୂଚନା ମିଳିଛି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବଛା ବଛା ଯାନରେ ଜିପିଏସ୍ ଖଞ୍ଜିବାପାଇଁ ଓରସାକକୁ ଅନୁରୋଧ କରାଯାଇଛି ।
ପୁନେ ସ୍ଥିତ ସି-ଡାକ ସହାୟତାରେ ଓଏମଏମଏଏଏସ୍ ଏବଂ ଜିଓ-ସଡକ ମିଳିତ ଭାବେ ଓରସାକ ଏହି ଆପ୍ଲିକେଶନକୁ ବିକାଶ କରିବ । ପର୍ଯ୍ୟାୟକ୍ରମେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଯାନରେ ଭିଟିଏସ୍ ଖଞ୍ଜିବାର ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଧାର୍ଯ୍ୟ ସମୟରେ କାର୍ଯ୍ୟ ସମାପନ ପାଇଁ ଓରସାକ୍ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ନୋଡାଲ ଅଫିସର ନିଯୁକ୍ତ କରିବ । ଆସନ୍ତା ଡିସେମ୍ବର ୧୦ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ଚୂଡାନ୍ତ ହେବାର ଆକଳନ କରାଯାଇଛି । ପୂର୍ବରୁ ଖଣିଜ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଯାନରେ ଅନୁରୂପ ଜିପିଏସ୍ ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ବର୍ତ୍ତମାନ ଲଘୁଖଣିଜ ସାମଗ୍ରୀ ପରିବହନ କ୍ଷେତ୍ରରେ ଅନୁରୂପ ବ୍ୟବସ୍ଥା ଲାଗୁ ପାଇଁ ଯୋଜନା ହେଉଥିବା ସୂଚନା ମିଳୁଛି । (ତଥ୍ୟ)