Home Election ଏକ ତାରିଖରେ ଧାମନଗର ଛାଡିବେ ନେତା

ଏକ ତାରିଖରେ ଧାମନଗର ଛାଡିବେ ନେତା

ଭୁବନେଶ୍ୱର : ନଭେମ୍ବର ତିନି ତାରିଖରେ ହେବାକୁ ଯାଉଥିବା ଧାମନଗର ବିଧାନସଭା କ୍ଷେତ୍ର ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଏକ ତାରିଖ ସଂଧ୍ୟାରେ ଶେଷ ହେବ । ଏହା ପରେ ପରେ ନିର୍ବାଚନମଣ୍ଡଳୀର ଭୋଟର ନଥିବା ବ୍ୟକ୍ତିମାନେ ପ୍ରଚାର ମଇଦାନରୁ ହଟି ନିର୍ବାଚନମଣ୍ଡଳୀ ଛାଡିବେ ।

ବିଭିନ୍ନ ଦଳର ବହୁ ନେତା ବାହାରୁ ଆସି ପଞ୍ଚାୟତଗୁଡିକର ୱାର୍ଡ ଦାୟିତ୍ୱରେ ଅଛନ୍ତି । ସେମାନେ ୮/୧୦ ଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ଡେରା ପକାଇଥିବାବେଳେ ନିର୍ବାଚନ କମିଶନଙ୍କ କଟକଣା ମୁତାବକ ଏହି ନେତାମାନଙ୍କୁ ପ୍ରଚାର ଶେଷ ପରେ ନିର୍ବାଚନମଣ୍ଡଳୀ ଛାଡିବାକୁ ଥିବାରୁ ଧାମନଗର ବାହାରେ ଭଦ୍ରକ, ସୋର, ଚାନ୍ଦବାଲି, ଧାମରା ଠାରୁ ଆରମ୍ଭ କରି ଯାଜପୁରରୋଡ, ପାଣିକୋଇଲି ଆଦି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ଛୋଟ ବଡ ହୋଟେଲ ଓ ଲଜ୍‍ରେ ଏମାନଙ୍କ ମଧ୍ୟରୁ ଅନେକ ଡେରା ପକାଇବେ । ଏଥିଲାଗି ଚଢା ଦରରେ ପ୍ରକୋଷ୍ଠ ବୁକିଂ କାମ ଶେଷ ହୋଇଛି ।

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ଏବେ ସରଗରମର ଶୀର୍ଷ ସ୍ତରରେ ପହଞ୍ଚିଛି । ରାଜ୍ୟର ପ୍ରାୟ ଅଧିକାଂଶ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଭିନ୍ନ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଧାମନଗରରେ ଡେରା ପକାଇଥିବାରୁ ଚାରିଆଡେ ଉଷ୍ମତାର ବାତାବରଣ । ବିଜେପିର ତିନି ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ କିଛି ସାଂସଦ ଓ ବିଧାୟକ ପ୍ରଚାର ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଏହି ର୍ନିବାଚନମଣ୍ଡଳୀର ଅନ୍ୟୁନ ୧୩ଟି ସ୍ଥାନରେ ଅୟୋଜିତ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସଭାଗୁଡିକରେ ବିପୁଳ ଜନସମାଗମ ଲକ୍ଷ୍ୟ କରାଯାଇଥିବାବେଳେ ବିଜେଡିର ମନ୍ତ୍ରୀ, ବିଧାୟକ, ସାଂସଦ ଓ କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପୂର୍ବରୁ ନିଜେ ନିଜର ଭାଷଣ ରଖିଛନ୍ତି ।

ଏହି ନିର୍ବାଚନ ପାଇଁ ବିଭିନ୍ନ ଦଳର ଆରୋପ ଓ ପ୍ରତ୍ୟାରୋପ ଦିଲ୍ଲୀର ନିର୍ବାଚନ କମିଶନଙ୍କ ଦପ୍ତର ଠାରୁ ଆରମ୍ଭକରି ଭୁବନେଶ୍ୱରର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଭଦ୍ରକ ଜିଲ୍ଲାପାଳ ଓ ଏସ୍‍ପିଙ୍କ ଦପ୍ତରରେ ହୋଇଆସୁଛି । ଗଣମାଧ୍ୟମରେ ବି ଏହି ଆରୋପ ଓ ପ୍ରତ୍ୟାରୋପ ବେଶ୍‍ ଚର୍ଚ୍ଚିତ ହେଉଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ପରସ୍ପର ବିରୁଦ୍ଧରେ ଟଙ୍କା ଓ ମଦ ବଣ୍ଟା ଏବଂ ଗୁଣ୍ଡାଗର୍ଦ୍ଦି ଭଳି ଅଭିଯୋଗମାନ ମଧ୍ୟ ଉଠୁଛି ।

ଧାମନଗରର ପରିସ୍ଥିତି ଅତ୍ୟନ୍ତ ଉଷ୍ମ ଥିବା ପରିପ୍ରେକ୍ଷୀରେ ଆଇନ୍‍ଶୃଙ୍ଖଳା ରକ୍ଷା କରିବା ସ୍ଥାନୀୟ ପୁଲିସ୍‍ ଏବଂ ରାଜ୍ୟ ଓ ଜିଲ୍ଲା ପୁଲିସ୍‍ ପ୍ରଶାସନ ପାଇଁ ବଡ ଆହ୍ୱାନ ହୋଇଛି । ସମଗ୍ର ଧାମନଗର ନିର୍ବାଚନମଣ୍ଡଳୀ ଏକ ପ୍ରକାର ପୁଲିସ୍‍ ଛାଉଣିରେ ପରିଣତ ହୋଇଥିବାବେଳେ ନିର୍ବାଚନ ଦିନ ପୁଲିସ୍‍ ବନ୍ଦୋବସ୍ତ ଆହୁରି ଅଧିକ ହେବ ବୋଲି ବରିଷ୍ଠ ଅଧିକାରୀମାନେ କହୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସ୍ୱାଧୀନତା ଆନ୍ଦୋଳନ କାଳରେ ଭଦ୍ରକ ସବଡିଭିଜନ ବିଶେଷକରି ଧାମନଗର ଅଞ୍ଚଳର ଉଲ୍ଲେଖନୀୟ ବଳିଦାନ ଓ ଯୋଗଦାନ ରହିଛି । ପ୍ରାକ୍‍ ସ୍ୱାଧୀନତା କାଳରେ ଥିବା ପୂର୍ବ ଭଦ୍ରକ ନିର୍ବାଚନମଣ୍ଡଳୀରୁ ବିପ୍ଳବୀ ଚକ୍ରଧର ବେହେରା ଓ ହରେକୃଷ୍ଣ ମହତାବ ନିର୍ବାଚିତ ହୋଇଥିଲେ ଏବଂ ମହତାବ ରାଜ୍ୟର ପ୍ରଧାନମନ୍ତ୍ରୀ ଆସନ ମଧ୍ୟ ଅଳଙ୍କୃତ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଆସନରୁ ନିଳମଣି ରାଉତରାୟ, ମୁରଲୀଧର ଜେନା, ସତ୍ୟଭାମା ଜେନା, ହୃଦାନନ୍ଦ ମଲ୍ଲିକ, ଜଗନ୍ନାଥ ରାଉତ, ମାନସ ରଞ୍ଜନ ମଲ୍ଲିକ, ମନମୋହନ ସାମଲ, ରାଜେନ୍ଦ୍ର ଦାସ, ମୁକ୍ତିକାନ୍ତ ମଣ୍ଡଳ ଓ ବିଷ୍ଣୁ ସେଠୀ ପ୍ରମୁଖ ବିଧାୟକ ଭାବେ ନିର୍ବାଚନ ହୋଇଛନ୍ତି । ଅତୀତରେ ହୋଇଥିବା ଦୁଇଟି ଉପନିର୍ବାଚନରେ ସତ୍ୟଭାମା ଜେନା ଓ ମାନସ ମଲ୍ଲିକ ବିଜୟୀ ହୋଇଥିବାବେଳେ ଏଥର କିଏ ଜିଣିବ ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)