Home General ବିଜୁଳି ସଂଯୋଗ ଯୋଗୁଁ ଜବରଦଖଲକାରୀ ସୁରକ୍ଷିତ

ବିଜୁଳି ସଂଯୋଗ ଯୋଗୁଁ ଜବରଦଖଲକାରୀ ସୁରକ୍ଷିତ

ଭୁବନେଶ୍ୱର : ଆଖିବୁଜା ବିଦ୍ୟୁତ୍‍ ସଂଯୋଗ ଏବେ ରାଜଧାନୀରେ ଜବରଦଖଲର ଅନ୍ୟତମ କାରଣ ପାଲିଟିଛି । ରାସ୍ତାପାଶ୍ୱର୍ ଠାରୁ ଆରମ୍ଭକରି କନଜରଭେନ୍ସିଂ ପର୍ଯ୍ୟନ୍ତ ଯିଏ ଯେଉଁଠି ବେଆଇନ୍‍ ଭାବେ ଦୋକାନ କିମ୍ବା ଘର ତିଆରି କରୁଛି ତାହାକୁ ବିଦ୍ୟୁତ୍‍ ସଂଯୋଗ ମିଳିଯାଉଛି । ଫଳରେ ଏହି ବେଆଇନ୍‍ ନିର୍ମାଣ ଉଚ୍ଛେଦ ସମୟରେ ସେମାନେ ବିଦ୍ୟୁତ୍‍ ସଂଯୋଗକୁ ଆଳ କରି ସ୍ଥାନ ଛାଡୁ ନାହାନ୍ତି ।

ସରକାରୀ ସୂଚନା ଅନୁଯାୟୀ ଟିପିସିଓଡିଏଲ୍‍ ଭୁବନେଶ୍ୱରରେ ୨୧,୪୯୭ ବସ୍ତି ବାସିନ୍ଦାଙ୍କୁ ଓଡିଶା ବିଦ୍ୟୁତ୍‍ ନିୟାମକଙ୍କ ସର୍ତ୍ତ ଅନୁଯାୟୀ ସଂଯୋଗ ଦେଇଛି । ବସ୍ତି ଅଞ୍ଚଳରେ ସରକାରୀ ଜମି ଉପରେ ରହୁଥିବା ହିତାଧକାରୀଙ୍କୁ ବିତରଣ କମ୍ପାନୀ ଏହି ନିୟମ ଅନୁଯାୟୀ ବିଦ୍ୟୁତ୍‍ ସଂଯୋଗ ପ୍ରଦାନ କରିଥାନ୍ତି ।

ତେବେ ରାଜଧାନୀରେ ସରକାରୀ ସ୍ୱୀକୃତି ପ୍ରାପ୍ତ ବସ୍ତିସଂଖ୍ୟା ପାଞ୍ଚ ଶହ ମଧ୍ୟରେ ସୀମିତ ଥିବାବେଳେ ବେଆଇନ୍‍ ବସ୍ତିସଂଖ୍ୟା ହଜାରେକୁ ଟପିଗଲାଣି । ବସ୍ତି ଅଞ୍ଚଳ ଆଖପାଖରେ ସରକାରୀ ଜମି ନଥିବାରୁ ରାସ୍ତାପାଶ୍ୱର୍ ଓ କନଜରଭେନ୍ସିକୁ ଜମିକୁ ଏବେ ମାଫିଆ ଓ ବସ୍ତିବାସିନ୍ଦାମାନେ ଜବରଦଖଲ କରିବାରେ ଲାଗିଛନ୍ତି । ଏମାନଙ୍କୁ ଉଚ୍ଛେଦ କରିବା ଏବେ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ବିଜୁଳି ବିଭାଗର ଆଖିବୁଜା ସଂଯୋଗ ସେମାନଙ୍କ ପାଇଁ ଆର୍ଶୀବାଦ ହୋଇଛି ।

ବିଶେଷକରି ରାସ୍ତାପାଶ୍ୱର୍ରେ ରାତିଅଧିଆ ଦୋକାନ ବସାଉଥିବା ଜବରଦଖଲକାରୀ ଓ କନଜରଭେନ୍ସିରେ ଘର ତିଆରି କରି ଭଡା ଲଗାଉଥିବା ଜମି ମାଫିଆମାନଙ୍କୁ ବିଦ୍ୟୁତ୍‍ ବିଭାଗ ସଂଯୋଗ ଦେଇଦେଉଛି । ଥରେ ବିଜୁଳି ସଂଯୋଗ ପାଇଲା ପରେ ସେମାନେ ଆଉ ସରକାରୀ ଜମି ଛାଡୁ ନାହାନ୍ତି । ଯେତେବେଳେ ଜିଏ, ବିଡିଏ କିମ୍ବା ବିଏମ୍‍ସିର ଉଚ୍ଛେଦ ଟିମ୍‍ ସେମାନଙ୍କୁ ହଟାଇବାକୁ ଦଳ ବଳ ନେଇ ଆସୁଛନ୍ତି ଏହି ଜବରଦଖଲକାରୀମାନେ ସେତେବେଳେ ମାସକୁ ମାସ ପଇଠ କରୁଥିବା ବିଜୁଳି ବିଲ୍‍ ଦେଖାଉଛନ୍ତି । ଏହି ବେଆଇନ୍‍ ଘରେ ବିଜୁଳି ସଂଯୋଗ ଥିବାରୁ ଉଚ୍ଛେଦକାରୀ ଟିମ୍‍ ବି ଭୟରେ ତାହାକୁ ଭାଙ୍ଗୁ ନାହାନ୍ତି ।

କେବଳ ବିଜୁଳି ନୁହେଁ ଏଭଳି ବେଆଇନ୍‍ ଦୋକାନ ଓ ବାସଗୃହକୁ ୱାଟ୍‍କୋ ବି ଜଳ ସଂଯୋଗ ଦେଇ ଦେଉଛି । ବିଜୁଳି ସଂଯୋଗ ସହିତ ପାଣି ସଂଯୋଗ ମିଳିଯିବା ପରେ ଜବରଦଖଲକାରୀମାନେ ଆଉ ସେଠାରୁ ହଟୁ ନାହାନ୍ତି । ଏଥିଯୋଗୁଁ ରାଜଧାନୀର ବିଭିନ୍ନ ୟୁନିଟ୍‍ରେ ଏବେ ରାସ୍ତାପାଶ୍ୱର୍ରେ ଥିବା ସରକାରୀ ଜମି ଓ କନଜରଭେନ୍ସିରେ ଥିବା ଜମି ମାଫିଆଙ୍କ ହାତକୁ ଚାଲିଯିବାରେ ଲାଗିଛି । ଖୋଦ ଲୋକସେବାଭବନ, ରାଜଭବନ ଆଖପାଖରେ ଏଭଳି ଆଖିବୁଜା ବିଜୁଳି ଓ ପାଣି ସଂଯୋଗ ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ଉପରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ରାତାରାତି ହେଉଥିବ ଜବରଦଖଲକୁ ଆଉ ହଟାଇ ପାରିବେ ନାହିଁ ଓ ଅନେକ ଜବରଦଖଲକାରୀ ସରକାରଙ୍କୁ କାଠଗଡାକୁ ଟାଣିବାକୁ ପଛାଇବେ ନାହିଁ । (ତଥ୍ୟ)