Home Education ରାଜଧାନୀ ମହାବିଦ୍ୟାଳୟରେ ପିଜିରେ ପୂଆ ପାଠ୍ୟକ୍ରମ

ରାଜଧାନୀ ମହାବିଦ୍ୟାଳୟରେ ପିଜିରେ ପୂଆ ପାଠ୍ୟକ୍ରମ

ଭୁବନେଶ୍ୱର : ରାଜଧାନୀ ମହାବିଦ୍ୟାଳୟରେ ଆଉ ୬ଟି ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏହାକୁ ମିଶାଇ ସ୍ନାତକୋତ୍ତର ବିଷୟ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ଏହି ଅନୁମତି ସଂକ୍ରାନ୍ତରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅରୁଣ କୁମାର ସାମଲ ସୂଚନା ଦେଇଛନ୍ତି । ପ୍ରଫେସର ସାମଲ କହିଛନ୍ତି ଯେ ପୂର୍ବରୁ ଏଜୁକେଶନ ଓ ଓଡିଆ ବିଷୟରେ ସ୍ନାତକତ୍ତୋର ପଢିବାର ସୁଯୋଗ ଥିବାବେଳେ ଆଜି ରାଜନୀତି ବିଜ୍ଞାନ, ବାଣିଜ୍ୟ, ଇଂରାଜୀ, ଅର୍ଥନୀତି, ସଂସ୍କୃତି ଓ ଗଣିତ ବିଷୟ ପାଇଁ ଅନୁମତି ମିଳିଛି । ଏହି ସମସ୍ତ ୬ଟି ବିଷୟରେ ୩୨ଟି କରି ଅର୍ଥାତ୍‍ ୧୯୨ ଆସନରେ ଛାତ୍ରଛାତ୍ରୀମାନେ ପଢିପାରିବେ ।

ତେବେ ଇତି ମଧ୍ୟରେ ସ୍ନାତକତ୍ତୋର ଶ୍ରେଣୀ ପାଇଁ ସାମ୍‍ସରେ ଆବେଦନ ଓ ନାମଲେଖା ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ଥିବାରୁ ରାଜଧାନୀ ମହାବିଦ୍ୟାଳୟରେ ଅନୁମତି ମିଳିଥିବା ନୂତନ ୬ଟି ବିଷୟରେ ଅଫ୍‍ଲାଇନ୍‍ରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସ୍ନାତକୋତ୍ତର ଶ୍ରେଣୀ ସହିତ ଯୁକ୍ତ ତିନି କଳାରେ ମଧ୍ୟରେ ୫ଟି ନୂତନ ପାଠ୍ୟକ୍ରମ ପାଇଁ ଅନୁମତି ମିଳିଛି । ସେଗୁଡିକ ହେଲା ନୃତତ୍ୱ, ଭୂଗୋଳ, ମନସ୍ତତ୍ୱ, କମ୍ପ୍ୟୁଟର ବିଜ୍ଞାନ ଓ ଷ୍ଟାଟିଷ୍ଟିକ୍ସ । ଏହି ସମସ୍ତ ବିଷୟରେ ୩୨ଟି କରି ଆସନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏହିସବୁ ନୂତନ ବିଷୟକୁ ମିଶାଇ ରାଜଧାନୀ ମହାବିଦ୍ୟାଳୟରେ ଯୁକ୍ତ ତିନି ଶ୍ରେଣୀରେ ଆସନ ସଂଖ୍ୟା ୨୫୬ରୁ ୪୧୬କୁ ବୃଦ୍ଧି ପାଇଛି । ସେହିପରି ବାଣିଜ୍ୟରେ ଆସନ ସଂଖ୍ୟା ୧୨୮ ରୁ ୨୫୬ କୁ ବଢିଛି ା

ଏହାବାଦ୍‍ ଯୁକ୍ତ ତିନି ବିଜ୍ଞାନରେ ବିଭିନ୍ନ ପାଠ୍ୟକ୍ରମରେ ଆସନ ସଂଖ୍ୟା ବୃଦ୍ଧିକୁ ବି ସରକାର ଅନୁମତି ପ୍ରଦାନ କରିଛନ୍ତି । ସେଥି ମଧ୍ୟରେ ଯୁକ୍ତ ତିନି ପଦାର୍ଥ ବିଜ୍ଞାନ ଆସନ ସଂଖ୍ୟା ୧୬ରୁ ୪୦କୁ ବୃଦ୍ଧି ପାଇଥିବାବେଳେ ରସାୟନ ବିଜ୍ଞାନରେ ୧୬ରୁ ୪୦, ଗଣିତରେ ୧୬ରୁ ୪୦, ଭୂତତ୍ୱ ବିଜ୍ଞାନରେ ୩୨ରୁ ୪୮, ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନରେ ଆସନ ସଂଖ୍ୟା ୩୨ ରୁ ୪୮ କରି ବୃଦ୍ଧି କରାଯାଇଛି ।

ଯୁକ୍ତ ତିନି କଳା ଓ ବିଜ୍ଞାନ ବିଷୟରେ ନୂତନ ଭାବେ ଅନୁମତି ମିଳିଥିବା ପାଠ୍ୟକ୍ରମ ଓ ବୃଦ୍ଧି ହୋଇଥିବା ଆସନ ସଂଖ୍ୟା ୨୦୨୨-୨୩ ଶିକ୍ଷା ବର୍ଷକୁ କାର୍ଯ୍ୟକାରୀ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ସ୍ପଷ୍ଟ କରିଛନ୍ତି । ତେବେ ବର୍ତ୍ତମାନ ଯୁକ୍ତ ତିନି ଶ୍ରେଣୀରେ ନାମ ଲେଖା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଏହିସବୁ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ କିଭଳି ନାମ ଲେଖାଇବେ ସେଥିପାଇଁ ବିଚାର ଆଲୋଚନା ଜାରି ରହିଥିବା ସୂଚନା ମିଳିଛି । (ତଥ୍ୟ)