Home Judiciary ରାଜଭବନ ଆଦେଶ ହାଇକୋର୍ଟରେ ନାକଚ

ରାଜଭବନ ଆଦେଶ ହାଇକୋର୍ଟରେ ନାକଚ

ଭୁବନେଶ୍ୱର : ଆଇନ୍‍ ଅଦାଲତର ମଧ୍ୟବର୍ତ୍ତୀକାଳୀନ ରହିତାଦେଶକୁ ଉପେକ୍ଷା କରି ରାଜଭବନ ସଚିବାଳୟରେ ଜଣେ କର୍ମଚାରୀଙ୍କ ପ୍ରତି କରାଯାଇଥିବା ଦଣ୍ଡବିଧାନ ହାଇକୋର୍ଟରେ ନାକଚ ହୋଇଯାଇଛି ।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜଭବନରେ ଜଣେ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ କର୍ତ୍ତୃପକ୍ଷ ଚାକିରିରୁ ନିଲମ୍ବନ କରିବା ସହିତ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ମଧ୍ୟ ସମାନ ଅଭିଯୋଗରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଚାଲିଛି ଏବଂ ତାହାରି ଆଧାରରେ ତାଙ୍କୁ ବି କିଛିଦିନ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିଥିଲା ।

ଫୌଜଦାରୀ ମାମଲା ବିଚାରାଧିନ ଥିବାବେଳେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ତଦନ୍ତକାରୀ ଅଧିକାରୀ ନିଯୁକ୍ତ କରାଯାଇଥିଲା । ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗମାନ ଥିବାରୁ ତାଙ୍କୁ ବଦଳାଇବାପାଇଁ ଅଭିଯୁକ୍ତ କର୍ମଚାରୀଙ୍କ ଆବେଦନକୁ ଉପେକ୍ଷା କରାଯାଇଥିଲା ଏବଂ ତାଙ୍କର ତଦନ୍ତ ରିପୋର୍ଟ ଆଧାରରେ ଦଣ୍ଡବିଧାନ ଲାଗି ସମ୍ପୃକ୍ତ କର୍ମଚାରୀଙ୍କୁ ଦ୍ୱିତୀୟ କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିଲା ।

ଏଭଳି ଅବସ୍ଥାରେ ଚାକିରି ଚାଲିଯିବାର ଆଶଙ୍କା କରି ସମ୍ପୃକ୍ତ କର୍ମଚାରୀ ଜଣଙ୍କ ସ୍ୟାଟ୍‍ରେ ୨୦୧୭ ମସିହାରେ ଏକ ମାମଲା ରୁଜୁ କରି ନିଲମ୍ବନ ଆଦେଶ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଅଭିଯୋଗଫର୍ଦ୍ଦ ଆଦିକୁ ନାକଚ କରିବାପାଇଁ ପ୍ରାର୍ଥନା କରିଥିଲେ । ମାମଲାଟି ବିଚାର ପାଇଁ ଗ୍ରହଣ କରି ସ୍ୟାଟ୍‍ କର୍ତ୍ତୃପକ୍ଷଙ୍କୁ ନୋଟିସ୍‍ ପଠାଇବା ସହିତ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଚୂଡାନ୍ତ ଆଦେଶ ସ୍ୟାଟ୍‍ଙ୍କ ବିନାନୁମତିରେ ପ୍ରକାଶ ପାଇପାରିବ ନାହିଁ ବୋଲି କହିଥିଲେ ।

ତେବେ ୨୦୧୯ ମସିହାରେ ସରକାର ସ୍ୟାଟ୍‍ ଉଚ୍ଛେଦ କରିବା ପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶକୁ ଉପେକ୍ଷା କରି ରାଜଭବନ ସଚିବାଳୟ ଅଭିଯୁକ୍ତ କର୍ମଚାରୀ କୈଳାଶଚନ୍ଦ୍ର ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଏହି ଆଦେଶନାମାକୁ ବିରୋଧକରି ସମ୍ପୃକ୍ତ କର୍ମଚାରୀ ରାଜ୍ୟପାଳଙ୍କ ନିକଟରେ ଗୁହାରି କରି ତାଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରାଇବା ଲାଗି ନିବେଦନ କରିଥିଲେ ବି ତାହା ଅଗ୍ରାହ୍ୟ ହୋଇଯାଇଥିଲା ।

ସ୍ୟାଟ୍‍ ଉଚ୍ଛେଦ ପରେ ଏହି ମାମଲାଟି ଅନ୍ୟ ମାମଲାଗୁଡିକ ସହ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଛି । ହାଇକୋର୍ଟର ଅନ୍ୟତମ ବିଚାରପତି ବିରାଜା ପ୍ରସନ୍ନ ଶତପଥୀଙ୍କ ଇଜିଲାସରେ ଇତି ମଧ୍ୟରେ ତାହାର ଚୂଡାନ୍ତ ବିଚାର କରାଯାଇଛି । ଆବେଦନକାରୀଙ୍କ ଓକିଲ ଅମୀୟ କୁମାର ଛାଟୋଇ ବିଚାର ବିଭାଗୀୟ ଆଦେଶ ଥିବାବେଳେ ତାହାର ଖୋଲା ଉଲ୍ଲଙ୍ଘନ କରି ରାଜଭବନ ସଚିବାଳୟ ସମ୍ପୃକ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ବେଆଇନ୍‍ ଓ ଅଦାଲତ ନିର୍ଦ୍ଦେଶନାମାର ଖୋଲା ଉଲ୍ଲଙ୍ଘନ ବୋଲି ଯୁକ୍ତି ବାଢିଥିବାବେଳେ ସରକାରଙ୍କ ପକ୍ଷରୁ ସହକାରୀ ଓକିଲ ଆର.ଏନ.ମିଶ୍ର ଆବେଦନକାରୀଙ୍କ ଯୁକ୍ତିକୁ ଦୃଢ ବିରୋଧ ସହ ଅଭିଯୋଗର ଗମ୍ଭୀରତା ଦୃଷ୍ଟିରୁ ରାଜଭବନ ସଚିବାଳୟ ଓ ମାନ୍ୟବର ରାଜ୍ୟପାଳ ନେଇଥିବା ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇଥିଲେ ।

ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମାରେ ଅଦାଲତଙ୍କ ବିନାନୁମତିରେ ଉକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ପାରିବନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ଥିବାବେଳେ ସମ୍ପୃକ୍ତ କର୍ମଚାରୀଙ୍କ ପ୍ରତି କରାଯାଇଥିବା ଦଣ୍ଡବିଧାନ ଓ ତାଙ୍କୁ ଚାକିରିରେ ରଖିବାପାଇଁ କରାଯାଇଥିବା ଆବେଦନର ନାକଚ ଆଦେଶକୁ ହାଇକୋର୍ଟ ଖାରଜ କରିଦେବା ସହ ଆଇନାନୁମୋଦିତ ପନ୍ଥାରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରୋସିଡିଂ ଚୂଡାନ୍ତ କରିବାକୁ କହିଛନ୍ତି । (ତଥ୍ୟ)