Home News in Odia ରାଜେନ୍ଦ୍ରଙ୍କୁ ବିଦା କଲା ବିଜେଡି

ରାଜେନ୍ଦ୍ରଙ୍କୁ ବିଦା କଲା ବିଜେଡି

ଭୁବନେଶ୍ୱର : ବିଜେଡିରେ ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସଙ୍କୁ ଆଜି ବିଜେଡି ଦଳରୁ ବହିଷ୍କାର କରିଛି । ଦଳ ବିରୋଧି କାର୍ଯ୍ୟପାଇଁ ତାଙ୍କୁ ଦଳରୁ ବିଦା କରାଗଲା ବୋଲି ଦଳ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଧାମନଗରରେ ଅନୁଷ୍ଠିତ ଉପନିର୍ବାଚନରେ ରାଜେନ୍ଦ୍ର ଦଳୀୟ ନିଷ୍ପତ୍ତି ବିରୁଦ୍ଧରେ ଯାଇଛନ୍ତି । ଦଳ ପକ୍ଷରୁ ଏଠାରେ ଅବନ୍ତୀକା ଦାସଙ୍କୁ ପ୍ରାର୍ଥୀ କରାଯିବା ପରେ ରାଜେନ୍ଦ୍ର ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେବେଠାରୁ ତାଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଗତକାଲ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ସରିବା ପରେ ଆଜି ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ରାଜେନ୍ଦ୍ର ବିଦ୍ରୋହ କରି ସ୍ୱାଧୀନ ପ୍ରାର୍ଥୀ ହେବାପରେ ଧାମନଗରରେ ଏବେ ନିର୍ବାଚନ ଲଢେଇ ରୋଚକ ସ୍ଥିତିରେ ପହଞ୍ଚିଛି । ଏଠାରୁ ବିଜେପିର ସ୍ୱର୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ହୋଇଥିବାବେଳେ ଅବନ୍ତୀକା ବିଜେଡି ଓ ବାବା ହରେକୃଷ୍ଠ ସେଠୀ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ତିନି ପ୍ରାର୍ଥୀ ନିଜ ନିଜ ଦଳୀୟ ଚିହ୍ନରେ ଲଢୁଥିବାବେଳେ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଏଠାରୁ ନୌକା ଚିହ୍ନରେ ଲଢୁଛନ୍ତି ।

ଶ୍ରୀ ଦାସ ଧାମନଗର ଆସନରୁ ୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ୪୯୪୪ ଭୋଟ ବ୍ୟବଧାନରେ ଜିଣିଥିଲେ । ତେବେ ୨୦୧୯ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ବିଜେଡି ପ୍ରାର୍ଥୀ ଭାବେ ଏଠାରୁ ମାତ୍ର ୪୬୨୫ଖଣ୍ଡ କମ୍‍ ଭୋଟରେ ବିଜେପି ଠାରୁ ପରାଜିତ ହୋଇଥିଲେ ।

ରାଜେନ୍ଦ୍ର ପୂର୍ବତନ ବିଧାୟକ ହୋଇଥିବାବେଳେ ତାଙ୍କର ଏଠାରେ ଭଲ ସଂଗଠନ ରହିଛି । ତେଣୁ ସେ ପାଇବାକୁ ଥିବା ଭୋଟ କେଉଁ ପ୍ରାର୍ଥୀଙ୍କ ଭାଗରୁ ହାତେଇବା ଓ ଏହାର ଫାଇଦା କିଏ ଉଠାଇବ ତାହାକୁ ନେଇ ଏବେ ଠାରୁ ଅଙ୍କକଷା ଆରମ୍ଭ ହୋଇଯାଇଛି ।