Home General ଚାକିରି ସ୍ଥାୟୀ ପାଇଁ ଉଦ୍ୟମ ଆରମ୍ଭ

ଚାକିରି ସ୍ଥାୟୀ ପାଇଁ ଉଦ୍ୟମ ଆରମ୍ଭ

ଭୁବନେଶ୍ୱର : ସରକାରୀ ଚାକିରିରେ ନିଯୁକ୍ତି ପାଇଥିବା ଠିକା କର୍ମଚାରୀମାନଙ୍କୁ ରାଜ୍ୟ ସରକାର ନିୟମିତ କରିବାପରେ ଏବେ ବିଭିନ୍ନ ଦପ୍ତରରେ ଅସ୍ଥାୟୀ, ଚୁକ୍ତିଭିତ୍ତିକ, ଆଉଟସୋର୍ସିଂ, ଏନଏମଆର, ଡିଏଲଆର, ୱାର୍କଚାର୍ଜଡ୍‍ ଆଦି କର୍ମଚାରୀମାନେ ଅନୁରୂପ ଭାବେ ନିୟମିତ ହେବାଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବିଶେଷକରି ଯେଉଁମାନେ ୧୫/୨୦ ବର୍ଷ ଧରି ଖୁବ୍‍ କମ୍‍ ପାରିଶ୍ରମିକରେ ସରକାରୀ ଦପ୍ତରମାନଙ୍କରେ ଅସ୍ଥାୟୀ ନିଯୁକ୍ତି ଭିତ୍ତିରେ କାମ କରୁଛନ୍ତି ମାନବିକତା ଦୃଷ୍ଟିକୋଣରୁ ସେମାନଙ୍କୁ ନିୟମିତ କରିବାଲାଗି ସରକାର ବିଚାର କରିବାକୁ ବିଭିନ୍ନ ମହଲରୁ ଦାଦି ହେଉଛି ।

ପୂର୍ବରୁ ଏନ୍‍ଏମଆର, ଡିଏଲ୍‍ଆର, ୱାର୍କଚାର୍ଜଡ୍‍, ଜବକଣ୍ଟାକ୍ଟ ଆଦି କର୍ମଚାରୀମାନେ ଚାକିରିରେ ସେମାନଙ୍କୁ ନିୟମିତ କରିବାଲାଗି ଦାବି କରି କରି ଅବସର ନେଇଯାଉଥିଲେ ବି ସେମାନଙ୍କ କଥା କେହି ଶୁଣୁନଥିଲେ । ଏ ସଂକ୍ରାନ୍ତରେ ଆଇନ୍‍ ଅଦାଲତ ନିର୍ଦ୍ଦେଶ ଦେବାପରେ ଏଭଳି ଅସ୍ଥାୟୀ କର୍ମଚାରୀମାନଙ୍କୁ ନିୟମିତ କରିବାଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିଥିଲେ । ଫଳରେ ଏହି କିସମର ହଜାର ହଜାର କର୍ମଚାରୀ ନିୟମିତ ହେବାସହ ଅବସରକାଳୀନ ପ୍ରାପ୍ୟ ମଧ୍ୟ ପାଇଥିଲେ ।

ତେବେ ପରବର୍ତ୍ତୀ ସମୟରେ ଠିକା ଓ ଆଉସସୋର୍ସିଂ ମାଧ୍ୟମରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରଚଳନ ହେଲା । ଯେଉଁଥିରେ ସାରା ଦେଶରେ କିଛି ମଧ୍ୟସ୍ଥ ସଂସ୍ଥାମାନ ଖୋଲି ସରକାରୀ ଦପ୍ତରଗୁଡିକୁ ଆଉଟସୋର୍ସିଂ ନାଁରେ କର୍ମଚାରୀ ଚୟନକରି ପଠାଇଲେ ଓ ଆଉ କେତେକ କ୍ଷେତ୍ରରେ ସମ୍ପୃକ୍ତ ଦପ୍ତର ଚୟନ କରିଥିବା କର୍ମଚାରୀଙ୍କୁ ଆଉଟସୋର୍ସିଂ ଦର୍ଶାଇ ସେମାନଙ୍କ ସଂସ୍ଥା ନାଁରେ ଏହି କର୍ମଚାରୀମାନଙ୍କ ପାରିଶ୍ରମିକ ବିଲ୍‍ ଦେଇ ଆସୁଛନ୍ତି ।

ଏଥିରୁ ବହୁ ଆଉଟସୋର୍ସିଂ ସଂସ୍ଥା ସିଂହ ଭାଗ ନେଇ କାମ କରୁଥିବା କର୍ମଚାରୀମାନଙ୍କୁ ସ୍ୱଳ୍ପ ପାରିଶ୍ରମିକ ଦେବା ସହ ଯେକୌଣସି ସମୟରେ ଚାକିରି ପଳାଇଯିବାର ଭୟ ଦେଖାଇ ଏକ ପ୍ରକାର ଆତଙ୍କ ମଧ୍ୟରେ ରଖୁଛନ୍ତି । ଅନେକ ଆଉଟସୋର୍ସିଂ କର୍ମଚାରୀ ଅଭିଯୋଗ କରୁଛନ୍ତି ଯେ ସେମାନଙ୍କୁ ବିଭିନ୍ନ ପ୍ରକାରର ଶାରିରୀକ ଓ ମାନସିକ ଶୋଷଣ ମଧ୍ୟ କରାଯାଉଛି ଏବଂ ଏହାଦ୍ୱାରା ଦଲାଲି ବ୍ୟବସ୍ଥାକୁ ବୌଧ କରାହେଉଛି । ସମାନ କାମ କରି ନିୟମିତ କର୍ମଚାରୀମାନେ ଯେତିକି ପାରିଶ୍ରମିକ ପାଉଛନ୍ତି ଏମାନଙ୍କୁ ସେହି ଅନୁପାତରେ ପାରିଶ୍ରମିକ ସହ ଛୁଟି, ଚିକିତ୍ସା ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବାରମ୍ବାର ଦାବିହୋଇ ଆସୁଛି ।

ଅସ୍ଥାୟୀ କର୍ମଚାରୀମାନଙ୍କ ଦୁଃଖ ଏମାନଙ୍କ ଠାରୁ ଅଧିକ ବଳେଇ ପଡୁଛି । ଗୋଟିଏ ଗୋଟିଏ ସରକାରୀ ସଂସ୍ଥା ଏହି ଅସ୍ଥାୟୀ କର୍ମଚାରୀମାନଙ୍କ ଦ୍ୱାରା ମୋଟାମୋଟି ଭାବେ ପରିଚାଳିତ ହେଉଛି । ରାଜ୍ୟରେ ଥିବା ୫୬ଟି ସରକାରୀ ରକ୍ତଭଣ୍ଡାରରେ ପାଖପାଖି ଅଢେଇ ଶହ ଅସ୍ଥାୟୀ କର୍ମଚାରୀ ରହିଛନ୍ତି । ଏମାନେ ରକ୍ତ ସଂଗ୍ରହ ଠାରୁ ଆରମ୍ଭ କରି ପରୀକ୍ଷା ନିରୀକ୍ଷା, ସଂରକ୍ଷଣ, ରକ୍ତ ଯୋଗାଣ ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ତୁଲାଇଥାନ୍ତି । ଏହି କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ମାସିକ ୫ ରୁ ୧୫ହଜାର ଟଙ୍କା ପର୍ଯ୍ୟନ୍ତ ବେତନ ପାଉଥିବାବେଳେ ଘରଭଡା, ପରିବାର ଚଳାଇବା ଆଦି ମୁସ୍କିଲ ହୋଇପଡୁଛି ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଶତାଧିକ ଅସ୍ଥାୟୀ କର୍ମଚାରୀଙ୍କ ଦୁରବସ୍ଥା । ଏମାନଙ୍କୁ ନିୟମିତ କରିବାଲାଗି ବାରମ୍ବାର ପ୍ରସ୍ତାବ ଯାଉଥିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକପ୍ରତିନିଧିମାନେ ଏଥିଲାଗି ଏମାନଙ୍କ ସପକ୍ଷରେ ମତପୋଷଣ କରୁଥିଲେ ମଧ୍ୟ କେଉଁଠି କେମିତି ଅମଲାତାନ୍ତ୍ରିକ କାରସାଦି ଯୋଗୁଁ ଏହି କର୍ମଚାରୀମାନେ ନିୟମିତ ହୋଇପାରୁ ନାହାନ୍ତି । ସରକାର ଓ ଆଇନ୍‍ ଅଦାଲତ ସମାନ କାମକୁ ସମାନ ବେତନ କଥା କହୁଥିବାବେଳେ ଠିକା କର୍ମଚାରୀଙ୍କ ଭଳି ଏହି ଅସ୍ଥାୟୀ କର୍ମଚାରୀମାନେ ମଧ୍ୟ ସରକାରଙ୍କ ଠାରୁ ଶୀଘ୍ର ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି । (ତଥ୍ୟ)