Home General ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କର

ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କର

ଭୁବନେଶ୍ୱର : ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ ସମ୍ବେଦନଶୀଳ ଥିବା ଗ୍ରାମଗୁଡିକ ପାଇଁ ସ୍ଥାନୀୟ ମହିଳା, ପୁରୁଷ, ଶିଶୁ ଓ ସମ୍ବେଦନଶୀଳ ଗୋଷ୍ଠିଙ୍କୁ ନେଇ ଗ୍ରାମ ବିପର୍ଯ୍ୟୟ ପରିଚାଳନା ଯୋଜନା (ଭିଡିଏମ୍‍ପି) ଜରୁରୀ ହୋଇପଡିଛି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଚନ୍ଦ୍ର ଶେଖର କୁମାର ପ୍ରତ୍ୟେକ ଗ୍ରାମ ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସହିତ ଏଥିପାଇଁ ଆବଶ୍ୟକ ଅଗ୍ରାଧିକର କ୍ଷେତ୍ରକୁ ଚିହ୍ନଟ ପାଇଁ କହିଛନ୍ତି ।

ଗ୍ରାମାବାସୀ ଏବଂ ବିଭିନ୍ନ ସାମାଜିକ ଗୋଷ୍ଠିର ପ୍ରତିନିଧିଙ୍କୁ ନେଇ ବିପର୍ଯ୍ୟୟ ପରିଚାଳନା ପାଇଁ କମିଟି ଗଠନ ସକାଶେ ସେ କହିଛନ୍ତି । ନେଚର କେୟାର ଇନିସିଏଟିଭ (ଏନସିଆଇ) ଦ୍ୱାରା ଆୟୋଜିତ ‘ଓଡିଶାରେ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥିରତା ବିକାଶ ଉପରେ ଜାତୀୟ ସମ୍ମିଳନୀ’ରେ ଡକ୍ଟର କୁମାର ପଞ୍ଚାୟତି ରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିମାନଙ୍କୁ ଗ୍ରାମ ସ୍ତରରେ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ ପାଇଁ ପରାମର୍ଶ ଦେଇଛନ୍ତି ।

ଡକ୍ଟର କୁମାର କହିଛନ୍ତି ଯେ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ୱାରା ବିପର୍ଯ୍ୟୟ ପରିଚାଳନା ଯୋଜନା (ଡିଏମ୍‍ପି) ପ୍ରସ୍ତୁତ ହୋଇଛି ଯେଉଁଥିରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ବିପର୍ଯ୍ୟୟ ପ୍ରଶମନ, ପ୍ରସ୍ତୁତି, ମୁକାବିଲା ଏବଂ ପୁନଃନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି । ମନ୍ତ୍ରଣ।।ଳୟ ଦ୍ୱାରା ପ୍ରସ୍ତୁତ ଡିଏମ୍‍ପି ପ୍ରତି ଗ୍ରାମ, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଳାପରିଷଦ ସ୍ତରରେ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ପଞ୍ଚାୟତ ଓ ଗୋଷ୍ଠି ସ୍ତରରେ ଦକ୍ଷତା ବିକାଶ କରାଯିବ ।

ମନ୍ତ୍ରାଳୟର ଅତିରିକ୍ତ ସଚିବ ଗ୍ରାମ ଓ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ତାଲିମ ଦେବା ସକାଶେ ଜିଲ୍ଲା ଓ ବ୍ଲକ ସ୍ତରରେ ବିଶେଷଜ୍ଞ ଗୋଷ୍ଠି ଗଠନ ସକାଶେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) କ୍ଷେତ୍ରରେ ବାସ୍ତବତାକୁ ଗୁରୁତ୍ୱ ଦିଆଯିବା ସହିତ ଏ କ୍ଷେତ୍ରରେ ସାମାଜିକ ଅର୍ନ୍ତଭୁକ୍ତି ଜରୁରୀ । ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଶିଶୁମାନଙ୍କୁ ଅଗ୍ରାଧିକାର ଦେବା ସହିତ ସେମାନଙ୍କୁ ଏଥିରେ ସାମିଲ ପାଇଁ ସେ ମତ ଦେଇଛନ୍ତି ।

ତେବେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଅଭିବୃଦ୍ଧି ଲାଗି ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ପୁରସ୍କାର ବ୍ୟବସ୍ଥା ହୋଇଛି ଯାହା କି ପଞ୍ଚାୟତଗୁଡିକ ଏ କ୍ଷେତ୍ରରେ ପ୍ରୋତ୍ସାହିତ କରିବ । ଡକ୍ଟର କୁମାର କହିଛନ୍ତି ଯେ ଦେଶର ୨୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡିଶା ଭୂ ଜଳବାୟୁ ଦୃଷ୍ଟିରୁ ସ୍ୱତନ୍ତ୍ର ହୋଇଥିବାରୁ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଠିକଣା ବିପର୍ଯ୍ୟୟ ପରିଚାଳନା ଯୋଜନା ଆବଶ୍ୟକ । ଏ କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟ ଗୋଷ୍ଠି ଗଠନ କରିବାକୁ ସେ ପରାମର୍ଶ ଦେଇଛନ୍ତି । (ତଥ୍ୟ)