Home General ଓଡିଶାକୁ ୧୦ହଜାର ଟାୱାର ମଞ୍ଜୁର

ଓଡିଶାକୁ ୧୦ହଜାର ଟାୱାର ମଞ୍ଜୁର

ଭୁବନେଶ୍ୱର : ଓଡିଶାର ସମସ୍ତ ଗ୍ରାମକୁ ଡିଜିଟାଲ ସଂଯୋଗ ପାଇଁ କେନ୍ଦ୍ର ସରକାର ରାଜ୍ୟ ପାଇଁ ୧୦,୦୦୦ ମୋବାଇଲ୍‍ ଟାୱାର ମଞ୍ଜୁର କରିଛନ୍ତି । ଏହା ଦେଶର ଅନ୍ୟ କୌଣସି ରାଜ୍ୟ ପାଇଁ ମଞ୍ଜୁର ଟାୱାର ତୁଳନାରେ ସର୍ବାଧିକ ବୋଲି କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ରାଜ୍ୟରେ ବିଏସ୍‍ଏନଏଲ୍‍ର କାର୍ଯ୍ୟକାରିତା ନେଇ କେନ୍ଦ୍ର ମନ୍ତ୍ରୀ ସମୀକ୍ଷା ସମୟରେ କହିଛନ୍ତି ଯେ ଓଡିଶା ପାଇଁ ଏହି ନୂତନ ୧୦ହଜାର ଟାୱାର ମଞ୍ଜୁର ହୋଇଛି । ଏତେ ପରିମାଣର ଟାୱାର ଅନ୍ୟ କୌଣସି ରାଜ୍ୟକୁ ମିଳିନାହିଁ । ସେ କହିଛନ୍ତି ଯେ ପ୍ରଥମ ଥର ପାଇଁ ରାଜ୍ୟକୁ ଏତେ ସଂଖ୍ୟକ ଟାୱାର ମଞ୍ଜୁର କରାଯାଇଛି । ଆସନ୍ତା ନଭେମ୍ବର ମାସରୁ ଅଧିକାଂଶ ସ୍ଥାନରେ ଟାୱାରଗୁଡିକ କାର୍ଯ୍ୟକ୍ଷମ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଯେଉଁଠାରେ ଟାୱାର ପ୍ରତିଷ୍ଠା ପାଇଁ ଜମିଜମା ସମସ୍ୟା ରହିଛି କ୍ଷେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାପାଇଁ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇଆଇଟି ଭୁବନେଶ୍ୱର ଏବଂ ନିଟ୍‍, ରାଉରକେଲା ଠାରେ ସେମିକଣ୍ଡକ୍ଟରର ଉତ୍କର୍ଷ କେନ୍ଦ୍ର ପତିଷ୍ଠାକୁ ମଞ୍ଜୁରୀ ମିଳିଛି । ଏହି ଦୁଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ନୂତନ ଜ୍ଞାନକୌଶଳ ସହ ଯୋଡି ହୋଇପାରିବେ ବୋଲି ସେ କହିଛନ୍ତି ।

କେନ୍ଦ୍ର ଆଇଟି ମନ୍ତ୍ରୀ କହିଛନ୍ତି ଯେ ଆଇଆଇଟି, ଭୁବନେଶ୍ୱର ଓ ସୋଆ ବିଶ୍ୱବିଦ୍ୟାଳୟରେ ୫ଜି ପରୀକ୍ଷାଗାର ଖୋଲିବ । ଅନୁରୂପ ପରୀକ୍ଷାଗାର ପଶ୍ଚିମ ଓଡିଶାର କୌଣସି ଏକ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ଲାଗି ନାମ ପ୍ରସ୍ତାବ କରିବାକୁ ସେ ଓଡିଶାର ବୁଦ୍ଧିଜୀବୀମାନଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ଶ୍ରୀ ବୈଷ୍ଣବ କହିଥିଲେ ଯେ ଟାୱାର ଅଭାବ ଯୋଗୁଁ ଓଡିଶାର ପାଖାପାଖି ୬୦୦୦ ଗାଁ ମୋବାଇଲ୍‍ ସଂଯୋଗରୁ ବଞ୍ଚିତ ହୋଇ ରହିଛନ୍ତି ।

ଉଲ୍ଲେଖନୀୟ ଓଡିଶାର କୌଣସି ଗ୍ରାମ ଯେଭଳି ମୋବାଇଲ୍‍ ସଂଯୋଗରୁ ବଞ୍ଚିତ ନରୁହନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ଗ୍ରାମ ବଞ୍ଚିତ ରହିଛି ତେବେ ତାହାର ସର୍ଭେ କରିବା ସହିତ କ୍ୟାବିନେଟ୍‍ରେ ପ୍ରସ୍ତାବ ଆଣିବାକୁ ଶ୍ରୀ ମୋଦୀ କହିଛନ୍ତି । ଏହା ହେଉଛି ପ୍ରଧାମନ୍ତ୍ରୀଙ୍କ ‘ମିଶନ ପୂର୍ବୋଦୟ’ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । (ତଥ୍ୟ)