ଭୁବନେଶ୍ୱର : ଯେକୌଣସି ସମୟରେ ନିର୍ବାଚନ କମିଶନ ଖାଲି ପଡିଥିବା ପଦ୍ମପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ଏହାକୁ ଆଖିଆଗରେ ରଖି ପଦ୍ମପୁରରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି ।
ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଅକାଳ ମୃତ୍ୟୁ ଯୋଗୁଁ ଏହି ଆସନଟି ଖାଲି ପଡିଛି । ତାଙ୍କ ମୃତ୍ୟୁ ପୂର୍ବରୁ ଧାମନଗରର ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅସମୟରେ ମୃତ୍ୟୁ ଘଟିଥିଲା ଏବଂ ଇତିମଧ୍ୟରେ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଆଧାରରେ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି ।
୨୦୧୯ ବିଧାନସଭା ନିର୍ବାଚନରେ ବିଷ୍ଣୁ ଚରଣ ସେଠୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୪୬୨୫ ଭୋଟରେ ପରାସ୍ତ କରି ନିର୍ବାଚିତ ହୋଇଥିଲେ । ଏଥର ବିଜେପି ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଥିବା ବେଳେ ତିହିଡି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ବିଜେଡି ନିର୍ବାଚନ ମଇଦାନକୁ ଉତାରିଛି । ଏଠାରୁ କଂଗ୍ରେସ ପ୍ରାର୍ଥୀ ଭାବେ ବାବା ହରେକୃଷ୍ଣ ସେଠୀ ନିର୍ବାଚନ ଲଢ଼ୁଥିବା ବେଳେ ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର କୁମାର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଏବେ ସାରା ରାଜ୍ୟର ନଜର ଧାମନଗର ଉପରେ କେନ୍ଦ୍ରୀଭୂତ ରହିଛି । ବିଜେପି ତାହାର ଧାମନଗର ଆସନ ଦଖଲ କରିପାରିବ କି ନାହିଁ, ବିଜେଡି ବିଜେପିଠାରୁ ଏହି ଆସନ ଛଡାଇ ନେଇପାରିବ କି ନାହିଁ, କଂଗ୍ରେସ ତାହାର ପୂର୍ବ ସ୍ଥିତିରେ ଉନ୍ନତି ଆଣିପାରିବ କି ନାହିଁ ଏବଂ ସର୍ବୋପରି ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ ଏଠାରୁ ଜିଣିବେ କି ନାହିଁ ସେ ପ୍ରସଙ୍ଗରେ ଧାମନଗରର ଗାଁଗହଳରୁ ଆରମ୍ଭକରି ସମଗ୍ର ରାଜ୍ୟରେ ଚର୍ଚ୍ଚା ଚାଲିଛି । ବିଭିନ୍ନ ଦଳର ଛାମୁଆ ନେତାମାନେ ଧାମନଗରକୁ ଘନ ଘନ ଗସ୍ତ ଆରମ୍ଭ କରିଦେଇଛନ୍ତି ।
ଇତିମଧ୍ୟରେ ନିର୍ବାଚନ କମିଶନ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିବା ବେଳେ ପଦ୍ମପୁର ସମେତ ଦେଶର ଅନ୍ୟ ଯେଉଁସବୁ ଆସନରେ ଉପନିର୍ବାଚନ ହେବାକୁ ରହିଛି ସେ ସଂକ୍ରାନ୍ତରେ ତର୍ଜମା କରୁଛନ୍ତି । ରାଜ୍ୟ ବିଧାନସଭା ପକ୍ଷରୁ ପଦ୍ମପୁର ଆସନ ଖାଲି ପଡିଥିବା ଘେନି ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ସୂଚନା ଦିଆସରିଛି ।
୨୦୧୯ ନିର୍ବାଚନରେ ପଦ୍ମପୁର ଆସନରୁ ବିଜେପିର ବିଧାୟକ ପ୍ରଦୀପ ପୁରୋହିତଙ୍କୁ ୫୭୩୪ ଭୋଟ ବ୍ୟବଧାନରେ ପରାସ୍ତକରି ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂହ ବରିହା ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ସମୟରେ ୧୯୯୦ ମସିହାରେ ବିଜୟ ଏହି ଆସନରୁ ବିଜୟ ତିଳକ ପିନ୍ଧିଥିଲେ । ପରେ ନବୀନ ପଟ୍ଟନାୟକଙ୍କ ସରକାରରେ ମଧ୍ୟ ସେ ମନ୍ତ୍ରୀ ଥିଲେ । ପଦ୍ମପୁର ଆସନଟି ବରଗଡ ଲୋକସଭା କ୍ଷେତ୍ର ମଧ୍ୟରେ ରହିଛି ଏବଂ ଏଠାରୁ ବିଜେଡି ପ୍ରାର୍ଥୀଙ୍କୁ ହରାଇ ବିଜେପିର ସୁରେଶ ପୂଜାରୀ ନିର୍ବାଚିତ ହୋଇଛନ୍ତି । ତେଣୁ ଏବେ ପଦ୍ମପୁର ଦଖଲ ପାଇଁ ବିଜେପି ପୁରା ଦମ୍ରେ ଲାଗିଥିବା ବେଳେ ବିଜେଡି ମଧ୍ୟ ତାହାର ଗଡକୁ ସୁରକ୍ଷିତ ରଖି ପୂର୍ବ ଅପେକ୍ଷା ଅଧିକ ବ୍ୟବଧାନରେ ଜିଣିବ ବୋଲି ଆଶା କରୁଛି । କଂଗ୍ରେସ ବି ନିର୍ବାଚନ ମଇଦାନରେ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି । ତେବେ ଏଠାରୁ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ଏଯାବତ୍ ଘୋଷଣା ହୋଇନଥିଲେ ମଧ୍ୟ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । (ତଥ୍ୟ)