ଭୁବନେଶ୍ୱର : ପ୍ରାଥମିକ କୃଷି ସମବାୟ ସମିତି କମ୍ପ୍ୟୁଟରୀ କରଣ କ୍ଷେତ୍ରରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ଗ୍ରାମାଞ୍ଚଳରେ ସମବାୟ ସେବା ପ୍ରଦାନ କ୍ଷେତ୍ରରେ ଏହି ବ୍ୟବସ୍ଥା ଏକ ବୈପ୍ଳବିକ ପରିବର୍ତନ ଆଣିବ ବୋଲି କହଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
ଶ୍ରୀ ନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ଆଜି ୩୮୪ ଜଣ ବ୍ୟାଙ୍କିଙ୍ଗ୍ ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏଥି ସହିତ ଓଡିଶା ପଣ୍ୟାଗାର ନିଗମରେ ସହକାରୀ ଯନ୍ତ୍ରୀ, ସହକାରୀ ପରିଚାଳକ, ଅଧୀକ୍ଷକ, ସହକାରୀ ଅଧୀକ୍ଷକ ଓ ଗୋଦାମ ସହାୟକ ଭାବେ ୨୮ ଜଣଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି ।
ରାଜ୍ୟର ସମବାୟ ଅନୁଷ୍ଠାନ ଗୁଡିକୁ ୫ଟି ମନ୍ତ୍ର ଆଧାରରେ ପରିଚାଳିତ କରି ଲୋକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ୨୦୬୩ ଟି ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ କମ୍ପ୍ୟୁଟରୀ କରଣ କରାଯାଇଛି, ଯାହାକି ଆଜି ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି ।
ରାଜ୍ୟର ବିକାଶ ପ୍ରକ୍ରିୟାରେ ସମବାୟ ଅନୁଷ୍ଠାନ ଗୁଡିକର ଅବଦାନ ଅତୁଳନୀୟ । ୧୦୦ ବର୍ଷରୁ ଅଧିକ ସମୟ ଧରି ସମବାୟ ଅନୁଷ୍ଠାନ ଗୁଡିକ ଚାଷୀମାନଙ୍କୁ ସେବା ପ୍ରଦାନ କରି ଆସୁଛନ୍ତି । ସମବାୟ ଅନୁଷ୍ଠାନ ଗୁଡିକ ଆମ ରାଜ୍ୟର ସମୁଦାୟ କୃଷି ଋଣର ୬୦ ପ୍ରତିଶତ ଋଣ ଚାଷୀମାନଙ୍କୁ ପ୍ରଦାନ କରି ଆସୁଛନ୍ତି ।
ରାଜ୍ୟର କୃଷି ଓ କୃଷକମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ, ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ନିମନ୍ତେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି ।
ସେହିପରି ରାଜ୍ୟ ପଣ୍ୟାଗାର ନିଗମ ମଧ୍ୟ ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ସଂରକ୍ଷଣ ଦିଗରେ ପ୍ରମୁଖ ଭୁମିକା ଗ୍ରହଣ କରିଛି । ୩୦ ଟି ଜିଲ୍ଲାରେ ୬୮ ଟି ଗୋଦାମ ଘର ମାଧ୍ୟମରେ ଖାଦ୍ୟ ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ରହିଛି । ପଣ୍ୟାଗାର ନିଗମ ତାର ବୃତିଗତ ସୁପରିଚାଳନାର ଫଳ ସ୍ୱରୁପ ୨୦୧୮-୧୯ ଆର୍ଥିକ ବର୍ଷର ଲାଭାଂଶ ବାବଦରେ ରାଜ୍ୟ ସରକାରଙ୍କୁ ୩,୦୭,୧୭,୫୨୬ ଟଙ୍କା ପ୍ରଦାନ କରିଥିବା ଖୁସିର ବିଷୟ ।