Home Health ଶହେ ଡାକ୍ତରଙ୍କର ଖୋଜ ଖବର ନାହିଁ

ଶହେ ଡାକ୍ତରଙ୍କର ଖୋଜ ଖବର ନାହିଁ

ଭୁବନେଶ୍ୱର : ବିଭିନ୍ନ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଯୋଗାଣ ପାଇଁ ସରକାର ନାକେଦମ ହେଉଥିବାବେଳେ ଶହେରୁ ଅଧିକ ଡାକ୍ତର ପ୍ରାୟ ଦୁଇବର୍ଷ ହେଲା ଅର୍ନ୍ତଧ୍ୟାନ ହୋଇଯାଇଛନ୍ତି । କିଏ ବିନା ସୂଚନାରେ ଦୀର୍ଘଦିନ ଧରି ଛୁଟିରେ ପଳାଇଛି ତ ଆଉ କିଏ ବଦଳି ହୋଇଥିବା ସ୍ଥାନରେ ଯୋଗନଦେଇ ପାର୍‍ ମାରିଛି ।

ମିଳିଥିବା ସୂଚନା ଅନୁଯାୟୀ ସରକାରଙ୍କ ଆଖିରେ ଧୂଳି ଦେଇ ବୁଲୁଥିବା ଏହିଭଳି ଡାକ୍ତରଙ୍କ ସଂଖ୍ୟା ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୧୧୧ ରହିଥିଲା । ଏମାନଙ୍କ ମଧ୍ୟରୁ ୮୭ ଜଣ ଡାକ୍ତର ବିନା ଅନୁମତିରେ ଦୀର୍ଘଦିନ ଧରି ଛୁଟିରେ ରହିଛନ୍ତି । ଏମାନେ କେଉଁଠି ରହିଛନ୍ତି ଓ କ’ଣ କରୁଛନ୍ତି ତାହା ସରକାର ଜାଣି ନାହାନ୍ତି । ସେହିଭଳି ୨୪ଜଣ ଡାକ୍ତର ବଦଳି ହେବାପରେ ବଦଳି ସ୍ଥାନରେ ଯୋଗ ନଦେଇ ଏକ ପ୍ରକାର ଫେରାର ହୋଇଯାଇଛନ୍ତି । ମୂଳ ସ୍ଥାନରୁ ଏମାନେ ରିଲିଭ ହୋଇଛନ୍ତି । ଏବେ ସୁଦ୍ଧା ଏମାନଙ୍କର କୌଣସି ଖୋଜ ଖବର ନଥିବା ଜଣାଯାଇଛି ।

ସରକାରଙ୍କୁ ଭୁଆଁ ବୁଲାଇ ଏଭଳି ବିନା ଅନୁମତିରେ ଛୁଟିରେ ପଳାଇଥିବା ଓ ବଦଳି ହୋଇଥିବା ସ୍ଥାନରେ ଯୋଗ ନଦେଇ ବାହାରେ ରହିଥିବା ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବରିଷ୍ଠ ଚିକିତ୍ସକ । ଏମାନଙ୍କ ମଧ୍ୟରୁ କିଛି ବିଶେଷଜ୍ଞ ଡାକ୍ତର ବି ରହିଛନ୍ତି । ସରକାର ଏମାନଙ୍କୁ ଚାକିରିରୁ ବହିଷ୍କାର କରିନଥିବାରୁ ସରକାରୀ ଖାତାରେ ଏମାନଙ୍କ ନାଁ ଗଡୁଛି । ଏହି ଡାକ୍ତରମାନଙ୍କ ମଧ୍ୟରୁ ଅଧିକାଂଶ ଘରୋଇ ଚିକିତ୍ସାରେ ମାତିଥିବା କୁହାଯାଉଛି ।

ତେବେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ହେଉଥିବା ଆଲୋଚନା ଅନୁଯାୟୀ ଅର୍ନ୍ତଧ୍ୟାନ ହୋଇଥିବା ଏହି ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ଚାକିରି ଜୀବନର ଶେଷ ପର୍ଯ୍ୟାୟରେ ଉଭା ହେଲା ବେଳକୁ ସେମାନଙ୍କ ସମସ୍ତ ସରକାରୀ ପ୍ରାପ୍ୟ ପାଇବାପାଇଁ ବିଭିନ୍ନ ବାହାନା ଦେଖାଇବେ । ସରକାର ଏମାନଙ୍କର ପ୍ରାପ୍ୟ ନଦେଲେ ସ୍ୱାସ୍ଥ୍ୟ ବିଭାଗକୁ କାଠଗଡାକୁ ଟାଣିବେ । ଘରୋଇ ଚିକିତ୍ସା କରି ପାଇଥିବା ମୋଟା ଅଙ୍କର ଅର୍ଥକୁ ମାମଲାରେ ଖଟାଇ ସରକାରଙ୍କ ଠାରୁ ପ୍ରାପ୍ୟ ଆଦାୟ କରିବେ । ଅତୀରେ ଏଭଳି କେତେକ ନଜିର ରହିଛି । ତେଣୁ ଯେଉଁ ଚିକିତ୍ସକମାନେ ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ନାଁରେ ସ୍ୱାସ୍ଥ୍ୟ ବିଭାଗ ଫୌଜଦାରୀ ମାମଲା ରୁଜୁ କରିବା ସହିତ ଚାକିରିରୁ ବହିଷ୍କାର ଏବଂ ସେମାନଙ୍କ ଡାକ୍ତରୀ ଅନୁମତି ପ୍ରତ୍ୟାହାର କରିବା ନେବା ଆବଶ୍ୟକ । ଏଭଳି ପଦକ୍ଷେପ ଗ୍ରହଣ କଲେ ଅନେକ ଡାକ୍ତର ରାତାରାତି ଫେରିବେ ବୋଲି କିଛି ବରିଷ୍ଠ ଅଧିକାରୀ ମତ ଦେଉଛନ୍ତି ।

ଏଣେ ରାଜ୍ୟରେ ପ୍ରାୟ ତିନି ହଜାର ଡାକ୍ତର ପଦବୀ ଖାଲି ପଡିଥିବାରୁ ସରକାର ଜଣେ ଜଣେ ଡାକ୍ତରଙ୍କୁ ଏକାଧିକ ସ୍ଥାନରେ କାର୍ଯ୍ୟ କରାଉଛନ୍ତି । ଏପରିକି ଦରମା ପାଉଥିବା ଡାକ୍ତରଖାନାରେ କାମ ନକରି କିଛି ଡାକ୍ତର ଅନ୍ୟ ଡାକ୍ତରଖାନାରେ କାମ କରୁଥିବା ଦେଖିବାକୁ ମିଳୁଛି । ବିଶେଷଜ୍ଞ ଡାକ୍ତର ଅଭାବରୁ କେତେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଷମ ସ୍ଥିତି ଉପୁଜୁଛି । ଏଭଳି ପରିସ୍ଥିତିରେ ୧୦୦ ଅଧିକ ଡାକ୍ତର ସରକାରଙ୍କୁ ଭୁଆଁ ବୁଲାଇ ଫେରାର ହେବା ଏବେ ସ୍ୱାସ୍ଥ୍ୟ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । (ତଥ୍ୟ)