Home Education ବିଶ୍ୱବିଦ୍ୟାଳୟ ପାଠପଢ଼ା ପାଇଁ ଶିକ୍ଷକ ସଙ୍କଟ

ବିଶ୍ୱବିଦ୍ୟାଳୟ ପାଠପଢ଼ା ପାଇଁ ଶିକ୍ଷକ ସଙ୍କଟ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ଓଡ଼ିଶାର ୧୨ଟି ବିଶ୍ୱବିଦ୍ୟାଳୟ ଲାଗି ସ୍ନାତକୋତ୍ତର ଶ୍ରେଣୀରେ ନାମାଙ୍କନ ପର୍ବ ଶେଷ ପରେ ଆସନ୍ତା ସପ୍ତାହରୁ ପାଠପଢ଼ା ଆରମ୍ଭ ହେବାକୁ ଥିବାବେଳେ ଏହି ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ପ୍ରାୟ ହଜାରେ ଶିକ୍ଷକ ପଦବୀ ଖାଲି ପଡିଥିବା ଯୋଗୁଁ ଅଧ୍ୟୟନ ଓ ଗବେଷଣା କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଶିକ୍ଷାବିତମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ରମା ଦେବୀ ମହିଳା, ଉତ୍ତର ଓଡ଼ିଶା, ଫକୀର ମୋହନ, ଖଲିକୋଟ, ଗଙ୍ଗାଧର ମେହେର, ରାଜେନ୍ଦ୍ର, ଭବାନୀପାଟଣା ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆଦି ରହିଛି । ଏଗୁଡିକ ଲାଗି ୧୬୧୩ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଥିବା ବେଳେ ଏଥିରୁ ପ୍ରାୟ ହଜାରେ ପଦବୀ ଖାଲି ପଡିଛି । ତେଣୁ ଏହି ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ପାଠପଢ଼ା ପାଇଁ ଅତିଥି ଅଧ୍ୟାପକମାନଙ୍କ ଉପରେ ଅଧିକ ନିର୍ଭର କରିବାକୁ ପଡୁଛି ।

ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ଲାଗି ୪୭ଟି ପ୍ରଫେସର, ୭୬ ସହଯୋଗୀ ପ୍ରଫେସର ଓ ୧୩୪ଟି ସହକାରୀ ପ୍ରଫେସର ପଦବୀ ଥିବାବେଳେ ସେଥିମଧ୍ୟରୁ ପ୍ରାୟ ୧୨୦ଟି ଖାଲି ପଡିଛି । ଅନେକ ବିଭାଗରେ ପ୍ରଫେସର ବି ନାହାନ୍ତି । ସେହିଭଳି ରାଜ୍ୟର ସର୍ବପୁରାତନ କଲେଜ ରେଭେନ୍ସାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବା ପରେ ଏଠାରେ ବି ପ୍ରାୟ ଦେଢ଼ ଶହ ଶିକ୍ଷକ ପଦବୀ ଖାଲି ରହିଛି । ଅନେକ ବିଭାଗରେ ରେଭେନ୍ସାରେ ପ୍ରଫେସର ନାହାନ୍ତି ।

ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, କଳାହାଣ୍ଡିର ଭବାନୀପାଟଣା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ଥିବା ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀରେ ଶିକ୍ଷକ ମରୁଡି ସମସ୍ୟା ବେଶ୍‍ ଉତ୍କଟତର । ବ୍ରହ୍ମପୁର, ସମ୍ବଲପୁର, ବାରିପଦା, ପୁରୀ ଆଦିରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକର ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ଶିକ୍ଷକ ଅଭାବଜନିତ ପରିସ୍ଥିତିରୁ ସାଂଘାତିକ ଅବସ୍ଥାରେ ପହଞ୍ôଚଛି । ଅନ୍ୟ ବିଶ୍ୱବିଦ୍ୟାଳୟ ଗୁଡିକର ସ୍ଥିତି ମଧ୍ୟ ଢ଼େର ଗମ୍ଭୀର ।

ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟଗୁଡିକ ଉଚ୍ଚ ମାନର ନ୍ୟାକ୍‍ ମାନ୍ୟତା ହାତେଇବା ଏଥର ବେଶ୍‍ କଷ୍ଟକର ହୋଇପଡିବ ବୋଲି ଆଶଙ୍କା ପ୍ରକାଶ ପାଉଛି । ସଂପୃକ୍ତ ବିଶ୍ୱବିଦ୍ୟାଳୟ ଗୁଡିକ ହାତରେ ନିଯୁକ୍ତି କ୍ଷମତା ରହିଥିବା ବେଳେ ଆର୍ଥିକ ସଂକଟ କାରଣରୁ ମିତବ୍ୟୟିତା ପାଳନ ପାଇଁ ନୂତନ ନିଯୁକ୍ତି ଓ ପଦୋନ୍ନତି ଉପରେ ସରକାର କଟକଣା ଜାରି କରିବା ସହ ଅନେକ ପଦପଦବୀ ଉଚ୍ଛେଦ କରିବାକୁ ବାଧ୍ୟ ହେଉଥିଲେ । ଏ ପରିପ୍ରେକ୍ଷୀରେ ଗତ ୨୫ବର୍ଷ ଧରି ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ବେଶ୍‍ ମନ୍ଥରତା ଲକ୍ଷ୍ୟ କରାଯାଉଛି ।

ଇତିମଧ୍ୟରେ ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କରାଯାଇ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକ ଲାଗି ପ୍ରଫେସର, ସହଯୋଗୀ ପ୍ରଫେସର ଓ ସହକାରୀ ପ୍ରଫେସର ଆଦି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ ଦାୟିତ୍ୱ ଓଡ଼ିଶା ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରାଯାଇଛି । ଏହି ସଂଶୋଧିତ ଆଇନର ବୈଧତା ଉପରେ ପ୍ରଶ୍ନବାଚୀ ଉଠାଇ ହାଇକୋର୍ଟରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏ ପ୍ରସଙ୍ଗକୁ ସୁପ୍ରିମକୋର୍ଟକୁ ନେଇଛନ୍ତି । ଅଦାଲତି ଲଢ଼େଇ ଯୋଗୁଁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଶିକ୍ଷକ ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରୁ ନାହିଁ ବୋଲି କୁହାଯାଉଛି । (ତଥ୍ୟ)