Home Finance ଅତରିକ୍ତ ବଜେଟ୍‍ ପାଇଁ ପ୍ରକ୍ରିୟା ଆରମ୍ଭ

ଅତରିକ୍ତ ବଜେଟ୍‍ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆସନ୍ତା ବିଧାନସଭା ଅଧିବେଶନ କାଳରେ ୨୦୨୨-୨୩ ବର୍ଷ ଲାଗି ଆଗତ ହେବାକୁ ଥିବା ଅତିରିକ୍ତ ବଜେଟ୍‍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ବିଭାଗଗୁଡିକୁ ଅତିରିକ୍ତ ବଜେଟ୍‍ ପ୍ରସ୍ତୁତି ନେଇ ମାର୍ଗଦର୍ଶିକା ଜାରି କରିଥିବାବେଳେ ସମସ୍ତ ବିଭାଗ ଚଳିତ ମାସ ୩୧ ତାରିଖ ସୁଦ୍ଧା ସେମାନଙ୍କର ପ୍ରସ୍ତାବ ଦେବାକୁ କୁହାଯାଇଛି ।

ବର୍ତ୍ତମାନର ରାଜ୍ୟର ଆର୍ଥିକ ସ୍ଥିତି ସଂକ୍ରାନ୍ତରେ ଶ୍ରୀ ଦେବ କହିଛନ୍ତି ଯେ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ୱେ ଭାରତର ଅର୍ଥନୀତିର ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ୨୦୨୨-୨୩ ବର୍ଷରେ ଓଡିଶାରେ ଏହି ହାର ୮ ପ୍ରତିଶତ ରହିବାର ଆଶା କରାଯାଉଛି । ଚଳିତବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହ ୧୬ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଗତବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ବଜେଟ୍‍ ବ୍ୟୟ ୨୮ ପ୍ରତିଶତ ବଢିଛି । ତେବେ ବଜେଟ୍‍ ଅର୍ଥ ବ୍ୟୟ ତ୍ୱରାନ୍ୱିତ ଲାଗି ପ୍ରମୁଖ ସଚିବ ବିଭାଗଗୁଡିକୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ଅଗ୍ରାଧିକାର କ୍ଷେତ୍ର ସଂକ୍ରାନ୍ତରେ ସୂଚନା ଦେଇ ସେ କହିଛନ୍ତି ଯେ ଦ୍ରୁତ ଦାରିଦ୍ର‌୍ୟ ହ୍ରାସ ହ୍ରାସ ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ, ଫସଲ କିସମ ପରିବର୍ତ୍ତନ ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ଓ ଚାଷୀଙ୍କୁ ସିଧାସଳଖ ଅର୍ଥ ଟ୍ରାନ୍ସଫର, ସମସ୍ତଙ୍କୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ, ସମସ୍ତଙ୍କୁ ସୁହାଇଲା ଭଳି ସ୍ୱାସ୍ଥ୍ୟସେବା ପ୍ରଦାନ, ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଦକ୍ଷତା ବିକାଶ ସହିତ ଆର୍ଥିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ଲାଗି ଗୁଣାତ୍ମକ ଭିତ୍ତିଭୂମିକ ଉପରେ ଜୋର ଦିଆଯାଉଛି ।

ରାଜ୍ୟ ସରକାର ମିଶନ ମୋଡରେ ମହିଳା ସଶକ୍ତିକରଣ କାର୍ଯ୍ୟ ହାତକୁ ନେଉଥିବାବେଳେ ସେମାନଙ୍କୁ ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପରେ ଜଡିତ କରୁଛନ୍ତି । ସେହିଭଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଣ ଏବଂ ଗ୍ରାମ୍ୟସ୍ତରରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଉପରେ ଜୋର ଦିଆଯାଉଛି ଯାହା ଦ୍ୱାରା ଅର୍ନ୍ତୁଭକ୍ତି ବିକାଶ ଲକ୍ଷ୍ୟ ହାସଲ କରାଯାଇ ପାରିବ ।

୨୦୨୨-୨୩ ବାର୍ଷିକ ବଜେଟ୍‍ ପ୍ରସ୍ତୁତି ସମୟରେ ବିତ୍ତୀୟ ନିଅଣ୍ଟ ଜିଏସ୍‍ଡିପିର ୩ ପ୍ରତିଶତ ରହିଥିଲା । ତେଣୁ ଚଳିତ ଆର୍ଥିକ ବର୍ଷରେ ଅଧିକ ଋଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସୁଯୋଗ ରହିଛି । ତେବେ ଏଥିପାଇଁ ଧାର୍ଯ୍ୟ ସମୟରେ ରାଜ୍ୟକୁ ବିକାଶ କାର୍ଯ୍ୟରେ ଅଧିକ ବ୍ୟୟ କରିବାକୁ ପଡିବ । ତେବେ ଜୀବିକା ପ୍ରକଳ୍ପ ଓ କାପକ୍ସ ଯୋଜନା ସମ୍ପୂର୍ଣ୍ଣ ଉପରେ ବିଭାଗଗୁଡିକ ଗୁରୁତ୍ୱ ଦେଉଛନ୍ତି ଯାହା ଫଳରେ ରାଜ୍ୟ ଅର୍ଥନୀତି ଅଧିକ ସୁଦୃଢ ହୋଇପାରିବ । ରାଜ୍ୟ ସରକାର ନିୟମିତ ଭାବେ ନୂତନ ପ୍ରକଳ୍ପ ଘୋଷଣା ସହିତ ଜୀବିକା ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରୁଛନ୍ତି ଯାହାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ଯୋଗାଉଛନ୍ତି । ବିଭାଗଗୁଡିକ ଓଡିଶା କଣ୍ଟିଜେନ୍ସି ଫଣ୍ଡ୍‍ (ଓସିଏଫ୍‍)ରୁ ନେଇଥିବା ଅଗ୍ରୀମକୁ ଅତିରିକ୍ତ ବଜେଟ୍‍ରେ ଭରଣା ଲାଗି କୁହାଯାଇଛି ।

୨୦୨୨-୨୩ ବର୍ଷରେ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି । ଏହାବାଦ୍‍ ନୂତନ ପଦବୀ ପୂରଣ କରାଗଲେ ଏଥିପାଇଁ ଅତିରିକ୍ତ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଅନୁମତି ମିଳିବ । ଆବଶ୍ୟକ ସ୍ଥଳେ ବିଭାଗଗୁଡିକୁ ସ୍ଥିତି ଭରଣା ପାଇଁ ଗଚ୍ଛିତ ପାଣ୍ଠିରୁ ପୁନଃ ଆବଣ୍ଟନ ପାଇଁ କୁହାଯାଇଛି । ଶ୍ରୀ ଦେବ କହିଛନ୍ତି ଯେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁଠାରେ ବଜେଟ୍‍ ଅର୍ଥର ୪୦ ପ୍ରତିଶତରୁ କମ୍‍ ବ୍ୟୟ ହୋଇଛି ସେଠାରେ ଅତିରିକ୍ତ ବ୍ୟୟବରାଦ ପାଇଁ ଆସୁଥିବା ପ୍ରସ୍ତାବଗୁଡିକୁ ବିଚାରକୁ ନିଆଯିବ ନାହିଁ । (ତଥ୍ୟ)