Home Industry ୧୦ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦିତ

୧୦ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦିତ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି  ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି  ବୈଠକରେ ୧୦ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ  ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୯୨୩.୬୦ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୫୧୭୦ ଜଣଙ୍କ ନିମନ୍ତେ  ପ୍ରତକ୍ଷ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।

ଏହି ବୈଠକରେ  ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ  ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର  ବୈଷୟିକ ଓ ଆର୍ଥିକ ଦକ୍ଷତା ବିଷୟ ଉପସ୍ଥାପନ ପୂର୍ବକ  କହିଥିଲେ ଯେ ପ୍ରକଳ୍ପ ଗୁଡିକ  ମୁଖ୍ୟତଃ  ଆଲୁମିନିଅମ୍‌ ଓ ଷ୍ଟିଲ୍‌ ଡ଼ାଉନଷ୍ଟ୍ରିମ୍‌, ଅଣପାରମ୍ପରିକ ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କୃଷି ଉତ୍ପାଦ ଓ ଖାଦ୍ୟ ପ୍ରକ୍ରିୟାକରଣ, ତୈଳ ଓ ଗ୍ୟାସ୍‌, ବୈଦୁତିକ ପଦାର୍ଥ ଉତ୍ପାଦନ, ଭିତ୍ତିଭୂମି, ପର୍ଯ୍ୟଟନ, ବୈଷୟିକ ବୟନ, ରସାୟନ ଏବଂ ମାନୁଫାକ୍‌ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ  ପ୍ରଗତିରେ ସହାୟକ ହେବ ।  

ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ  ଦେଇ ସେଗୁଡିକର ସମୟାନୁବନ୍ଧିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ  କରିଥିଲେ । ଏଥି ପାଇଁ  ସମସ୍ତ ପ୍ରକାର ପ୍ରଶାସନିକ  ସହଯୋଗ  ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ  ବିଭାଗମାନଙ୍କୁ  ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ପ୍ରକାର ଶିଳ୍ପ ପାଇଁ ଆବଶ୍ୟକୀୟ ଜମି ଓ ଜଳର  ସଠିକ୍‌ ଅନୁଶୀଳନ କରି ତଦନୁଯାୟୀ ବ୍ୟବସ୍ଥା କରିବାକୁ  ନିର୍ଦ୍ଦେଶ ଦେଇଥିଲେ ।  

ପ୍ରତିଷ୍ଠା ହେବାକୁ ଥିବା  ଏହି ଶିଳ୍ପାନୁଷ୍ଠାନମାନେ ଯେପରି  ବର୍ଜ୍ୟବସ୍ତୁ ଏବଂ ଉତ୍ପାଦନ-ଜାତି ପ୍ରଦ୍ୟୁଷକ ପଦାର୍ଥର ପରିଚାଳନା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବେ ତାହା ନିଶ୍ଚିତ କରାଇବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିୟମିତ ସମୀକ୍ଷା ଓ ତଦାରଖ ମାଧ୍ୟମରେ ଏହା କଡାକଡି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍‌ଙ୍କ ସହ ସଂପୃକ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ  ଓଡ଼ିଶା କୌଶଳ ପ୍ରାପ୍ତ(ସ୍କିଲ୍ଡ୍‌ ଇନ୍‌ ଓଡିଶା) ଯୁବକଯୁବତୀମାନଙ୍କର ନିଯୁକ୍ତି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।