ଭୁବନେଶ୍ୱର : ରାଜଧାନୀବାସୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପାର୍ବଣ ପରେ ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆଜି ଖାଦ୍ୟ ବିକ୍ରି ଉପରେ କେତେକ କଟକଣା ଜାରି କରିଛି । ତଦନୁଯାୟୀ ରାସ୍ତା, ଫୁଟ୍ପାଥ୍ ଓ ଡ୍ରେନ ଉପରେ କୌଣସି ପ୍ରକାର ଖାଦ୍ୟ ବିକ୍ରି ହୋଇପାରିବ ନାହିଁ ।
ସେହିଭଳି ପାର୍କିଂ ସୁବିଧା ନଥିବା ଦୋକାନରୁ ଲୋକେ କେବଳ ଘରକୁ ଖାଦ୍ୟସାମଗ୍ରୀ କିଣିକି ନେଇପାରିବେ । ସେଠାରେ ଲୋକଙ୍କୁ ଖାଦ୍ୟ ପରସା ଉପରେ ବିଏମ୍ସି କଟକଣା ଜାରି କରିଛି ।
ଖାଇବା ଦୋକାନଗୁଡିକରେ କାର୍ଯ୍ୟରତ କର୍ମଚାରୀମାନେ ପରିଷ୍କାର ପୋଷାକ ସହିତ ମୁଣ୍ଡରେ ଟୋପି, ସଫା ଆପ୍ରୁନ, ଗ୍ଲୋଭସ୍ ଏବଂ ମୁହଁରେ ମାସ୍କ ପିନ୍ଧିବା ସହିତ ସ୍ୱାସ୍ଥ୍୍ୟକର ପରିବେଶରେ ଖାଦ୍ୟ ପରସିବେ । କୌଣସି ବ୍ୟବସାୟିକ ସ୍ଥାନରେ ଖାଦ୍ୟ ବିକ୍ରି ଉପରେ ମଧ୍ୟ କଟକଣା ଲଗାଯାଇଛି ।
ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା କରିବା ସହିତ ବିଏମ୍ସିର ନିୟମ ଅନୁଯାୟୀ ସେମାନଙ୍କ ଦୋକାନ ସମ୍ମୁଖରେ ଦୁଇଟି ଡଷ୍ଟବିନ ରଖିବେ । ଦୋକାନରୁ ବାହାରୁଥିବା ଆବର୍ଜନାକୁ ଘରକୁ ଘର ବୁଲି ଅଳିଆ ସଂଗ୍ରହ କରୁଥିବା ଗାଡିକୁ ହସ୍ତାନ୍ତର କରିବେ । ଏଥି ସହିତ ସେମାନଙ୍କ ଦୋକାନର ୫ ମିଟର ଅଞ୍ଚଳକୁ ସଫାସୁତୁରା ରଖିବାକୁ କୁହାଯାଇଛି ।
ବିଏମ୍ସିର ଏହି କଟକଣାକୁ ଯେଉଁ ବିକ୍ରେତାମାନେ ପାଳନ ନକରିବେ ସେମାନଙ୍କ ଉପରେ ଜୋରିମାନା ଲାଗୁ ସହିତ ସେମାନଙ୍କ ଦୋକାନରେ ତାଲାପକାଯିବ । ଏପରିକି ସେମାନଙ୍କୁ ପ୍ରଦାନ କରାଯାଇଥିବା ଲାଇସେନ୍ସକୁ ବିଏମ୍ସି ବାତିଲ କରିବ ଏବଂ ଦୋକାନ ନିକଟରେ ବେଆଇନ୍ ଭାବେ ପାର୍କିଂ ହୋଇଥିବା ଗାଡିଗୁଡିକୁ ଜବତ କରାଯିବ ବୋଲି ବିଏମ୍ସି କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ତେବେ ଦୀର୍ଘଦିନ ଧରି ବିଏମ୍ସି ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଭେଣ୍ଡିଂ ଜୋନ୍ରେ ଏକାଧିକ ଫାଷ୍ଟଫୁଡ୍, ହୋଟେଲ ଓ ଅନ୍ୟାନ୍ୟ ଖାଇବା ଦୋକାନ ଖୋଲିଥିବାବେଳେ ଏହା ସମ୍ମୁଖରେ ଗାଡି ରଖିବାକୁ ସ୍ଥାନ ନଥିବାରୁ ସେଠାରେ ଟ୍ରାଫିକ ସମସ୍ୟା ଉପୁଜୁଝି । ଏହାକୁ ଦୃଷ୍ଟିରେ ରଖି କେତେକ ଭେଣ୍ଡିଂ ଜୋନ୍କୁ ବିଏମ୍ସି ପକ୍ଷରୁ ସ୍ଥାନାନ୍ତର ଲାଗି ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ନାଲିଫିତା ତଳେ ରହି ଯାଇଥିବା ଲକ୍ଷ୍ୟ କରାଯାଉଛି ।