Home General ବାବୁଙ୍କ ପାଇଁ ମୋ ସେବା କେନ୍ଦ୍ର ବିଳମ୍ବ

ବାବୁଙ୍କ ପାଇଁ ମୋ ସେବା କେନ୍ଦ୍ର ବିଳମ୍ବ

ଭୁବନେଶ୍ୱର : ଗ୍ରାମାଞ୍ଚଳ ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସେବା ଯୋଗାଣ ପାଇଁ ରାଜ୍ୟ ସରକାର ‘ମୋ ସେବା କେନ୍ଦ୍ର’ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଥିବାବେଳେ ଜିଲ୍ଲା ସ୍ତରରେ ଥିବା ଅଧିକାରୀମାନେ ଏ କ୍ଷେତ୍ରରେ ଏବେ ବାଧକ ସାଜୁଛନ୍ତି । ସେବା କେନ୍ଦ୍ର ପ୍ରତିଷ୍ଠାପାଇଁ ମାସ ମାସ ଧରି ଅନୁମତି ମିଳୁନଥିବାରୁ ପଞ୍ଚାୟତ ସ୍ତରରେ ଲୋକେ ଏବେ ହଟହଟା ହେଉଛନ୍ତି ।

ଏଭଳି ଅବହେଳାର ଚିତ୍ର ଦେଖିବାକୁ ମିଳିଛି ଜଗତ୍‍ସିଂହପୁର ଜିଲ୍ଲାରେ । ଏଠାରେ ମୋ ସେବା କେନ୍ଦ୍ର ପାଇଁ ଆବେଦନ କରିଥିବା ହିତାଧିକାରୀମାନେ ସହଜ ପୋର୍ଟାଲ ପାଇଁ ୫ହଜାର ଟଙ୍କା ଦାଖଲ କରି ତତ୍କାଳ କୋଡ୍‍ ପାଇଯାଉଥିବାବେଳେ ସେମାନଙ୍କୁ ମୋ ସେବା କେନ୍ଦ୍ର ପାଇଁ କିନ୍ତୁ ମାସେ ପରେ ବି କୋଡ୍‍ ମିଳୁନାହିଁ । ସମସ୍ତ ପ୍ରକାର କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ଜିଲ୍ଲା ସ୍ତରରେ ଇ-ଗଭର୍ଣ୍ଣାନ୍ସ ଅଧିକାରୀମାନେ କୋଡ୍‍ ପ୍ରଦାନରେ ବିଳମ୍ବ କରୁଥିବା ଲକ୍ଷ୍ୟ କରାଯାଉଛି । ଏପରିକି ଜିଲ୍ଲାପାଳ ଅନୁମତି ପ୍ରଦାନରେ ବିଳମ୍ବ କରୁଥିବା ବି କୁହାଯାଉଛି ।

ପଞ୍ଚାୟତ ସ୍ତରରେ ଗୋଟିଏ କରି ମୋ ସେବା କେନ୍ଦ୍ର ପ୍ରତିଷ୍ଠା ଉପରେ ଜୋର ଦେବା ସହିତ ଏହି ଦାୟିତ୍ୱ ରାଜ୍ୟ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗକୁ ଦିଆଯାଇଛି । ଏଥିପାଇଁ ଜିଲ୍ଲା ସ୍ତରରେ ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି । ମୋ ସେବା କେନ୍ଦ୍ର କିଭଳି ତୁରନ୍ତ ପ୍ରତିଷ୍ଠା କରାଯିବ ଓ ଲୋକେ ଏହାଦ୍ୱାରା ସେବା ପାଇବେ ତାହାର ତଦାରଖ କରିବା ଏହି ଅଧିକାରୀଙ୍କ ଦାୟିତ୍ୱ ।

ହେଲେ ଲକ୍ଷ୍ୟ କରାଯାଇଛି ଯେ କେତେକ ସ୍ଥାନରେ ଜିଲ୍ଲାସ୍ତରୀୟ ଏହି ଅଧିକାରୀମାନେ ମୋ ସେବା କେନ୍ଦ୍ର ଖୋଲିବାରେ ବିଳମ୍ବ କରୁଛନ୍ତି । ଜିଲ୍ଲାପାଳଙ୍କ ଦପ୍ତରକୁ ସମସ୍ତ କାଗଜପତ୍ର ପଠାଇବା ଓ ସେଠାରୁ ଅନୁମତିରେ ବିଳମ୍ବ ହେଉଥିବାରୁ କହୁଛନ୍ତି । ଫଳରେ ମୋ ସେବା କେନ୍ଦ୍ର ଖୋଲିବା ଆଶାରେ ଥିବା ଯୁବକ ଯୁବତୀମାନେ ହତାଶ ହେଉଛନ୍ତି । ଏଣେ କେତେକ ପଞ୍ଚାୟତରେ ମୋ ସେବା କେନ୍ଦ୍ର ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀ ପଞ୍ଜିକରଣରେ ବାଧା ଉପୁଜଛି । ଅବସ୍ଥା ଏଭଳି ହୋଇଛି ଅନ୍ୟ ପଞ୍ଚାୟତରେ ମୋ ସେବା କେନ୍ଦ୍ର ଖୋଲିଥିବା ଲୋକେ ସେବା କେନ୍ଦ୍ର ନଥିବା ପଞ୍ଚାୟତରେ ଚାଷୀ ପଞ୍ଜିକରଣ ପାଇଁ ଲାପ୍‍ଟପ୍‍ ଧରି ବୁଲୁଛନ୍ତି ।

ଜିଲ୍ଲା ସ୍ତରରେ ନିଯୁକ୍ତ ହୋଇଥିବା ଯେଉଁ ଇ-ଗଭର୍ଣ୍ଣାନ୍ସ ଅଧିକାରୀମାନେ ମୋ ସେବା କେନ୍ଦ୍ର ଖୋଲିବାରେ ବିଳମ୍ବ କରୁଛନ୍ତି ସେମାନଙ୍କ ସଂକ୍ରାନ୍ତରେ ତଦନ୍ତ କରି ଆଇଟି ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ଏପରିକି କେତେକ ସ୍ଥାନରେ ଗୋଟିଏ ପଞ୍ଚାୟତ ବାହାର ଲୋକଙ୍କୁ ମୋ ସେବା କେନ୍ଦ୍ର ଖୋଲିବାକୁ ଅନୁମତି ଦେବା ନେଇ ବିବାଦ ବି ଉପୁଜିଲାଣି ।

ଗୋଟିଏ ପଟେ କେନ୍ଦ୍ର ସରକାର ଡିଜିଟାଲ ସେବା କେନ୍ଦ୍ର ଖୋଲି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଘରେ ଘରେ ପହଞ୍ଚାଉଥିବାବେଳେ ଅନ୍ୟ ପଟେ ରାଜ୍ୟ ସରକାରଙ୍କ ମୋ ସେବା କେନ୍ଦ୍ର ଖୋଲିବାରେ ବିଳମ୍ବ ଘଟୁଛି । ଏହାଦ୍ୱାରା କେବଳ ରାଜ୍ୟ ସରକାରଙ୍କ ଯୋଜନା ଲୋକଙ୍କ ନିକଟରେ ପହଞ୍ଚିବାରେ ବିଳମ୍ବ ହେଉଛି ତାହା ନୁହେଁ ମୋ ସେବା କେନ୍ଦ୍ରରୁ ବି ଲୋକେ ମୁହଁ ଫେରାଇବା ନିଶ୍ଚିତ ହେଲାଣି । ତେଣୁ ଆଇଟି ବିଭାଗ ତୁରନ୍ତ ଏହା ଉପରେ ନଜର ନଦେଲେ ସରକାରଙ୍କ ଏହି ‘ମୋ ସେବା କେନ୍ଦ୍ର’ ପୁଣି ଥରେ ପୂର୍ବର ଜନସେବା କେନ୍ଦ୍ର ଭଳି ଦଶା ଭୋଗିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)