Home General ଗବେଷଣା ସଂକଳନ ଉନ୍ମୋଚିତ

ଗବେଷଣା ସଂକଳନ ଉନ୍ମୋଚିତ

ଭୁବନେଶ୍ୱର : ଫଳାଫଳ ଭିତ୍ତିକ ଉନ୍ନୟନମୂଳକ ପରିଚାଳନା ଦିଗରେ ଅନ୍ୟ ଏକ  ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ସ୍ଥାନ ଭିତ୍ତିକ  ଅଧ୍ୟୟନ  କାର୍ଯ୍ୟ ଆରମ୍ଭ କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ  ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା  ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତ୍ତିକ  ଗବେଷଣା ସଂକଳନକୁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି । ଏଥି ପାଇଁ ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ଗୋପବନ୍ଧୁ ଏକାଡ଼େମୀର ମହା ନିର୍ଦ୍ଦେଶକ  ଶ୍ରୀମତୀ ରଂଜନା ଚୋପ୍ରା ଏବଂ ୟୁନିସେଫ୍ର ରାଜ୍ୟ ମୁଖ୍ୟ ଡ଼ଃ ମୋନିକା ନିଲେସନ୍ ଯୋଗ ଦେଇଥିଲେ ।

ଉତ୍କର୍ଷ କେନ୍ଦ୍ରର ଏତାଦୃଶ ସୃଜନାତ୍ମକ  ପ୍ରଚେଷ୍ଟା ପାଇଁ  ଗବେଷକମାନଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ  ଏ ପ୍ରକାର ଅଧ୍ୟୟନ କରିବା ପାଇଁ  ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।  ଏସବୁ ଅଧ୍ୟୟନ  ମାଧ୍ୟମରେ  ଜନ-ସମୁଦାୟମାନଙ୍କର ଆବଶ୍ୟକତା, ଆକାଂକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ  ଥିବା କ୍ଷେତ୍ରସ୍ତରୀୟ ଗୁରୁତ୍ୱପୂର୍ଣ୍ଣ-ଶୂନ୍ୟତା (କ୍ରିଟିକାଲ୍ ଗ୍ୟାପ୍) ଆଦି ଜାଣି ହେବ ।  ଅଧ୍ୟୟନର ଫଳାଫଳ ଅଧିକାରୀମାନଙ୍କ  ତାଲିମ  ନିମନ୍ତେ  ଅତି ଉପାଦେୟ ଦେବା ସହ  ଏବଂ ଅନ୍ୟତ୍ର ପ୍ରୟୋଗ ନିମନ୍ତେ  ବିଭିନ୍ନ ପ୍ରକଳ୍ପ  ନମୁନା ପ୍ରସ୍ତୁତିରେ ସହାୟକ ହେବବୋଲି ଶ୍ରୀ  ମହାପାତ୍ର କହିଥିଲେ ।

ଅଧ୍ୟୟନରୁ ପ୍ରାପ୍ତ ତଥ୍ୟ ଓ ଉପସଂହାର ବିଷୟରେ ସଂପୃକ୍ତ ବିଭାଗମାନଙ୍କ ସହ  ଆଲୋଚନାତ୍ମକ  ଅନୁଶୀଳନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଗୋପବନ୍ଧୁ ଏକାଡ଼େମୀଙ୍କୁ ପରାମର୍ଶ ଦେଇଥିଲେ ।  ଏହା କ୍ଷେତ୍ରସ୍ତରୀୟ ସମସ୍ୟାର ସ୍ଥାୟୀ ସମାଧାନ ଏବଂ  ସହଯୋଗିତା-ଭିତ୍ତିକ  ଯୋଜନା  ଓ ପ୍ରକଳ୍ପ ପ୍ରସ୍ତୁତି ଦିଗରେ ସହାୟକ ହେବ ।

ମହା ନିର୍ଦ୍ଦେଶ ଶ୍ରୀମତୀ ଚୋପ୍ରା କହିଥିଲେ ଯେ  ରାଜ୍ୟ ସରକାରଙ୍କ ପାଣ୍ଠି ଏବଂ ୟୁନିସେଫ୍ଙ୍କ  ବୈଷୟିକ ସହଯୋଗିତାରେ  ୨୦୨୧ ମସିହାରୁ ଗୋପବନ୍ଧୁ  ଏକାଡ଼େମୀର ଉତ୍କର୍ଷ  କେନ୍ଦ୍ର  ରାଜ୍ୟ  ତାଲିମ  ନିୟାମକ ଅନୁସାରେ କାର୍ଯ୍ୟ  କରୁଛି ।  ଏହାର ପ୍ରଥମ  ସଂକଳନ ବର୍ତ୍ତମାନ ପ୍ରକାଶିତ ହେଲା । ଏହି ସଂକଳନ  ଉଭୟ ଉନ୍ନୟନମୂଳକ-ପ୍ରଶାସନ ଏବଂ ଅଧିକାରୀ ମାନଙ୍କ ତାଲିମର ଗୁଣାତ୍ମକ  ବିକାଶରେ ବ୍ୟବହୃତ ହେବ ।

ୟୁନିସେଫ୍ ରାଜ୍ୟ ମୁଖ୍ୟ ଡ଼ଃ ମୋନିକା କହିଥିଲେ ଯେ ସ୍ଥାନ ଭିତ୍ତିକ ଗବେଷଣା ପଦ୍ଧତି ନେଇ  କାର୍ଯ୍ୟ କରୁଥିବା ଉତ୍କର୍ଷ କେନ୍ଦ୍ର ସାରା ଦେଶରେ ପ୍ରଥମ । ଗୋପବନ୍ଧୁ  ଏକାଡ଼େମୀର  ଏହି  କେନ୍ଦ୍ର ସହ ୟୁନିସେଫ୍ ନିଜର ସହଯୋଗିତା ବଜାୟ ରଖିବ । 

ଉତ୍କର୍ଷ  କେନ୍ଦ୍ରର  ନିର୍ଦ୍ଦେଶକ ଡ଼ଃ ଶଶାଙ୍କ ଗ୍ରହାଚାର୍ଯ୍ୟ କହିଥିଲେ ଯେ ବିବିଧ  ବିଷୟରେ  ୧୯ ଟି ଫଳାଫଳ ଭିତ୍ତିକ  ଗବେଷଣା ଏହି ସଂକଳନରେ ସ୍ଥାନିତ  ହୋଇଛି । ଆଦର୍ଶ ବିଦ୍ୟାଳୟର କାର୍ଯ୍ୟକାରିତା, ମହିଳା ବୁଣାକାରଙ୍କ ରୋଜଗାର  ଉପରେ କୋଭିଡ୍-୧୯ ର ପ୍ରଭାବ, ସିକଲ୍ ସେଲ୍ର ପ୍ରଥମାବସ୍ଥାରୁ ନିର୍ଣ୍ଣୟ  ଓ ଚିକିତ୍ସା , ଉପକୂଳ ଅଞ୍ଚଳରେ ମତ୍ସ୍ୟଜିବୀ  ସମୁଦାୟ, ମାନସିକ ଅନଗ୍ରସର ପିଲାମାନଙ୍କର ଯତ୍ନ ଓ ଶିକ୍ଷା, ସ୍ୱାଧାର ଗୃହର କାର୍ଯ୍ୟକାରିତା, କିଶୋରୀମାନଙ୍କ ମଧ୍ୟରେ  ରକ୍ତହୀନତା,  ଧାନ ସଂଗ୍ରହ, ଅପପୁଷ୍ଟିର ସମାଧାନ, ବନ୍ୟଜନ୍ତୁ ଶିକାର ନିରାକରଣ, ଜନସମୁଦାୟ ସ୍ତରରେ ନୂତନ ଜିବୀକା ନିର୍ବାହ ପନ୍ଥା ଆଦି ପ୍ରମୁଖ ବିଷୟ ଏଥିରେ ସ୍ଥାନିତ ହୋଇଛି ।

ଡ଼ଃ ଶଶାଙ୍କ  ଗ୍ରହାଚାର୍ଯ୍ୟ, ପଦ୍ମଜା ପତି, ସୌମ୍ୟ ବାନାର୍ଜୀ, ରଶ୍ମିତା ବେହେରା ଏବଂ ଅମର୍ତ୍ୟ କ୍ରିଷ୍ଣା ରାୟ ଆଦି ଗବେଷକମାନଙ୍କୁ ନେଇ ଗଠିତ ଉତ୍କର୍ଷ  କେନ୍ଦ୍ରର ଗବେଷଣା ଟିମ୍ଙ୍କ ଦ୍ୱାରା ଏହି ଅଧ୍ୟୟନ  କରାଯାଇଛି । ସଂକଳନଟିକୁ  ଗୋପବନ୍ଧୁ ପ୍ରଶାସନିକ  ଏକାଡ଼େମୀ ଏବଂ  ୟୁନିସେଫ୍ଙ୍କ ଦ୍ୱାରା ଯୌଥ ଭାବେ ପ୍ରକାଶନ କରାଯାଇଛି ।