ଭୁବନେଶ୍ୱର : କଂଗ୍ରେସ ସଂଗଠନ ଜନ୍ମ ନେବାର ୧୩୭ବର୍ଷ ମଧ୍ୟରେ ଓଡ଼ିଶାରୁ ଏଯାବତ୍ ଜଣେ ହେଲେ କେହି ଅଖିଳ ଭାରତ କଂଗ୍ରେସ କମିଟିର ସର୍ବଭାରତୀୟ ସଭାପତି ହୋଇପାରି ନାହାନ୍ତି । ଦୁଇ ଦଶନ୍ଧି ପରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ପଦବୀ ଲାଗି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିପାଇଁ ଓଡ଼ିଶାର କୌଣସି ଦଳୀୟ ନେତା ପ୍ରାର୍ଥୀ ମଧ୍ୟ ହୋଇନାହାନ୍ତି ।
ତେବେ ପ୍ରାକ୍ ସ୍ୱାଧୀନତା କାଳରେ ଓ ସ୍ୱାଧୀନତା ପ୍ରାପ୍ତି ପରେ ଓଡ଼ିଶାର କେତେକ ନେତା କଂଗ୍ରେସ ସଂଗଠନର ଜାତୀୟ ସ୍ତରରେ ବିଭିନ୍ନ ପଦପଦବୀରେ ରହିଛନ୍ତି । କଂଗ୍ରେସ ପାର୍ଲାମେଣ୍ଟାରୀ ବୋର୍ଡର ସାଧାରଣ ସଂପାଦକ ପଦବୀରେ ଏକଦା ନୀଳକଣ୍ଠ ଦାସଙ୍କ ଭଳି ବରିଷ୍ଠ ନେତା ରହିଥିବା ବେଳେ ପରବର୍ତ୍ତୀ ସମୟରେ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଓଡ଼ିଆ ନେତା ଦଳର ସର୍ବଭାରତୀୟ ସାଧାରଣ ସଂପାଦକ ମଧ୍ୟ ହୋଇଥିଲେ । ଏହାଛଡା ବିଭିନ୍ନ ସମୟରେ ଅଖିଳ ଭାରତ ମହିଳା କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଓଡ଼ିଆ ନେତାମାନେ ଅବଶ୍ୟ ସ୍ଥାନ ପାଇଛନ୍ତି । ଏବେବି ରାଜ୍ୟର କେତେଜଣ କଂଗ୍ରେସ ନେତା ଦଳର ସାଂଗଠନିକ ପଦପଦବୀ ମଣ୍ଡନ କରୁଥିଲେ ମଧ୍ୟ ଏଆଇସିସି ସଭାପତି ପଦବୀରେ କୌଣସି ଓଡ଼ିଆ ନେତା ଅଧିଷ୍ଠିତ ହୋଇପାରି ନାହାନ୍ତି ।
୧୮୮୫ ମସିହାରେ କଂଗ୍ରେସ ଆରମ୍ଭ ହୋଇଥିବା ବେଳେ ୧୮୮୬ ମସିହାରୁ ବହୁ ଓଡ଼ିଆ ନେତା କଂଗ୍ରେସ ଅଧିବେଶନରେ ଯୋଗ ଦେଇ ଆସୁଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କଠାରୁ ଆରମ୍ଭକରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଡାକ୍ତର ଏକ୍ରାମ ରସୁଲ, ଭାଗିରଥୀ ମହାପାତ୍ର, ସରଳା ଦେବୀ, ରମା ଦେବୀ, ଗୋପବନ୍ଧୁ ଚୌଧୁରୀ, ହରେକୃଷ୍ଣ ମହତାବ, ଯଦୁମଣି ମଙ୍ଗରାଜଙ୍କ ସମେତ ବହୁ ଲବ୍ଧପ୍ରତିଷ୍ଠିତ ଓଡ଼ିଆ ପ୍ରାକ୍ ସ୍ୱାଧୀନତା କାଳରେ କଂଗ୍ରେସ ଅଧିବେଶନ ମାନଙ୍କରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଯେତେସବୁ କଂଗ୍ରେସ ଅଧିବେଶନ ହୋଇଛି ସେଗୁଡିକରେ ବହୁ ସଂଖ୍ୟକ ଓଡ଼ିଆ ପ୍ରତିନିଧି ଅଂଶ ଗ୍ରହଣ କରିଛନ୍ତି । ତେବେ ବିଭିନ୍ନ କାରଣରୁ ଏଯାବତ କୌଣସି ଓଡ଼ିଆଙ୍କୁ ଏହି ସଂଗଠନର ମୁଖ୍ୟ କରାଯାଇନାହିଁ । ୧୯୫୧ରୁ ୧୯୫୪ ପର୍ଯ୍ୟନ୍ତ ପଣ୍ଡିତ ଜବାହରଲାଲ ନେହେରୁ କଂଗ୍ରେସ ସଭାପତି ଥିବାବେଳେ ତାଙ୍କ ମନୋନୀତ ପ୍ରାର୍ଥୀ ୟୁ.ଏନ.ଧେବର ୧୯୫୫ରୁ ୧୯୫୯, ଇନ୍ଦିରା ଗାନ୍ଧୀ ୧୯୫୯ରେ, ଏନ୍.ସଞ୍ଜୀବ ରେଡ୍ଡୀ ୧୯୬୦ରୁ ୧୯୬୩, କେ.କାମରାଜ ୧୯୬୪ରୁ ୧୯୬୭, ଏସ.ନିଜଲିଙ୍ଗାପ୍ପା ୧୯୬୮ ଓ ୧୯୬୯, ଜଗତଜୀବନ ରାମ ୧୯୭୦ ଓ ୧୯୭୧, ଶଙ୍କର ଦୟାଲ ଶର୍ମା ୧୯୭୨ରୁ ୧୯୭୪ ଓ ଦେବକାନ୍ତ ବଡୁଆ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ଥିଲେ ।
ଇନ୍ଦିରା ଗାନ୍ଧୀ ୧୯୭୮ରୁ ୧୯୮୩ ପର୍ଯ୍ୟନ୍ତ, ରାଜୀବ ଗାନ୍ଧୀ ୧୯୮୫ରୁ ୧୯୯୧ ପର୍ଯ୍ୟନ୍ତ, ପି.ଭି. ନରସିଂହ ରାଓ ୧୯୯୨ରୁ ୧୯୯୪ ଓ ସୀତାରାମ କେଶରୀ ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ରହିଥିଲେ । ୧୯୯୮ରୁ ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ଦାୟିତ୍ୱ ଗ୍ରହଣ କରି ୨୦୧୭ ପର୍ଯ୍ୟନ୍ତ ଏହି ପଦବୀରେ ଥିଲେ । ତାଙ୍କ ପରେ ତାଙ୍କ ପୁତ୍ର ରାହୁଲ ଗାନ୍ଧୀ ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ସଭାପତି ଥିଲେ । ତେବେ ୨୦୧୯ରେ ଦଳର ନିର୍ବାଚନୀ ବିପର୍ଯ୍ୟୟ ପରେ ସେ ଏହି ପଦବୀରୁ ଓହରି ଯିବାରୁ ପୁଣି ସୋନିଆଙ୍କୁ କଂଗ୍ରେସର ସଭାପତି ଦାୟିତ୍ୱ ଅସ୍ଥାୟୀ ଭାବେ ନିର୍ବାହ କରିବାକୁ ପଡୁଛି । ଏବେ ଦୀର୍ଘ ଦଶନ୍ଧିର ବ୍ୟବଧାନ ପରେ କଂଗ୍ରେସର ସଭାପତି ନିର୍ବାଚନ ହେଉଥିବା ବେଳେ ନିର୍ଣ୍ଣାୟକ ଭୂମିକା ପୁଣି ସୋନିଆ ଓ ରାହୁଲଙ୍କ ଉପରେ ରହିଛି । ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ଭଳି ଦଳୀୟ ନେତାମାନେ ଏହି ପଦବୀ ଲାଗି ପ୍ରାର୍ଥୀ ହୋଇଛନ୍ତି । ତେବେ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ମଧ୍ୟରେ କଂଗ୍ରେସ ସଭାପତି ଆସନ ପାଇଁ ଓଡ଼ିଶାର କେହି ପ୍ରାର୍ଥୀ ହୋଇନଥିବା ବିସ୍ମୟକର । (ତଥ୍ୟ)